ଲାଲ କରିଡରରେ ଯୋଗାଯୋଗ ସମସ୍ୟା


ମାଓ ଅଧ୍ୟୁଷିତ ଅଞ୍ଚଳକୁ କେନ୍ଦ୍ର ସରକାର କମ୍‍ ସଂଖ୍ୟାରେ ମୋବାଇଲ ଟାୱାର ମଞ୍ଜୁର ସହିତ ଏହାକୁ ସ୍ଥାପନରେ ବିଳମ୍ବ କରୁଥିବାରୁ ଏହି ଇଲାକାରେ ସୁରକ୍ଷାବଳ ଓ ଜିଲ୍ଲା ପ୍ରଶାସନ ପାଇଁ ସମସ୍ୟା ଉପୁଯିଛି । ଲାଲ୍‍ କରିଡରରେ ୧୦୦୦ଟି ମୋବାଇଲ ଟାୱାର ବସାଇବା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ର ପକ୍ଷରୁ ମାତ୍ର ୧୫୮ଟି ଟାୱାର ମଞ୍ଜୁର ହୋଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟକୁ ମାଓ ଅଧ୍ୟୁଷିତ ଅଞ୍ଚଳରେ ଅଧିକ ମୋବାଇଲ ଟାୱାର ସ୍ଥାପନ ପାଇଁ ଅନୁରୋଧ କରାଯାଉଛି । କିନ୍ତୁ ମନ୍ତ୍ରାଳୟ ପକ୍ଷରୁ ଟାୱାର ମଞ୍ଜୁରରେ ବିଳମ୍ବ ହେବା ସହିତ ଏହା ବସାଇବାରେ ବି ଅନୁରୂପ ଅବସ୍ଥା ସୃଷ୍ଟି ହେଉଛି । ଏହାଦ୍ୱାରା ଲାଲ୍‍ କରିଡର୍‍ରେ ଯୋଗାଯୋଗ କ୍ଷେତ୍ରରେ ଗୁରୁତର ସମସ୍ୟା ଉପୁଜିଛି ।

ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସଡ଼କ ସଂଯୋଗ କ୍ଷେତ୍ରରେ ଅବସ୍ଥା ସୁଧୁରିଥିବା ବେଳେ ପୋଲିସ ଉପସ୍ଥିତି ଯୋଗୁ ସ୍ୱାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ଏହି ବିଚ୍ଛିନ୍ନାଞ୍ଚଳ ଲୋକେ ମୋବାଇଲ ଯୋଗାଯୋଗ ପାଇଁ ଦାବି କରୁଥିବା ବେଳେ ଟାୱାର ନ ଥିବାରୁ ଲୋକେ ଗଛ ଉପରେ ଚଢ଼ି ସେମାନଙ୍କ ଫୋନ୍‍ରେ କଥା ହେଉଛନ୍ତି । କେତେକ ସ୍ଥାନରେ ଲୋକ ପାହାଡ଼ ଉପରକୁ ଯାଇ ମୋବାଇଲ୍‍ ବ୍ୟବହାର କରୁଥିବା ବେଳେ କେତେବେଳେ କେମିତି ଏଠାରେ ମୋବାଇଲ ଲାଗୁଥିବା ଅଧିକାରୀମାନେ କହୁଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ସ୍ଥାପନ ହୋଇଥିବା ୨୫୩ଟି ମୋବାଇଲ ଟାୱାରରେ କମ୍‍ କ୍ଷମତାଯୁକ୍ତ ଆଣ୍ଟିନା ଓ ଦୁର୍ବଳ ବ୍ୟାଣ୍ଡୱିଥ୍‍ ଲାଗିଛି । ଏଥିଯୋଗୁ ସେହିସବୁ ଇଲାକାରେ କେତେକେଳେ କେମିତି ଡାଟା ସୁବିଧା ମିଳୁଛି । ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ମୋବାଇଲ୍‍ ଟାୱାର ବସା ଯାଇଥିଲା ତାହା ପୂରଣ ହୋଇପାରୁନଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ବର୍ତ୍ତମାନ ମାଲକାନଗିରି ଜିଲ୍ଲା କର୍ତ୍ତୃପକ୍ଷ ସ୍ୱାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବା ବେଳେ ଦୁର୍ବଳ ଟେଲି ଯୋଗାଯୋଗ ଏଥିରେ ବାଧକ ସାଜିଛି ।

ମୋବାଇଲ ଟାୱାରଗୁଡ଼ିକ ଥାନା ଭିତରେ ଓ ସୁରକ୍ଷା ବଳ କ୍ୟାମ୍ପ୍‍ରେ ନିର୍ମାଣ ହେଉଥିବାରୁ ସାଧାରଣ ଲୋକେ ଏହାର ସେବା ପାଇପାରୁନାହାନ୍ତି । ଟେଲି ସାନ୍ଧ୍ରତା କ୍ଷେତ୍ରରେ ଓଡ଼ିଶା ଏବେ ବି ପଛରେ ପଡ଼ିଥିବା ବେଳେ କେନ୍ଦ୍ର ସରକାର ସମସ୍ତ ଗାଁରେ ମୋବାଇଲ୍‍ ସେବା ପହଞ୍ଚାଇପାରିନାହାନ୍ତି । ସର୍ବଶେଷ ଆକଳନ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଟେଲି ସନ୍ଧ୍ରତା ୯୦.୩୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୭୫.୦୫ ରହିଛି । ରାଜ୍ୟର ୧୧ ହଜାର ଗାଁ ଏବେ ବି ମୋବାଇଲ୍‍ ସଂଯୋଗରୁ ଦୂରରେ ଥିବା ବେଳେ ମୋବାଇଲ ଟାୱାର ପ୍ରତିଷ୍ଠା କ୍ଷେତ୍ରରେ ଏହା ପଛରେ ପଡ଼ିଛି । ଏଥିମଧ୍ୟରୁ ଅଧିକାଂଶ ଗ୍ରାମ ମାଓପ୍ରବଣ ଇଲାକାରେ ରହିଛି । ରାଜ୍ୟ ସରକାର ଟେଲି ସାନ୍ଧ୍ରତା କମ୍‍ ଥିବା ରାଜ୍ୟକୁ ଅତିରିକ୍ତ ସମ୍ବଳ ଯୋଗାଇ ମୋବାଇଲ୍‍ ସଂଯୋଗରେ ସୁଧାର ଆଣିବା ଲାଗି ଅନୁରୋଧ କରୁଛନ୍ତି । କେନ୍ଦ୍ର ସରକାର ୟୁନିର୍ଭସାଲ ସର୍ଭିସ୍‍ ଓବ୍ଲିଗେସନ୍‍ ଫଣ୍ଡ(ୟୁଏସ୍‍ଓଏଫ୍‍)କୁ ବ୍ୟବହାର କରି କମ୍‍ ସମୟ ମଧ୍ୟରେ ରାଜ୍ୟରେ ଅଧିକ ମୋବାଇଲ୍‍ ସେବା ଯୋଗାଇ ଦେଇପାରିବେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020