୫-ଟିକୁ ରାଜ୍ୟପାଳଙ୍କ ପ୍ରଶଂସା


ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ସହିତ ଆଜିଠାରୁ ଓଡ଼ିଶା ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ରାଜ୍ୟପାଳ ପ୍ରଥମ ଦିନରେ ତାଙ୍କର ଦୀର୍ଘ ଅଭିଭାଷଣ ଗୃହରେ ରଖିଛନ୍ତି ।

ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ୫-ଟି ଓ ମୋ ସରକାର ପରି ଅଭିନବ ପଦକ୍ଷେପ ସରକାର ଗ୍ରହଣ କରୁଥିବା ବେଳେ ଏହାକୁ ଦୃଢ଼ ଇଚ୍ଛାଶକ୍ତି ସହିତ କାର୍ଯ୍ୟକାରୀ କରାଯାଉଛି । ୨୦୦୦ ମସିହା ପରଠାରୁ ସରକାର ଓଡ଼ିଶାକୁ ଏକ ନୂତନ ଶିଖରରେ ପହଞ୍ଚାଇବାକୁ କଠିନ ପରିଶ୍ରମ କରୁଛନ୍ତି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଆଧାରିତ ଅନ୍ତ୍ୟୋଦୟ ନୀତି ପ୍ରତି ପ୍ରାଥମିକତା ଦେବା ଜନକୈନ୍ଦ୍ରିକ ଯୋଜନମାନ ପ୍ରଣୟନ ଓ ରୂପାୟନ ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ ।

ରାଜ୍ୟପାଳ କହିଛନ୍ତି ଯେ ଓଡ଼ିଶା ହେଉଛି ଭାରତର ଆତ୍ମା । ଓଡ଼ିଶାର ସମୃଦ୍ଧ, ସାଂସ୍କୃତିକ ପରମ୍ପରା ଏବଂ ଇତିହାସ, ଓଡ଼ିଶାର ମାଟି ଓ ଏହାର ବିବିଧତାରେ ଗଭୀର ଭାବେ ପ୍ରତିରୋପିତ । ପୁରୀର ଶ୍ରୀମନ୍ଦିର ଓ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ଭିତ୍ତିଭୂମିର ବିକାଶ ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।

ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ ୨୦୨୦-୨୧ ବର୍ଷରେ ସରକାର ୧.୮୪ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି । ୨୦୦ଟି କ୍ଷୁଦ୍ର ଜଳଭଣ୍ଡାରର ଉନ୍ନତିକରଣ ଓ ୧୨୦୦ଟି ଅଚଳ ଉଠାଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯିବ ।

ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୩,୨୮,୫୦,୮୧୬ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଏମାନଙ୍କୁ ମାସିକ ମୁଣ୍ଡପିଛା ୫କିଲୋ ଚାଉଳ ୧ ଟଙ୍କା ଦରରେ ଯୋଗାଯାଉଛି ।

ସରକାର ୪୮ଲକ୍ଷ ୩୮ହଜାର ୫୪୮ ଜଣଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ପେନସନ୍‍ ଯୋଗାଇ ଦେଉଛନ୍ତି । ୬୪୩୬ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନିମନ୍ତେ ୧୦୨ଟି ସ୍ୱତନ୍ତ୍ର ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି ।

୨୦୦୨-୦୩ ବର୍ଷରେ ରାଜ୍ୟର ଋଣ-ଘରୋଇ ଅନୁପାତ ୫୦.୭ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ତାହା ୧୬.୮ ପ୍ରତିଶତକୁ ହ୍ରାସ ପାଇଛି । ରାଜସ୍ୱ ପ୍ରାପ୍ତି ଓ ଦେୟ ସୁଧ ଅନୁପାତ ୨୦୦୧-୦୨ ବର୍ଷରେ ୪୦.୨ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୫.୮ ପ୍ରତିଶତକୁ କମିଛି ।

ବିଧାୟକ ଆଞ୍ଚଳିକ ବିକାଶ ପାଣ୍ଠିରୁ ୧୯୫୭.୩୬ କୋଟି ଟଙ୍କା ବର୍ତ୍ତମାନ ସୁଦ୍ଧା ବ୍ୟୟ କରାଯାଇ ୨,୭୫,୮୩୬ଟି ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହୋଇଛି । ୨୦୧୯-୨୦ ବର୍ଷ ବଜେଟ୍‍ରେ ଡିଜିଟାଲ ପ୍ରକ୍ରିୟା ପ୍ରୟୋଗ କରାଯାଇ ବଜେଟ୍‍ ପୁସ୍ତକ ମୁଦ୍ରଣ ହ୍ରାସ କରାଯାଇଛି । ଏଥିଯୋଗୁ ୭୦୦ ଗଛକୁ ବଞ୍ଚାଯାଇପାରିଛି । ଆଗାମୀ ବର୍ଷଗୁଡ଼ିକରେ କାଗଜ ରହିତ ବଜେଟ୍‍ ତିଆରି ପାଇଁ ଆଶା ରହିଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020