ଏସ୍‍ସି ତାଲିକାରୁ କଟିଲେ କେଉଟ


ଓଡ଼ିଶାର ପ୍ରସ୍ତାବରେ କେନ୍ଦ୍ର ରାଜି ନ ହେବାରୁ ଏବେ ରାଜ୍ୟରେ ଅନୁସୂଚିତ ଜାତି (ଏସ୍‍ସି) ତାଲିକାଭୁକ୍ତ ହୋଇଥିବା କେତେକ ବର୍ଗର ଲୋକ ଏବେ ଏସ୍‍ସି ମାନ୍ୟତା ହରାଇଛନ୍ତି । ତେବେ ରାଜ୍ୟ ସରକାର ଏହି ବର୍ଗର ଲୋକମାନଙ୍କୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆବର୍ଗ (ଏସ୍‍ଇବିସି) ଭାବେ ଘୋଷଣା କରିଛନ୍ତି ।

୧୯୯୭ ମସିହାରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରି ନିଆରି, କେଉଟ, ରାଢୀ, ଦେୱାର ଆଦି ଜାତିର ଲୋକଙ୍କୁ ଏସ୍‍ସି ଭାବେ ଜାତିଗତ ପ୍ରମାଣପତ୍ର ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ୨୩ ବର୍ଷ ଧରି ଏହି ଧାରା ଅବ୍ୟାହତ ରହିଥିଲା । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓଡ଼ିଶାର ଏହି ବର୍ଗର ଲୋକମାନଙ୍କୁ ଏସ୍‍ସି ଭାବେ ଗ୍ରହଣ କରି ରାଷ୍ଟ୍ରପତିଙ୍କ ଘୋଷଣାନାମା ପ୍ରକାଶ ପାଇଁ ଓଡ଼ିଶା ପକ୍ଷରୁ ମଧ୍ୟ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଦୀର୍ଘବର୍ଷ ପରେ କେନ୍ଦ୍ର ସରକାରଙ୍କ ସାମାଜିକ କଲ୍ୟାଣ ଓ ସଶକ୍ତିକରଣ ମନ୍ତ୍ରାଳୟ ଗତ ନଭେମ୍ବର ୨୯ ତାରିଖରେ ରାଜ୍ୟ ସରକାରଙ୍କୁ ରୋକଠୋକ୍‍ ଭାବେ ଜଣାଇ ଦେଇଛନ୍ତି ଯେ ଏହି ବର୍ଗର ଲୋକଙ୍କୁ ଏସ୍‍ସି ତାଲିକାରେ ସାମିଲ କରାଯାଇପାରିବ ନାହିଁ । ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ କେନ୍ଦ୍ର ନାକଚ କରିଦେଇଥିବା ଏଥିରେ ଦର୍ଶାଯାଇଛି ।

ଏହି ଘଟଣା ଜଣାପଡ଼ିବା ପରେ ନିଆରି, କେଉଟ, ରାଢୀ ଆଦି ଜାତିର ଲୋକମାନେ ଆଉ ଏସ୍‍ସି ଭାବେ ସରକାରୀ ସୁବିଧା ସୁଯୋଗ ପାଇପାରିବେ ନାହିଁ । ବିଶେଷ କରି ଏହି ବର୍ଗର ଲୋକମାନେ ଏସ୍‍ସିଙ୍କ ପାଇଁ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇପାରିବେ ନାହିଁ । ସେହିପରି ସରକାରୀ ଚାକିରି କ୍ଷେତ୍ରରେ ମଧ୍ୟ ଏମାନଙ୍କୁ ଆଉ ଏସ୍‍ସି ଭାବେ ସଂରକ୍ଷଣର ସୁବିଧା ସୁଯୋଗ ମିଳିବ ନାହିଁ ।

ଏହି ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ବର୍ଗର ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି । ୨୦ ବର୍ଷରୁ ଅଧିକ ସମୟ ଧରି ଏହି ବର୍ଗର ପିଲାମାନେ ଏସ୍‍ସି ପ୍ରାର୍ଥୀ ଭାବେ ପାଠପଢ଼ିବା ଠାରୁ ଆରମ୍ଭ କରି ଚାକିରି କ୍ଷେତ୍ରରେ ବେଶ୍‍ ସୁବିଧା ସୁଯୋଗ ପାଉଥିଲେ । ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି । ତେବ କେନ୍ଦ୍ର ସରକାର ଏ ପ୍ରସଙ୍ଗର ପୁନର୍ବିଚାର କରିବା ପାଇଁ ମଧ୍ୟ ଗୋଟିଏ ମହଲରୁ ମତ ପ୍ରକାଶ ପାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ନିଆରି, କେଉଟ, ରାଢୀ ଆଦି ବର୍ଗଙ୍କୁ ସମ୍ବିଧାନର ୩୪୧ ଧାରା ଅନୁଯାୟୀ ଏସ୍‍ସି ଭାବେ ପ୍ରେସିଡେନ୍ସିଆଲ୍‍ ଅର୍ଡରରେ ସ୍ଥାନ ମିଳିନଥିବା ବେଳେ ଏହି ବର୍ଗଙ୍କୁ ଏସ୍‍ସି ଭାବେ ବିଭିନ୍ନ ସୁବିଧା ସୁଯୋଗ ଦେବା ପାଇଁ ଓଡ଼ିଶା ସରକାର ୧୯୯୭ରେ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ତାହାକୁ ଅସାମ୍ବିଧାନିକ ଦର୍ଶାଇ ହାଇକୋର୍ଟରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020