ସମରେ ସଫଳ ଅସ୍ତ୍ରୋପଚାର


ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲରେ ପେଟରେ ବଢ଼ିଥିବା ବୃହତକାୟ ଟ୍ୟୁମରର ସଫଳ ଅସ୍ତ୍ରୋପଚାର ହୋଇଯାଇଛି । ବ୍ରହ୍ମଗିରି ଅଂଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କର ପେଟରେ ବଢ଼ିଥିବା ୭ କେଜି ଓଜନର ଟ୍ୟୁମରକୁ ଅସ୍ତ୍ରୋପଚାର ଜରିଆରେ କାଢ଼ି ବାହାର କରିଛନ୍ତି ସମ ହସ୍ପିଟାଲର ସର୍ଜିକାଲ ଗ୍ୟାଷ୍ଟ୍ରୋଏନଟେରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ ।

ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଏହି ହସ୍ପିଟାଲର ସର୍ଜିକାଲ ଗ୍ୟାଷ୍ଟ୍ରୋଏନଟେରୋଲୋଜି ବିଭାଗରେ ଫେବୃଆରୀ ୪ ତାରିଖ ଦିନ ଚିକିତ୍ସା ପାଇଁ ଏହି ବ୍ୟକ୍ତି ଭର୍ତି ହୋଇଥିଲେ । ତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିବା ବେଳେ ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରୁଥିଲେ । ପରୀକ୍ଷା ନିରୀକ୍ଷା ପରେ ତାଙ୍କ ପେଟରେ ଟ୍ୟୁମର ଥିବାର ଜଣାପଡ଼ିଥିଲା ।

ଅପରେସନ ସମୟରେ ଟ୍ୟୁମରଟି ଅନ୍ତନଳୀରୁ ମୁତ୍ରାଶୟ ପର୍ଯ୍ୟନ୍ତ ଲମ୍ବି ଥିବା ଜଣାପଡ଼ିଥିଲା । ଦୀର୍ଘ ୪ ଘଣ୍ଟାର ଅପରେସନ ପରେ ୭ କେଜି ଓଜନର ଟ୍ୟୁମରଟି ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରୁ ବାହାର କରାଯାଇଥିଲା । ଡାକ୍ତର ପଟ୍ଟନାୟକଙ୍କ ସମେତ ଗ୍ୟାଷ୍ଟ୍ରୋଏନଟେରୋଲୋଜି ବିଭାଗର ଡାକ୍ତର ପରୱେଜ ଆଲମ ଖାନ ଏବଂ ନିଶ୍ଚେତକ ବିଭାଗର ଡାକ୍ତର ଡେଜି କରନ ଏବଂ ଡାକ୍ତର ଶାଶ୍ୱତ ପଟ୍ଟନାୟକ ଏହି ଅସ୍ତ୍ରୋପଚାରରେ ସାମିଲ ଥିଲେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020