୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ମହିଳାଙ୍କ ସୁରକ୍ଷାରେ ଓଡ଼ିଶା ଅଗ୍ରଣୀ


ମହିଳାମାନଙ୍କୁ ସୁରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଓଡ଼ିଶା ଅଗ୍ରଣୀ ରାଜ୍ୟ । ମହିଳାମାନେ କିଭଳି ସମାଜରେ ଆତ୍ମସମ୍ମାନର ସହ ଜୀବନ ବଞ୍ଚିବେ ସେଥିପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ସେମାନଙ୍କୁ ବିଭିନ୍ନ ସୁବିଧାସୁଯୋଗ ସହ ବ୍ୟାଙ୍କ ଋଣ ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମତବ୍ୟକ୍ତ କରିଛନ୍ତି ।

ଆଜି ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୨୭ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା କହିଲେ ଯେ ମହିଳାମାନେ କିଭଳି ସୁରକ୍ଷିତ ରହିବେ, ସେମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ସେଥିପାଇଁ ରାଜ୍ୟରେ ଖୁବ୍‌ଶୀଘ୍ର ୪୫ଟି ନୂତନ କୋର୍ଟ ଖୋଲାଯିବ । ତନ୍ମଧ୍ୟରେ ନାବାଳିକାମାନଙ୍କ କ୍ଷେତ୍ରରେ ହେଉଥିବା ମାମଲାଗୁଡ଼ିକର ବିଚାର ପାଇଁ ୨୪ଟି ପୋକ୍‌ସୋ କୋର୍ଟ ଅନ୍ତର୍ଭୁକ୍ତ । ଏହା ଦ୍ୱାରା ମାମଲାଗୁଡ଼ିକ ଅତିଶୀଘ୍ର ଫଏସଲା ହୋଇପାରିବ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଲେ, ରାଜ୍ୟର ମହିଳମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନ୍ତରିକ ଉଦ୍ୟମ କରିଆସୁଛି । ଆୟୋଗର ପ୍ରଚେଷ୍ଟା ହେତୁ ମହିଳାମାନଙ୍କ କ୍ଷେତ୍ରରେ ହେଉଥିବା ଅନେକ ଘଟଣାର ମହିଳାମାନେ ନ୍ୟାୟ ପାଇବାରେ ସଫଳ ହୋଇଛନ୍ତି । ମହିଳାମାନଙ୍କ ସାମ୍ବିଧାନିକ ତଥା ମାନବିକ ଅଧିକାରର ସୁରକ୍ଷା ପ୍ରଦାନ ଦିଗରେ ରାଜ୍ୟ ମହିଳା ଆୟୋଗର ଯଥେଷ୍ଟ ସୁନାମ ରହିଛି ।

ପ୍ରତିଷ୍ଠା ଦିବସରେ ଅଧ୍ୟକ୍ଷତା କରି ଆୟୋଗର ଅଧ୍ୟକ୍ଷା ଡ. ମିନତୀ ବେହେରା କହିଲେ ଆୟୋଗ ଅଧୀନରେ ପଞ୍ଚୀକୃତ ହୋଇଥିବା ୭୨୨୯୯ଟି କେଶ୍‌ ମଧ୍ୟରୁ ୬୨୩୦୩ଟି କେଶ୍‌ରର ସମାଧାନ ହୋଇଥିବାବେଳେ ୯୯୯୬ଟି କେଶ୍‌ର ଶୁଣାଣି ଚାଲୁ ରହିଛି । ଏହା ବ୍ୟତୀତ ବିଭିନ୍ନ ସମ୍ବେଦନଶୀଳ ଘଟଣାଗୁଡ଼ିକରେ ମହିଳା ଆୟୋଗ ସ୍ୱତଃପ୍ରବୃତ୍ତ ଭାବେ କେଶ୍‌ ଗ୍ରହଣ କରି ମହିଳାମାନଙ୍କର ଅଧିକାର ଓ ସ୍ୱାର୍ଥକୁ ବଜାୟ ରଖିବାରେ ପ୍ରଚେଷ୍ଟା ଜାରି ରଖିଥାନ୍ତି ।

ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଜାତୀୟ ମହିଳା ଆୟୋଗର ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ନିର୍ଯାତିତା ମହିଳାମାନଙ୍କୁ ଗୋଟିଏ ଛାତତଳେ ଆଇନ ପରାମର୍ଶ, ଡାକ୍ତରୀ ଚିକିତ୍ସା, ମାନସିକ ପରାମର୍ଶ ଯୋଗାଇଦେବା ନିମନ୍ତେ ‘ୱାନ୍‌ଷ୍ଟପ୍‌ ସେଣ୍ଟର-ସଖୀ’ ଏକ ସମୟୋପଯୋଗୀ ପରିକଳ୍ପନା । ଏହାର ପରିଚାଳନା ଦିଗରେ ମାର୍ଗଦର୍ଶନ ନିମନ୍ତେ ଆୟୋଗ ଦ୍ୱାରା କର୍ମଶାଳା ଆୟେଜନର ସେ ପ୍ରଶଂସା କରିଥିଲେ ।

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ନିତ୍ୟାନନ୍ଦ ବାରିକ୍‌ ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଥିବା ୱାନ୍‌ଷ୍ଟପ୍‌ ସେଣ୍ଟର ସୁପରିଚାଳନା ସଂପର୍କରେ ସୂଚନା ଦେଇଥିଲେ । ଲକ୍ଷ୍ନୌରୁ ଆସିଥିବା ଅଭିଜ୍ଞ ସଖୀ ପରିଚାଳିକା ଅର୍ଚ୍ଚନା ସିଂ ସଖୀର ଉତ୍ତମ ପରିଚାଳନା ଓ କାର୍ଯ୍ୟକାରିତା ଉପରେ ଦିଗ୍‌ଦର୍ଶନ ଦେଇଥିଲେ ।

ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ନିଜ ନିଜ କର୍ମକ୍ଷେତ୍ରରେ ସଫଳତା ହାସଲ କରିଥିବା ଅଗ୍ରଣୀ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ମହିଳାମାନଙ୍କୁ ହିଂସାମୁକ୍ତ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହିଳା ଆୟୋଗର ମୁଖପତ୍ର ‘ହସ ଫୁଟିଲା ଓ ପରିବାର ତିଷ୍ଠିଲା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଆୟୋଗର ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ଜଲିନା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020