ଅଭିଜିତ ଆୟାର ମିତ୍ରଙ୍କ ମନ୍ତବ୍ୟର ତଦନ୍ତ ଲାଗି ଗୃହ କମିଟି ଗଠିତ   ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅଛନ୍ତି ୫ ବିଧାୟକ  କମିଟି ତାହାର ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ କିମ୍ବା ଦ୍ୱିତୀୟ ଦିନ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ  ବିଧାନସଭାର ମୌସୁମୀ ଅଧିବେଶନ ଶେଷ  ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି ପ୍ରଦୀପ ଅମାତ  ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ  

ଅଧାରେ ଶ୍ରୀମନ୍ଦିର ସଂସ୍କାର

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସଂସ୍କାର ଆଣିବାକୁ ସୁପାରିଶ କରିବା ଲାଗି ବସାଯାଇଥିବା କମିଶନକୁ ଅଧାରୁ ବନ୍ଦ କରିଦିଆଯିବା ଘଟଣାକୁ ଗଜପତି ଦିବ୍ୟସିଂହ ଦେବ ନାପସନ୍ଦ କରିଛନ୍ତି ।

ଏକ ଆଲୋଚନାରେ ଭାଗ ନେଇ ଗଜପତି କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରସଙ୍ଗରେ ବ୍ୟବସ୍ଥାପିକା ଓ ପ୍ରଶାସନିକ ସଂସ୍ଥା ବିଶେଷ ଗୁରୁତ୍ୱ ଦେଉନଥିବା ବେଳେ ନ୍ୟାୟପାଳିକା ଏଥିରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହେଉଛି । ପ୍ରତିଥର ରଥଯାତ୍ରା କିମ୍ବା ନବକଳେବର ପୂର୍ବରୁ ସରକାରୀ ଏଜେଣ୍ଡାରେ ଶ୍ରୀମନ୍ଦିର ପ୍ରସଙ୍ଗ ଶୀର୍ଷ ସ୍ଥାନରେ ରହୁଥିବା ବେଳେ ରଥଯାତ୍ରା ପରେ ଶ୍ରୀମନ୍ଦିର ସମସ୍ୟାକୁ ଗୁରୁତ୍ୱ ଦିଆଯାଉନଥିବା ଦୁର୍ଭାଗ୍ୟଜନକ ବୋଲି ଗଜପତି କହିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ପୁରୀ ଶ୍ରୀମନ୍ଦିର ସଂସ୍କାର ନିମନ୍ତେ ସୁପାରିଶ କରିବା ଲାଗି ରାଜ୍ୟ ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ବିମଳ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ୨୦୧୬ ଜୁଲାଇ ମାସରେ ସଂସ୍କାର କମିଶନ ଗଠନ କରିଥିଲେ । ପ୍ରଥମେ ଏହି କମିଶନଙ୍କ ଅବଧି ୬ ମାସ ଥିଲା ଏବଂ ପରେ ଏହାର କାର୍ଯ୍ୟକାଳକୁ ଦୁଇଥର ୬ ମାସ ଲେଖାଏଁ ବୃଦ୍ଧି କରାଯାଇଥିଲା । କମିଶନ ୨୦୧୭ ଏପ୍ରିଲ୍‍ ଓ ଡିସେମ୍ବର ମାସରେ ରାଜ୍ୟ ସରକାରଙ୍କୁ ଦୁଇଟି ମଧ୍ୟବର୍ତ୍ତୀକାଳିନ ରିପୋର୍ଟ ଦେଇଛନ୍ତି । ଏଥିରେ ମନ୍ଦିରର ଭିତର ତଥା ବାହାରର ସୁରକ୍ଷା, ଉନ୍ନତି ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସମ୍ବନ୍ଧରେ ପ୍ରସ୍ତାବ ଦେଇଛନ୍ତି ।

କମିଶନଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ ସରକାରଙ୍କୁ ଚିଠି ଲେଖା ଯାଇଥିଲା । ତେବେ ଚଳିତବର୍ଷ ଜାନୁଆରୀ ମାସରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଆଉ ତାହା ବଢ଼ା ଯାଇନାହିଁ । ତେବେ ଗତ ଏପ୍ରିଲ୍‍ ମାସରେ ରାଜ୍ୟ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତୀୟ ବିଷୟ ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଛି ।

ବିଧାନସଭାରେ ସରକାରଙ୍କ ପକ୍ଷରୁ ଏହା ପ୍ରକାଶ କରାଯିବାର ତିନିମାସ ବିତି ଯାଇଥିଲେ ମଧ୍ୟ ସଂସ୍କାର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ଘେନି କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଫଳରେ ଗତ ଜାନୁଆରୀ ମାସରୁ ଏହି କମିଶନ ବସ୍ତୁତଃ ବନ୍ଦ ହୋଇପଡ଼ିଛି ।

ଏକ ବୈଦ୍ୟୁତିକ ଗଣମାଧ୍ୟମ ସହ ଆଲୋଚନା ପ୍ରସଙ୍ଗରେ ଗଜପତି କହିଛନ୍ତି ଯେ ରାଜ୍ୟ ସରକାର ସଂସ୍କାର କମିଶନ ବସାଇବା ପରେ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ପ୍ରକାଶ ପାଇଥିଲା । ତେଣୁ ବିଭିନ୍ନ ସ୍ଥାନରୁ ପ୍ରାୟ ୧୩ହଜାର ସତ୍ୟପାଠ ମାଧ୍ୟମରେ ସମାଜର ବିଭିନ୍ନ ବର୍ଗର ଲୋକେ କମିଶନଙ୍କୁ ଅନେକ ସୁଚିନ୍ତିତ ପ୍ରସ୍ତାବ ଦେଇଥିଲେ ।

ଗଜପତିଙ୍କ ଏହି ଖୋଲା ବକ୍ତବ୍ୟ ପରେ ଏବେ ବିଭିନ୍ନ ମହଲରେ ସଂସ୍କାର କମିଶନ ଘେନି ପ୍ରତିକ୍ରିୟା ପ୍ରକାଶ ପାଉଛି । ଇତିମଧ୍ୟରେ ଜଣେ ଓଡ଼ିଆ ମହିଳାଙ୍କ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଆଧାରରେ ସୁପ୍ରିମ୍‍କୋର୍ଟ କେତେକ ନିର୍ଦ୍ଦେଶ ଦେବା ସହ ପୁରୀ ଜିଲ୍ଲା ଦୌରାଜଜ୍‍ଙ୍କୁ ଜଣିକିଆ କମିଶନ ନିଯୁକ୍ତ କରି ରିପୋର୍ଟ ମାଧ୍ୟମରେ ପ୍ରସ୍ତାବ ଦେବାକୁ କହିଥିଲେ ।

ଜିଲ୍ଲା ଜଜ୍‍ଙ୍କ ରିପୋର୍ଟ ପହଞ୍ଚିବା ପରେ ସୁପ୍ରିମ୍‍କୋର୍ଟ ପ୍ରସ୍ତାବଗୁଡ଼ିକ ଉପରେ ରାଜ୍ୟ ସରକାରଙ୍କ ମତାମତ ଲୋଡ଼ିଛନ୍ତି । ଇତିମଧ୍ୟରେ ଜଣେ ବରିଷ୍ଠ ଆଇନ୍‍ଜୀବୀଙ୍କୁ ମଧ୍ୟ ସୁପ୍ରିମ୍‍କୋର୍ଟ ଆମିକସ୍‍କ୍ୟୁରୀ ଭାବେ ନିଯୁକ୍ତ କରି ଶ୍ରୀମନ୍ଦିର ପ୍ରସଙ୍ଗରେ କୋର୍ଟଙ୍କୁ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗର ତଦନ୍ତ ଲାଗି ରାଜ୍ୟ ସରକାର ଜଷ୍ଟିସ୍‍ ରଘୁବୀର ଦାସ କମିଶନ ବସାଇଛନ୍ତି ।