୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ପଲିଥିନ୍‍ ଯୁଦ୍ଧରେ ସରକାର ପରାହତ


ରାଜ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦେଇଥିବା ସରକାର ଏବେ ଏଥିରେ ପରାହତ । କଟକଣାର ତିନିମାସ ପରେ କାହାରି ବିରୁଦ୍ଧରେ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ପୂର୍ବଭଳି ବେଧଡକ ଭାବେ ପଲିଥିନ୍‍ କାରବାର ହେଉଛି ।

ଗାନ୍ଧୀଜୟନ୍ତୀରୁ ଓଡିଶା ସମେତ ସମଗ୍ର ଦେଶରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ କଟକଣା ଜାରି ହୋଇଛି । ୫୦ ମାଇକ୍ରୋନରୁ କମ୍‍ ମାନର ପ୍ଲାଷ୍ଟିକ ବ୍ୟବହାର ହୋଇପାରିବନାହିଁ ବୋଲି ସ୍ପଷ୍ଟଭାବେ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେପ୍ଟେମ୍ବର ୩୦ ତାରିଖରେ ପ୍ଲାଷ୍ଟିକ କଟକଣା ବିଜ୍ଞପ୍ତି ଜାରି କରିଥିଲେ । ଏଥିରେ ସ୍ପଷ୍ଟଭାବେ କୁହାଯାଇଥିଲା ଯେ ୫୦ ମାଇକ୍ରନରୁ କମ୍‍ ମାନର ପ୍ଲାଷ୍ଟିକ ପ୍ରସ୍ତୁତି, ମହଜୁଦ, ବିକ୍ରି ଓ ବ୍ୟବହାର ଦଣ୍ଡନୀୟ । କଟକଣା କାର୍ଯ୍ୟକାରୀ କରିବାପାଇଁ ନୋଡାଲ ବିଭାଗ ଭାବେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗକୁ ଦାୟିତ୍ୱ ଦିଆଯାଇଛି ।

ହେଲେ କଟକଣାର ତିନିମାସ ପରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । କାହା ବିରୁଦ୍ଧରେ ସେଭଳି କିଛି ଆଖିଦୃଶିଆ ଦଣ୍ଡବିଧାନ ହେଉନଥିବା ଯୋଗୁଁ କଟକଣାକୁ କେହି ମାନୁ ନାହାନ୍ତି । କର୍ତ୍ତୃପକ୍ଷ କେବଳ ମଝିରେ ମଝିରେ ଚଢଉ କରି ପୁଳା ପୁଳା ପଲିଥିନ୍‍ ମୁଣା ଜବତ କରି ତାହାକୁ ଗଣମାଧ୍ୟମରେ ପ୍ରଦର୍ଶନ କରୁଛନ୍ତି । ହେଲେ ଜବତ ହେଉଥିବା ଦୋକାନର ଲାଇସେନ୍ସ ରଦ୍ଦ ହେଉନାହିଁ କି କାହାରି ବିରୁଦ୍ଧରେ ଜେଲ୍‍ ଜୋରିମାନା ଦଫା ବି ଲାଗୁନାହିଁ । ଫଳରେ ଦିନ କେଇଟା ପରେ ସମ୍ପୃକ୍ତ ବ୍ୟବସାୟୀ ପୁଣିଥରେ ତାଙ୍କର ଜରିମୁଣା କାରବାର ଆରମ୍ଭ କରିଦେଉଛନ୍ତି ।

ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଥିବା ପୌରସଂସ୍ଥା ଗୁଡିକ ବି ଏଥିରେ ହାରିଯାଇଛନ୍ତି । କଟକଣା ଜାରି ହେବା ପରେ ପରେ ବିଏମ୍‍ସି ସମେତ କିଛି ସଂସ୍ଥା ମଧ୍ୟ ରାସ୍ତାଘାଟରେ ପ୍ଲାଷ୍ଟିକ ସଂଗ୍ରହ ପାଇଁ କ୍ୟାମ୍ପ ଖୋଲି ବସିଥିଲେ । ହେଲେ ଏବେ ତାହା ଦେଖାଯାଉନାହିଁ । ରାଜ୍ୟର ଅନ୍ୟ ପୌରାଞ୍ଚଳ ତ ଦୂରରକଥା ଖୋଦ ରାଜଧାନୀରେ କିଭଳି ଜରିମୁଣା କାରବାର ହେଉଛି ତାହା ଯେ କେହି ଏକାମ୍ରକାନନରେ ଅନୁଷ୍ଠିତ ପୁଷ୍ପ ପ୍ରଦର୍ଶନୀ ସ୍ଥାନକୁ ଗଲେ ଦେଖିପାରିବ । ପ୍ରଦର୍ଶନୀ ପରେ ଏଠାରେ ପଲିଥିନ୍‍ ଗୁଡିକ ଗଦାହୋଇ ରହିଛି ।

ସେହିଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଅଭାବରୁ ହାଟ ବଜାର ସବୁଆଡେ ପଲିଥିନ୍‍ ଏବେ ପୂର୍ବଭଳି କାରବାର ହେଉଛି । ବ୍ୟବସାୟୀମାନେ ଅତ୍ୟନ୍ତ ନିମ୍ନମାନର ପଲିଥିନ୍‍ ଆଣି ସେଥିରେ ସାମଗ୍ରୀ ସବୁ ବିକ୍ରିବଟା କରୁଛନ୍ତି । ସମସ୍ତେ ଏହା ଦେଖୁଥିଲେ ବି ଏକ ପ୍ରକାର ନିରବ ସମର୍ଥନ ଦେଉଛନ୍ତି । ପରିବେଶ ଉପରେ ପଲିଥିନ୍‍ର କୁପ୍ରଭାବ ଯୋଗୁଁ ନିମ୍ନମାନର ପଲିଥିନ୍‍ ନିଷେଧ ପାଇଁ ଗ୍ରିନ୍‍ ଟ୍ରିବ୍ୟୁନାଲ ବାରମ୍ବାର ନିର୍ଦ୍ଦେଶ ଦେଉଛନ୍ତି । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସେଠାରେ ବାରମ୍ବାର କାକୁତି ମିନତି ବି ହେଉଛନ୍ତି ।

ହେଲେ ଜାରି ହୋଇଥିବା ବିଜ୍ଞପ୍ତିକୁ ଠିକଣା ଭାବେ ପାଳନ କରାଯାଉ ନଥିବାରୁ ଏକକ ବ୍ୟବହୃତ ପଲିଥିନ ବଜାରରୁ ହଟିବା ତ ଦୂରରକଥା ବରଂ ପୂର୍ବାପେକ୍ଷା ଏବେ ଅଧିକ ପରିମାଣରେ ଆସିବାରେ ଲାଗିିଛି । ଏହାକୁ ଦେଖିଲାପରେ ପଲିଥିନ୍‍ ଯୁଦ୍ଧରେ ରାଜ୍ୟ ସରକାର ଏକ ପ୍ରକାର ହାରିଯାଇଥିବା ଲକ୍ଷ୍ୟ କରାଯାଉଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020