ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  

ହଲମାର୍କ ପାଇଁ ବର୍ଷେ ସମୟ

ଜାନୁଆରୀ ୧୫ ତାରିଖରେ ସୁନା ଗହଣରେ ବାଧ୍ୟତାମୂଳକ ହଲମାର୍କିଂ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ । ଏହାର ଠିକ୍‍ ବର୍ଷକ ପରେ ଅର୍ଥାତ୍‍ ଆସନ୍ତା୧୫ ଜାନୁଆରୀ ୨୦୨୧ ତାରିଖଠାରୁ ଏହି ନିୟମ ସମ୍ପୂର୍ଣ୍ଣ ଭାବେ ବାଧ୍ୟତାମୂଳକ ହେବ । ନିୟମ ଲାଗୁକରିବା ନିମନ୍ତେ ଗୋଟିଏ ବର୍ଷର ସମୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ରାମବିଳାସ ପାସୱାନ ।

ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାସୱାନ କହିଛନ୍ତି ଯେ, ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କିଂକୁ ବାଧ୍ୟତାମୂଳକ କରିବାଲାଗି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ଫଳରେ ଅଳଙ୍କାରର ଶୁଦ୍ଧତା ବଜାୟ ରହିବା ସହିତ ଅଳଙ୍କାର କିଣିବା ସମୟରେ ଗ୍ରାହକମାନେ ଆଉ ଠକାମିରେ ପଡ଼ିବେ ନାହିଁ । ସୁନାର ଶୁଦ୍ଧତା ନେଇ ସେମାନେ ଭଲ ଭାବେ ସୂଚୀତ ହୋଇପାରିବେ ।

ବର୍ତମାନ କେବଳ ତିନୋଟି କ୍ୟାରେଟ ୧୪, ୧୮ ଓ ୨୨ରେ ସୁନା ଅଳଙ୍କାର ମିଳିବ ଓ ଏହାଦ୍ୱାରା ଦୁର୍ନୀତି ଦୂରହେବ । ହଲମାର୍କିଂ ବାଧ୍ୟତାମୂଳକ ହେବା ପରେ ଏହାର ଉଲ୍ଲଙ୍ଘନ କ୍ଷେତ୍ରରେ୧ ଲକ୍ଷ ଟଙ୍କାଠାରୁ ଆରମ୍ଭ କରି ଠକାମି ହୋଇଥିବା ଗହଣାର ୫ ଗୁଣା ମୂଲ୍ୟ ପର୍ଯ୍ୟନ୍ତ ଜୋରିମାନା କିମ୍ବା ଜେଲ ଦଣ୍ଡ ବିଧାନ କରାଯିବବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।

ଏହି ବାଧ୍ୟତାମୂଳକ ନିୟମ ପାଇଁ ୧ବର୍ଷର ସମୟ ଦିଆଯିବା ସମ୍ପର୍କରେ ସୂଚନା ଦେଇ ଶ୍ରୀ ପାସୱାନ କହିଥିଲେ ଯେ, ଏହି ଅବଧି ମଧ୍ୟରେ ଅଳଙ୍କାର ବ୍ୟବସାୟୀମାନେ ସେମାନଙ୍କ ପଞ୍ଜିକରଣ ପ୍ରକ୍ରିୟା ପୂରଣ କରିପାରିବେ । ଏହାଛଡ଼ା ଅଳଙ୍କାର ବ୍ୟବସାୟୀ ଓ ଖୁଚୁରା ବ୍ୟବସାୟୀମାନେ ସେମାନଙ୍କ ପୁରୁଣା ସାମଗ୍ରୀକୁ ବିକ୍ରିକରିବାଲାଗି ସମୟ ପାଇବେ । ଏହି ସମୟ ମଧ୍ୟରେ ବିଭିନ୍ନ ଘରୋଇ ଉଦ୍ୟୋଗୀଙ୍କ ଦ୍ୱାରା ଅତିରିକ୍ତ ଧାତୁ ପରୀକ୍ଷଣ ଓ ହଲମାର୍କିଂ କେନ୍ଦ୍ର ପ୍ରତିଷ୍ଠା କରାଯାଇପାରିବ ।

ଏଗୁଡ଼ିକ ଚାହିଦା ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ । ତେବେ ଯେଉଁଠି ଏହି କେନ୍ଦ୍ର ନଥିବ ସେହି ଅଂଚଳକୁ ଅଧିକ ପ୍ରାଥମିକତା ଦିଆଯିବ । ୩୧ ଡିସେମ୍ବର, ୨୦୧୯ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଦେଶର ୨୩୪ଟି ଜିଲ୍ଲାରେ ୮୯୨ଟି ଧାତୁ ପରୀକ୍ଷଣ ଏବଂ ହଲମାର୍କ କେନ୍ଦ୍ର ରହିଛି ଏବଂ ୨୮,୮୪୯ ଜଣ ଅଳଙ୍କାର ବ୍ୟବସାୟୀ ଭାରତୀୟ ମାନକବ୍ୟୁରୋ (ବିଆଇଏସ)ରେ ପଞ୍ଜିକୃତ ହୋଇ ସାରିଛନ୍ତି ।

୨୦୧୮ ଜୁନ୍‍ମାସରୁ ବିଆଇଏସ (ହଲମାର୍କିଂ) ନିୟାମକ, ୨୦୧୮ ବିଜ୍ଞପ୍ତି ଜାରି ହୋଇଥିଲା । ଏପ୍ରିଲ ୨୦୦୦ ପରଠାରୁ ବିଆଇଏସ ପକ୍ଷରୁ ସୁନା ଅଳଙ୍କାରର ହଲମାର୍କିଂ ବ୍ୟବସ୍ଥା କରାଯାଇଛି । ବିଆଇଏସ ଆଇନ ୨୦୧୬ର ଧାରା ୧୪ ଏବଂ ଧାରା ୧୬ ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ଦ୍ୱାରା ସୁନା ଅଳଙ୍କାର ଓ କଳାକୃତି ଗୁଡ଼ିକର ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । ଫଳରେ କେବଳ ହଲମାର୍କଯୁକ୍ତ ସୁନାଅଳଙ୍କାର ଓ କଳାକୃତି ବିକ୍ରିକରିବା ବିଆଇଏସରେ ପଞ୍ଜିକୃତ ହେବାକୁ ସମସ୍ତ ଅଳଙ୍କାର ବ୍ୟବସାୟୀଙ୍କ ପାଇଁ ବାଧ୍ୟତାମୂଳକ କରି ଦିଆଯାଇଛି ।

ଗ୍ରାହକଙ୍କ ଜାଣିବାଲାଗି ଅଳଙ୍କାର ଉପରେ କ୍ୟାରେଟ ଉଲ୍ଲେଖ କରାଯିବ- ୨୨ କ୍ୟାରେଟ ଅଳଙ୍କାର ପାଇଁ ୨୨କେ ସହିତ ୯୧୬, ୧୮ କ୍ୟାରେଟ ପାଇଁ ୧୮କେ ସହିତ ୭୫୦ ଏବଂ ୧୪ କ୍ୟାରେଟ ଅଳଙ୍କାର ପାଇଁ ୧୪ କେ ସହିତ ୫୮୫ ରହିବ । ହଲମାର୍କ ଯୁକ୍ତ ସୁନା ଅଳଙ୍କାର ଉପରେ ୪ଟି ଚିହ୍ନ ରହିବ, ଯଥା-ବିଆଇଏସ ଚିହ୍ନ, କ୍ୟାରେଟରେ ଶୁଦ୍ଧତା ଓ ସ୍ୱଚ୍ଛତା, ପରୀକ୍ଷଣକେନ୍ଦ୍ରର ପରିଚୟ ଚିହ୍ନଏବଂ ଅଳଙ୍କାର ବ୍ୟବସାୟୀଙ୍କ ଚିହ୍ନ ।

ସୁନା ଅଳଙ୍କାରରେ ହଲମାର୍କିଂକୁ ବାଧ୍ୟତାମୂଳକ କରିବାଲାଗି ଗ୍ରାହକ ଓ ଅଳଙ୍କାର ବ୍ୟବସାୟୀଙ୍କ ପାଇଁ ଦେଶର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସୋସିଆଲ ମିଡିଆ ଓ ଅନ୍ୟ ମଂଚ ଜରିଆରେ ବିଆଇଏସ ଗ୍ରାହକଙ୍କ ପାଖରେ ପହଁଚିବା ଲାଗି ମଧ୍ୟ ଯୋଜନା କରୁଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020