୮ ପ୍ରକଳ୍ପକୁ ଅନୁମୋଦନ


ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ସିଙ୍ଗିଲ ୱଣ୍ଡୋ ବୈଠକରେ ୮ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହିସବୁ ପ୍ରକଳ୍ପରେ ୧୬୦୯କୋଟି ୪୯ଲକ୍ଷ ଟଙ୍କାର ପୁଞ୍ଜି ବିିନିଯୋଗ ଲକ୍ଷ୍ୟ ରହିଥିବାବେଳେ ଏହାଦ୍ୱାରା ୧୪୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

ପ୍ରକଳ୍ପ ଗୁଡିକର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକୀୟ ଅନୁମତି ଓ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରିତ ତଥା ସୁଗମ କରିବାପାଇଁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୱେବ ପୋର୍ଟାଲ ମାଧ୍ୟମରେ ଶିଳ୍ପ ବିଭାଗରୁ ଯାଉଥିବା ବିଭିନ୍ନ ପୁଞ୍ଜି ନିବେଶ ପ୍ରକଳ୍ପ ସମ୍ବନ୍ଧିତ ଅନୁମୋଦନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅପଲୋଡ କରିବାପାଇଁ ମଧ୍ୟ କୁହାଯାଇଛି ।

ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଆକଳନ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିବାବେଳେ ବିଭିନ୍ନ ପ୍ରକାର ଶିଳ୍ପ ପାଇଁ ଆବଶ୍ୟକ ଜମିର ଏକ ନିର୍ଦ୍ଧିଷ୍ଟ ମାନକ ନିର୍ଦ୍ଧାରଣ ପାଇଁ ଉନ୍ନୟନ କମିଶନର କମିଶନର ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଆୟୋଜିତ ବୈଠକରେ ଶିଳ୍ପ ବିଭାଗର ଶାସନ ସଚିବ ହେମନ୍ତ ଶର୍ମା ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ବିଷୟରେ ସବିଶେଷ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ବୈଠକରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ, ପର୍ଯ୍ୟଟନ, ଇସ୍ପାତ ଏବଂ ଭିତ୍ତିଭୂମି ବିକାଶ ଆଦି କ୍ଷେତ୍ରରେ ଆସିଥିବା ପ୍ରସ୍ତାବ ଗୁଡିକୁ ଅନୁମୋଦନ ମିଳିଥିଲା ।

ଏଥି ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଶିଳ୍ପାଞ୍ଚଳରେ ଟାଟା କମ୍ପାନୀ ୮୩କୋଟି ୫୩ଲକ୍ଷ ଟଙ୍କା ବ୍ୟୟରେ ଚା’ ବ୍ଲେଣ୍ଡିଂ ଓ ପ୍ୟାକେଜିଂ କମ୍ପାନୀ କରିବାକୁ ପ୍ରସ୍ତାବ ଦେଇଥିବାବେଳେ ଝାରସୁଗୁଡାରେ ୨୧୧ କୋଟି ଟଙ୍କା ବିନିଯୋଗରେ ରୁନାୟା ମେଟସୋର୍ସର କୋଇଲା ତାର ପିଚ୍‍, କଟକ ଜିଲ୍ଲାର ରାମଦାସପୁର ଠାରେ ୬୦କୋଟି ୬ଲକ୍ଷ ଟଙ୍କା ବ୍ୟୟରେ ଥର୍ମୋପ୍ଲାଷ୍ଟିକ ପାଇପ୍‍ କାରଖାନା, ଭୁବନେଶ୍ୱରରେ ଆପିଜେ ସୁରେନ୍ଦ୍ର ପାର୍କର ୧୫୦କୋଟି ଟଙ୍କା ନିବେଶରେ ହୋଟେଲ ଶିଳ୍ପ, ଖୋର୍ଦ୍ଧାରେ ୫୧କୋଟି ଟଙ୍କା ବ୍ୟୟରେ କମାତ ଶିଳ୍ପଗୋଷ୍ଠିର ହୋଟେଲ ଶିଳ୍ପ, କେନ୍ଦୁଝରରେ ତ୍ରିବେଣୀ ଆର୍ଥ ମୁଭର୍ସର ୯୪୮ କୋଟି ଟଙ୍କା ବ୍ୟୟରେ ଭୂତଳ ସ୍ଲରି ପାଇପ୍‍ ଲାଇନ୍‍, ଅନୁଗୁଳ ଜିଲ୍ଲାରେ ସିଡିଇଟି ଏକ୍ସପ୍ଲୋସିଭ ଦ୍ୱାରା ୫୫କୋଟି ଟଙ୍କା ବ୍ୟୟରେ କ୍ୟାଟ୍ରିଜ ଏକ୍ସପ୍ଲୋସିଭ ଉତ୍ପାଦନ ଏବଂ କଳିଙ୍ଗନଗର ଠାରେ ୫୦କୋଟି ଟଙ୍କା ବ୍ୟୟରେ ଆପିଜେ ଲଜିଷ୍ଟିକ ପାର୍କର ସମ୍ପ୍ରସାରଣ ଆଦି ରହିଛି ।

ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଇପିକଲର ମୁଖ୍ୟ ପରିଚାଳକ ନିତିନ୍‍ ଜାୱାଲେ ପ୍ରକଳ୍ପ ଗୁଡିକ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020