ଯାତ୍ରା ଆରମ୍ଭ କଲା ନନ୍ଦିଘୋଷ


ଓଡିଆ ନ୍ୟୁଜ ଚ୍ୟାନେଲ୍‍ ନନ୍ଦିଘୋଷ ଟିଭି ଆଜି ଠାରୁ ବିଧିବଦ୍ଧ ଭାବେ ତାହାର ଯାତ୍ରା ଆରମ୍ଭ କରିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆନୁଷ୍ଠାନିକ ଭାବେ ଆଜି ଏହି ଟିଭି ଚ୍ୟାନେଲର ଶୁଭାରମ୍ଭ କରିଥିବା ସହିତ ରାଜ୍ୟ ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ।

ନନ୍ଦିଘୋଷ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ଜବର କନୱର ସିଂ କହିଛନ୍ତି ଯେ ପ୍ରାୟ ୩୦୦ ଜଣ ଯୁବ ସାମ୍ବାଦିକ ଓ କର୍ମଚାରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିବା ଏହି ଟିଭି ଚ୍ୟାନେଲ ଓଡିଶାର ଐତିହ୍ୟ ଓ ସଂସ୍କୃତିର ରକ୍ଷା କବଚ ସାଜିବ । ଏହି ଚ୍ୟାନେଲ ମାଧ୍ୟମରେ ଦର୍ଶକମାନେ ସକରାତ୍ମକ ଖବର ଦେଖିପାରିବେ ।

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ ଯେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ମଝବୁତ ନହେଲେ ଗଣତନ୍ତ୍ର ନାଁକୁ ମାତ୍ର ସମ୍ବିଧାନରେ ଲିପିବଦ୍ଧ ହୋଇ ରହିବ । ହେଲେ ଦୁର୍ଭାଗ୍ୟର ବିଷୟ ଯେ ଗଣତନ୍ତ୍ରକୁ ବଞ୍ଚାଇ ରଖିବାର ସ୍ତମ୍ଭ ଦୁର୍ବଳ ହୋଇଯାଉଛି । ନନ୍ଦିଘୋଷ ଟିଭି ଚତୁର୍ଥ ସ୍ତମ୍ଭକୁ ମଝବୁତ କରିବାରେ ସହାୟକ ହେବ । ପଛୁଆ ଅଞ୍ଚଳର ବାସ୍ତବ ଖବର ଲୋକଙ୍କ ଆଗରେ ଉପସ୍ଥାପିତ କରିବାପାଇଁ ଶ୍ରୀ ମିଶ୍ର ପରାମର୍ଶ ଦେବା ସଂଗେ ସଂଗେ ଓଡିଶାକୁ ବିକାଶ ପଥରେ ଆଗେଇ ନେବାରେ ଏହି ଟିଭି ଚ୍ୟାନେଲ କାର୍ଯ୍ୟ କରିବାକୁ କହିଥିଲେ ।

ବିଧାନସଭାରେ ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ ଚତୁର୍ଥ ସ୍ତମ୍ଭକୁ ସମ୍ମାନ ଦେବାର ଅଛି । ସତ କଥାକୁ ସମାଜ ଆଗରେ ନରଖିଲେ ଲୋକେ ଗ୍ରହଣ କରିବେ ନାହିଁ । ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଳି ଏ ନନ୍ଦିଘୋଷ ଗଡିବ ଏବଂ ଗରିବ ଲୋକଙ୍କ ଆଶାବାଡି ହେବବୋଲି ସେ କହିଥିଲେ ।

ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ଗଣମାଧ୍ୟମ ଆଜି ସ୍ତମ୍ଭ ନୁହେଁ ପ୍ରମୁଖ ଅଙ୍ଗ ପାଲଟିଛି । ଶାସନ ବ୍ୟବସ୍ଥାର ମାର୍ଗଦର୍ଶକ ଓ ଦର୍ପଣ ହୋଇଛି ଗଣମାଧ୍ୟମ । ସମୟ ସହିତ ତାଳଦେଇ ଗଣମାଧ୍ୟମର କାୟା ବଦଳିଛି । ଏବେ ଖବର ନଖ ଦର୍ପଣରେ । ବର୍ଷ ସାରା ସବୁଦିନ ସବୁ ରାତି ନନ୍ଦିଘୋଷ ଗଡିବ ବୋଲି ସେ ମତ ଦେଇଥିଲେ ।

ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟମିଶ୍ର କହିଥିଲେ ଯେ ଏହି ନ୍ୟୁଜ ଚ୍ୟାନେଲ କାହାସହ ପ୍ରତିଦ୍ୱନ୍ଦିତା କରିବ ନାହିଁ କିମ୍ବା ଟିଆରପି/ଜିଆରପି ଦୌଡରେ ରହିବନାହିଁ । କାରଣ ଟିଆରପି ଦୌଡରେ ରହିଲେ ନ୍ୟୁଜ ଚ୍ୟାନେଲ ପଥଭ୍ରଷ୍ଟ ହୁଏ । ଲୋକଙ୍କୁ ଭିନ୍ନ ସ୍ୱାଦର ଖବର ପରିବେଷଣ କରିବା ଚ୍ୟାନେଲର ଲକ୍ଷ୍ୟ । ଜଗନ୍ନାଥଙ୍କ ନନ୍ଦିଘୋଷ ଭଳି ନନ୍ଦିଘୋଷ ଟିଭି ପକ୍ଷପାତି ହେବନାହିଁ ବୋଲି ଶ୍ରୀ ଭଟମିଶ୍ର କହିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ନନ୍ଦିଘୋଷର କର୍ମକର୍ତ୍ତାମାନେ ସ୍ମରଣିକା ଦେଇ ସମ୍ମାନିତ କରିଥିଲେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020