ଭିନ୍ନକ୍ଷମ ଓ ବରିଷ୍ଠଙ୍କ ପାଇଁ ସ୍ୱତନ୍ତ୍ର ଯାନ


ଲୋକସେବା ଭବନକୁ ଗମନାଗମନ ନିମନ୍ତେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କ ସକାଶେ ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର ଯାନ ଆଜି ଲୋକାର୍ପିତ ହୋଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ପୂର୍ବାହ୍ନରେ ଲୋକସେବା ଭବନ ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ଏହି ଯାନର ଲୋକାର୍ପଣ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ, ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ କାର୍ଯ୍ୟାଳୟଗୁଡ଼ିକରେ ଏପରି ସ୍ୱତନ୍ତ୍ର ଯାନ ରଖାଯିବା ପାଇଁ ଉଦ୍ୟମ କରାଯିବ । ରାଜ୍ୟର ୫୮ଟି ଉପଖଣ୍ଡ ସଦର ମହକୁମାରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଡେ କେୟାର ସେଣ୍ଟର ପ୍ରତିଷ୍ଠା କରିବାର ଯୋଜନା ହାତକୁ ନିଆଯିବା କଥା ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି ।

ଲୋକସେବା ଭବନକୁ ପ୍ରତିଦିନ କାର୍ଯେ୍ୟାପଲକ୍ଷେ ବିଭିନ୍ନ ସ୍ଥାନରୁ ଆସୁଥିବା ଭିନ୍ନକ୍ଷମ ତଥା ବରିଷ୍ଠ ନାଗରିକମାନଙ୍କ ସୁଗମ୍ୟ ଯାତାୟତ ପାଇଁ ଏହି ଯାନ ସମର୍ପିତ ହୋଇଛି । ଏହି ଯାନରେ ଚାଳକଙ୍କ ବ୍ୟତୀତ ୪ ଜଣ ବସି ପାରିବେ । ପରିବେଶ ଅନୁକୂଳ ବ୍ୟାଟେରୀ ଚାଳିତ ଏହି ଯାନର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ । ଫେଡେରାଲ ବ୍ୟାଙ୍କର ଔଦ୍ୟୋଗିକ ସାମାଜିତ ଦାୟିତବୋଧ କାର୍ଯ୍ୟକ୍ରମରେ ହରମିସ୍‌ ମେମୋରିଆଲ ଫାଉଣ୍ଡେସନ ଆନୁକୂଲ୍ୟରେ ଏହି ସ୍ୱତନ୍ତ୍ର ଯାନ ଯୋଗାଇ ଦିଆଯାଇଛି ।

ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଭାସ୍କର ଶର୍ମା, ନିର୍ଦ୍ଦେଶକ ବ୍ରତତୀ ହରିଚନ୍ଦନ, ଫେଡେରାଲ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ କୈଳାସ ଚନ୍ଦ୍ର ଦାସ ଓ ବ୍ୟାଙ୍କର ଶାଖା ମୁଖ୍ୟ ରାକେଶ କୁମାରଙ୍କ ସମେତ ବିଭାଗୀୟ ପଦାଧିକାରବୃନ୍ଦ ଉପସ୍ଥିତ ଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020