ଜେଲ ଗଲେ ଅନୁପ


ଦୁଇ ଦୁଇଟି ହତ୍ୟାକାଣ୍ଡ ମାମଲାରେ ଛତିଶଗଡ଼ର ଚକ୍ରଧରନଗର ପୋଲିସ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ବିଧାୟକ ଅନୁପ ସାଏ ଆଜି ଜେଲ ଯାଇଛନ୍ତି । ଛତିଶଗଡ଼ର ରାୟଗଡ଼ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିଦେବା ପରେ ଶ୍ରୀ ସାଏଙ୍କୁ ଜେଲ ପଠାଇ ଦିଆଯାଇଛି ।

ଗତକାଲିଠାରୁ ଶ୍ରୀ ସାଏଙ୍କ ଗିରଫଦାରୀ ନେଇ ଆଲୋଚନା ଜାର ରହିଥିବା ବେଳେ ଆଜି ରାୟଗଡ଼ ଏସପି ସନ୍ତୋଷ ସିଂ ଏ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ଶ୍ରୀ ସିଂହ କହିଛନ୍ତି ଯେ ପଚରାଉଚରା ସମୟରେ ଅନୁପ ତାଙ୍କର ଦୋଷ ସ୍ୱୀକାର କରିଛନ୍ତି ।

ଯଦିଓ କାଲିଠାରୁ ଏହି ହତ୍ୟାକାଣ୍ଡରେ ତାଙ୍କର ସଂପୃକ୍ତି ସ୍ପଷ୍ଟ ହୋଇଥିଲା, କିନ୍ତୁ କିଭଳି ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଥିଲା ଓ ଅନୁପ ଏଥିରେ କିପରି ଭୂମିକା ନିଭାଇ ଥିଲେ ତାହା ଜଣାପଡ଼ିନଥିଲା । ଆଜି ଛତିଶଗଡ଼ ପୁଲିସ ପୂରା ଘଟଣା ଉପରୁ ପରଦା ହଟାଇଛି ।

ଶ୍ରୀ ସିଂହ କହିଛନ୍ତି ଯେ ୨୦୧୬ ମେ ୭ରେ ମା' କଳ୍ପନା ଦାସ ଓ ଝିଅ ବବଲିଙ୍କର ମୃତଦେହ ମିଳିଥିଲା । ଅନୁପଙ୍କ ଡ୍ରାଇଭର ବର୍ମନ ଟପୋ ଲୁହାଛଡ଼ରେ ୨ ଜଣଙ୍କୁ ହତ୍ୟା କରିଥିଲା ଏବଂ ଏହାକୁ ଦୁର୍ଘଟଣା ରୂପ ଦେବା ଲାଗି ଅନୁପ ନିଜେ ଦୁଇ ମୃତଦେହ ଉପରେ ବୋଲେରୋ ଚଢ଼ାଇ ଦେଇଥିଲେ ।

୨୦୦୫ ମସିହାରେ ମୃତ କଳ୍ପନାଙ୍କୁ ତାଙ୍କ ସ୍ୱାମୀ ସୁନୀଲ ଶ୍ରୀବାସ୍ତବ ଛାଡ଼ପତ୍ର ଦେଇଥିଲେ । ଏହାପରେ କଳ୍ପନାଙ୍କ ସମ୍ପର୍କରେ ଆସିଥିଲେ ଅନୁପ ସାଏ । ୨୦୧୧ ମସିହାରୁ ଭୁବନେଶ୍ୱରର ସୁନ୍ଦରପଦାରେ ଅନୁପଙ୍କର ଏକ ଫ୍ଲାଟରେ ରହୁଥିଲେ କଳ୍ପନା । ସେ ଦୁହେଁ ପ୍ରାୟ ଲିଭଇନରେ ରହୁଥିଲେ ।

ଖାଲି ସେତିକି ନୁହେଁ, ଦୁହେଁ ସାଙ୍ଗ ହୋଇ ବିଶାଖାପଟନମ୍, ହାଇଦ୍ରାବାଦ, ଦିଲ୍ଲୀ ଏବଂ ଗୋଆ ଆଦି ସ୍ଥାନକୁ ବୁଲିବାକୁ ଯାଇଥିଲେ । କିନ୍ତୁ ସମୟ ସମୟରେ ବିବାହ ପାଇଁ ଅନୁପଙ୍କ ଉପରେ କଳ୍ପନା ଚାପ ପକାଇଥିଲେ । ଖାଲି ସେତିକି ନୁହେଁ ଅନୁପ ସାଏ ତାଙ୍କର କେତେକ ସମ୍ପତ୍ତି ତାଙ୍କ ନାଅାଁରେ କରନ୍ତୁ ବୋଲି ବି ଦାବି କରୁଥିଲେ କଳ୍ପନା ।

ଏହାପରେ ଅନୁପ କଳ୍ପନା ଦାସ ଓ ଝିଅ ବବଲିଙ୍କୁ ହତ୍ୟା କରିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ । ତାହା ଅନୁଯାୟୀ ରାୟଗଡ଼ରେ ବାହା ହେବାର ମିଛ ବାହାନା ଦେଖାଇ ହମୀରପୁରରେ ଥିବା ନିଜର ଜନୈକ ସମ୍ପର୍କୀୟଙ୍କ ଘରକୁ ଯିବାକୁ କହି ନିକାଞ୍ଚନ ସ୍ଥାନକୁ ନେଇ ଯାଇଥିଲେ ।

ସେ ହମୀରପୁର ନିକଟରେ ଥିବା ଏକ ଜଙ୍ଗଲରେ କଳ୍ପନା ଦାସ ଓ ଝିଅ ବବଲିଙ୍କୁ ଲୁହାରଡରେ ପିଟି ହତ୍ୟା କରିଥିଲେ । ମୃତଦେହ ଜବତ ହେବା ପରେ ପରିଚୟ ନ ପାଇ ଛତିଶଗଡ଼ ପୁଲିସ୍ ମୃତ କଳ୍ପନା ଓ ଝିଅ ବବଲିଙ୍କର ଫଟୋ ବିଭିନ୍ନ ପୁଲିସ୍ ଥାନାରେ ମାରିଥିଲା ।

କଳ୍ପନାଙ୍କର ଜଣେ ସମ୍ପର୍କୀୟ ଭାଇ କନେଷ୍ଟବଳ ସରୋଜ ଦାସ ପ୍ରଥମେ ଫଟୋରୁ କଳ୍ପନା ଦାସଙ୍କୁ ଚିହ୍ନଟ କରିଥିଲେ । ଏହାପରେ ପୁଲିସ ତଦନ୍ତ ଜୋରଦାର ହୋଇଥିଲା । ଅନୁପ ସନ୍ଦେହ ଘେରକୁ ଆସିଥିଲେ । ମୃତକଙ୍କ ଫୋନ ନମ୍ବର ପାଇବା ପରେ କଲ ରେକର୍ଡରୁ ଅନୁପଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା ।

ହତ୍ୟାକାଣ୍ଡ ଦିନ ଭୁବନେଶ୍ୱରରୁ ରାୟଗଡ଼ ଯିବା ସମୟରେ କଳ୍ପନା ଓ ଅନୁପଙ୍କୁ ଢାବା କର୍ମଚାରୀ ଦେଖିଥିଲେ । ମହିଳାଙ୍କ ନିଖୋଜ ନେଇ ଅନୁପ କୌଣସି ଏତଲା ଦେଇନଥିଲେ । ୨୦୧୧ରୁ ୨୦୧୬ ରେ ସାଙ୍ଗରେ ରହୁଥିଲେ ବି ଅନୁପ ଏ ନେଇ ଏତଲା ନଦେବା ପୁଲିସର ସନ୍ଦେହ ବଡାଇଥିଲା ।

ଏହାପରେ ବହୁଥର ଅନୁପଙ୍କୁ ଛତିଶଗଡ଼ ପୁଲିସ ପକ୍ଷରୁ ନୋଟିସ ହୋଇଥିଲା, ମାତ୍ର ସେ ସହଯୋଗ କରି ନ ଥିଲେ । କେବଳ ପ୍ରମାଣ କ'ଣ ବୋଲି ଓଲଟା ପୁଲିସକୁ କହିଆସୁଥିଲେ ଅନୁପ । ଏହି ଘଟଣାରେ ଛଅଟି ରାଜ୍ୟର ପୁଲିସ ସହ ଯୋଗାଯୋଗ କରିଥିଲା ଏବଂ ପ୍ରାୟ ୭୦୦ ଲୋକଙ୍କୁ ପଚରାଉଚରା କରିଥିଲା ଛତିଶଗଡ଼ ପୁଲିସ ।

ଶ୍ରୀ ସିଂହଙ୍କ ସୂଚନାନୁଯାୟୀ ଅନୁପ ସାଏଙ୍କ ନାର୍କୋଟେଷ୍ଟ କରାଯିବ । ତା'ଛଡ଼ା ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ଫିଙ୍ଗରପ୍ରିଣ୍ଟ ବି ମେଳ କରାଯିବ ଏବଂ ଅନୁପଙ୍କ ଡିଏନଏ ଟେଷ୍ଟ ମଧ୍ୟ ହେବ । ଡ୍ରାଇଭରକୁ ଧରିବା ଲାଗି ପୁଲିସ ଉଦ୍ୟମ କରୁଥିବା ସେ କହିଛନ୍ତି । ଏହି ହତ୍ୟାକାଣ୍ଡରେ ଶ୍ରୀ ସିଂହ ଅନ୍ୟମାନଙ୍କ ସମ୍ପୃକ୍ତ ଥିବା ସନ୍ଦେହ ପ୍ରକାଶ କରିଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020