୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

୨୦୦ ଗ୍ରାମ ପେଟ୍ରୋଲରେ ଗୁଇନ୍ଦା ସୂଚନା


ରାଜଧାନୀରେ ଗୁଇନ୍ଦା ସୂଚନା ସଂଗ୍ରହ ପାଇଁ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ଦିନକୁ ମିଳୁଛି ୨୦୦ ଗ୍ରାମ୍‍ରୁ କମ୍‍ ପେଟ୍ରୋଲ । କଥାଟି ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ୍ୟ । ଏତିକି ପରିମାଣର ପେଟ୍ରୋଲ ନିଜ ଗାଡ଼ିରେ ପକାଇ କର୍ମଚାରୀମାନେ କିଭଳି ସହରର ଏମୁଣ୍ଡ ସେମୁଣ୍ଡ ବୁଲି ଖବର ସଂଗ୍ରହ କରିବେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି ।

କମିଶନରେଟ୍‍ ପୋଲିସ ଅଞ୍ଚଳରେ ଗୁଇନ୍ଦା ଖବର ସଂଗ୍ରହ ପାଇଁ ପୋଲିସ କର୍ମଚାରୀମାନେ ନିୟୋଜିତ ଅଛନ୍ତି । ସରକାର ଏମାନଙ୍କୁ ଏବେ ମାସକୁ ୫ ଲିଟର ପେଟ୍ରୋଲ ଯୋଗାଉଛନ୍ତି । ପୂର୍ବରୁ ୩ ଲିଟର ପେଟ୍ରୋଲ ମିଳୁଥିବା ବେଳେ କର୍ମଚାରୀଙ୍କ ଅସନ୍ତୋଷକୁ ଦେଖି ଏହାକୁ ୫ ଲିଟରକୁ ବୃଦ୍ଧି କରିଛନ୍ତି । କର୍ମଚାରୀମାନେ ନିଜ ନିଜ ଗାଡ଼ିରେ ଏତିକି ତେଲ ପକାଇ କିଭଳି ଖବର ସଂଗ୍ରହ କରିବେ ତାହା ଜାଣିପାରୁନାହାନ୍ତି ।

ଗୁଇନ୍ଦା ସୂଚନା ସଂଗ୍ରହ ଦାୟିତ୍ୱରେ ଥିବା କିଛି ପୂର୍ବତନ ପୋଲିସ କର୍ମଚାରୀ କହିଛନ୍ତି ଯେ ରାଜଧାନୀରେ ଏହି କାର୍ଯ୍ୟ ଲାଗି ଦିନକୁ ଅତିକମ୍‍ରେ ୭୦ରୁ ୧୦୦ କିଲୋମିଟର ବୁଲିବାକୁ ପଡ଼ିଥାଏ । ଗୁଇନ୍ଦା ସୂଚନା ସଂଗ୍ରହ ସହିତ କର୍ମଚାରୀମାନେ ପୋଲିସ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ପର୍ବପର୍ବାଣୀର କାର୍ଡ ବି ବାଣ୍ଟିଥାନ୍ତି । ତେଣୁ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଏମାନେ ସହରର ସାରା ଘୂରି ବୁଲୁଥିବା ବେଳେ କର୍ତ୍ତୃପକ୍ଷ ସେମାନଙ୍କୁ କାହିଁକି ୨୦୦ ଗ୍ରାମ୍‍ର ତେଲ ଯୋଗାଉଛନ୍ତି ତାହା ଜଣାପଡ଼ୁନାହିଁ ।

ଟ୍ରାଫିକ୍‍ ଦାୟିତ୍ୱ ସମ୍ଭାଳିବା ଲାଗି କମିଶନରେଟ୍‍ ପୋଲିସ ମାଳ ମାଳ ଦୁଇଚକିଆ ଯାନ ଆଣୁଛନ୍ତି । ହେଲେ ଗୁଇନ୍ଦା ସୂଚନା ସଂଗ୍ରହ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ଗାଡ଼ି ଯୋଗାଯାଉନାହିଁ କି ସେମାନଙ୍କ ଗାଡ଼ିର ରକ୍ଷଣାବେକ୍ଷଣ ଲାଗି ଅର୍ଥ ମିଳୁନାହିଁ । ଫଳରେ ଗୁଇନ୍ଦା ସୂଚନା ସଂଗ୍ରହ ପାଇଁ କର୍ମଚାରୀଙ୍କ ମଧ୍ୟରେ ଯେଭଳି ଆଗ୍ରହ ପ୍ରକାଶ ପାଇବା କଥା ତାହା ହେଉନାହିଁ ।

ସେହିଭଳି ଏହି ଦାୟିତ୍ୱରେ ଥିବା କର୍ମଚାରୀମାନେ କୌଣସି ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହେଲେ ସେମାନଙ୍କ ଲାଗି ୨୦ ହଜାର ଟଙ୍କାର ସହାୟତା ବ୍ୟବସ୍ଥା ରହିଛି । ତେବେ କିଛି କର୍ମଚାରୀଙ୍କ କହିବା କଥା ଯେ କୌଣସି କାରଣରୁ ଯଦି ସେମାନେ ଦୁର୍ଘଟଣାର ଶିକାର ହୁଅନ୍ତି ତେବେ ଘରୋଇ ଡାକ୍ତରଖାନାରେ ଦାଖଲ ପାଇଁ ଏହାଠାରୁ ଅଧିକ ଅର୍ଥ ଆବଶ୍ୟକ ପଡ଼ିବ ।

ରାଜଧାନୀରେ ଏବେ ପ୍ରତିଦିନ ଚୋରି ଡକାୟତି ସହ ଗଣ୍ଡଗୋଳ ଓ ମାଡ଼ିପିଟ୍‍ ଭଳି ଆଇନ୍‍ଶୃଙ୍ଖଳା ପରିସ୍ଥିତି ଘଟୁଥିବା ବେଳେ ଗୁଇନ୍ଦା ସୂଚନା ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଉଛି । ହେଲେ ସୂଚନା ସଂଗ୍ରହ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ଏଭଳି ଅବସ୍ଥା ଦେଖିଲା ପରେ କର୍ତ୍ତୃପକ୍ଷଙ୍କ ନିକଟରେ ଗୁଇନ୍ଦା ସୂଚନା କିଭଳି ପହଞ୍ଚୁଥିବ ଓ ଦାୟିତ୍ୱରେ ଥିବା କର୍ମଚାରୀମାନେ କେତେ ଆଗ୍ରହରେ କାମ କରୁଥିବେ ତାହା ସହଜରେ ଅନୁମେୟ । ଆଇନ୍‍ ଶୃଙ୍ଖଳା ରକ୍ଷା ଦିଗରେ ଗୁଇନ୍ଦା ସୂଚନା ସଂଗ୍ରହର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା କରିବା ସହିତ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ବୀମାଭୁକ୍ତ କରିବା ଲାଗି ଅବସରପ୍ରାପ୍ତ ପୋଲିସ ଅଧିକାରୀମାନେ ମତ ଦେଉଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020