ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  

ସମୁଦ୍ର ଜଳ ପ୍ରଦୂଷଣ କଲେ ମୋକଦ୍ଦମା


ସାମୁଦ୍ରିକ ଜଳ ପ୍ରଦୂଷଣ ପାଇଁ ଦାୟୀ ପୌର ସଂସ୍ଥାଗୁଡ଼ିକୁ ଦଣ୍ଡିତ କରିବା ଲାଗି ମୋକଦ୍ଦମା ରୁଜୁ କରିବାକୁ ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲ (ଏନ୍‍ଜିଟି) ନିର୍ଦ୍ଦେଶ ଦେଇଛନ୍ତି । ଏହା ଏବେ ରାଜ୍ୟର ବହୁ ପୌରସଂସ୍ଥାର ପ୍ରଶାସନିକ ଅଧିକାରୀମାନଙ୍କ ନିଦ ହଜାଇ ଦେଇଛି । ଏଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସମ୍ପୃକ୍ତ ଅଧିକାରୀଙ୍କୁ ଜେଲ୍‍ ଯିବାକୁ ପଡ଼ିବ ଓ ସେଥିଲାଗି ତାଙ୍କ ଚାକିରି ବି ଚାଲିଯିବ ।

ଜଣେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ୍‍.ଏସ୍‍ ଓବରେଇ ସାମୁଦ୍ରିକ ଜଳ ପ୍ରଦୂଷଣ ପ୍ରସଙ୍ଗରେ ଏନ୍‍ଜିଟିରେ ଏକ ମାମଲା ଦାୟର କରି ପ୍ରଦୂଷଣକାରୀଙ୍କ ଦୌରାତ୍ମ୍ୟରୁ ଉପକୂଳ ସମେତ ସାମୁଦ୍ରିିକ ସମ୍ପଦକୁ ସୁରକ୍ଷା ଲାଗି ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ମାମଲାର ବିସ୍ତୃତ ଶୁଣାଣି କରି ଏନ୍‍ଜିଟି ଏଭଳି ଚେତାବନୀ ଦେଇଛନ୍ତି ।

ଏନ୍‍ଜିଟିର ମୁଖ୍ୟ ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୫ ଜଣିଆ ଖଣ୍ଡପୀଠ ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ଏହି ନିର୍ଦ୍ଦେଶନାମା ମଧ୍ୟ ପଠାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୦ ଏପ୍ରିଲ ମାସରେ ହେବାକୁ ଥିବାରୁ ଏବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଉପକୂଳବର୍ତ୍ତୀ ଓଡ଼ିଶାର ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥାମାନେ ତତ୍ପର ହୋଇ ଉଠିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ନିକଟରେ ସୁପ୍ରିମ୍‍କୋର୍ଟ ଅନୁରୂପ ଏକ ମାମଲାରେ ଜଳ ପ୍ରଦୂଷଣକାରୀ ପୌରସଂସ୍ଥାଗୁଡ଼ିକ ବିରୋଧରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶର ପ୍ରତିପାଳନ କେଉଁ ରାଜ୍ୟରେ କିପରି ହୋଇଛି ସେ ସଂକ୍ରାନ୍ତରେ ସମ୍ପୃକ୍ତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମାସକ ମଧ୍ୟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ବିସ୍ତୃତ ରିପୋର୍ଟ ଦେବେ । ଯେଉଁମାନେ ଧାର୍ଯ୍ୟ ସମୟ ମଧ୍ୟରେ ଏହି ରିପୋର୍ଟ ଦାଖଲ ନ କରିବେ ସେମାନଙ୍କଠାରୁ ରିପୋର୍ଟ ମିଳିବା ପର୍ଯ୍ୟନ୍ତ ମାସକୁ ୧୦ ଲକ୍ଷ ଟଙ୍କା କରି କ୍ଷତିପୂରଣ ରାଶି ଆଦାୟ କରାଯିବ ବୋଲି ଏନ୍‍ଜିଟି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ।

ସମୁଦ୍ର ଜଳ ପ୍ରଦୂଷଣର ପ୍ରାୟ ୮୦ ପ୍ରତିଶତ ଶଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟବସ୍ତୁ, କୃଷି କ୍ଷେତ୍ରରେ ପ୍ରୟୋଗ କରାଯାଉଥିବା ରାସାୟନିକ ଓ କୀଟନାଶକ ଏବଂ ସହରାଞ୍ଚଳର ନାଳ ନର୍ଦ୍ଦମା ଯୋଗୁ ଘଟୁଛି । ବହୁ ସ୍ଥାନରେ ନର୍ଦ୍ଦମା ଜଳ ବିଶୋଧନ ନ କରି ଛାଡ଼ି ଦିଆଯିବା ଫଳରେ ନଦୀ ଓ ସମୁଦ୍ରର ଜଳ ପ୍ରଦୂଷିତ ହେଉଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ଅନ୍ୟୁନ ୩୫୧ଟି ସ୍ଥାନରେ ନଦୀଜଳର ପ୍ରଦୂଷଣ ବଢ଼ୁଛି ଯାହାକି ସାମୁଦ୍ରିକ ଜଳ ପ୍ରଦୂଷଣର ଅନ୍ୟତମ କାରଣ । ଏହା ରୋକିବା ପାଇଁ ଜାତୀୟ ଓ ରାଜ୍ୟ ସ୍ତରରେ କୋଷ୍ଟାଲ ଜୋନ୍‍ ମ୍ୟାନେଜ୍‍ମେଣ୍ଟ ଅଥୋରିଟି ଗଠନ କରାଯାଇଥିଲେ ମଧ୍ୟ ସମୁଦ୍ର ଜଳ ପ୍ରଦୂଷଣମୁକ୍ତ ହୋଇପାରୁନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ଭାରତର ୭୫୫୫ କିମି ଦୈର୍ଘ୍ୟର ବେଳାଭୂମି ରହିଛି ଯାହା ନିକଟରେ ୬୩ ନିୟୁତରୁ ଅଧିକ ଲୋକ ବସବାସ କରୁଛନ୍ତି । ମୁମ୍ବାଇ, କୋଲକାତା, ଚେନ୍ନାଇ, କୋଚ୍ଚି, ବିଶାଖାପାଟନମ୍‍ ଭଳି ୭୭ଟି ବଡ଼ ସହର ମଧ୍ୟ ସମୁଦ୍ର ଉପକୂଳରେ ରହିଛି । ସଂଖ୍ୟାଧିକ ପୌରାଞ୍ଚଳରୁ ନିର୍ଗତ ବର୍ଜ୍ୟବସ୍ତୁ ସମୁଦ୍ର ଜଳକୁ ପ୍ରଦୂଷିତ କରିବା ଫଳରେ ଉପକୂଳ ଅଞ୍ଚଳ ଦୂଷିତ ହେଉଛି, ମାଛ, କଙ୍କଡ଼ା ଆଦି ଉତ୍ପାଦନ କମୁଛି ଏବଂ ଏହାର ପ୍ରଭାବରେ ହେନ୍ତାଳ ବଣ ମଧ୍ୟ ନଷ୍ଟ ହେଉଛି । ଏ ପରିପ୍ରେକ୍ଷୀରେ ସୁପ୍ରିମ୍‍କୋର୍ଟ ଠାରୁ ଆରମ୍ଭ କରି ବିଭିନ୍ନ ହାଇକୋର୍ଟ ଉଦ୍‍ବେଗ ପ୍ରକାଶ କରିଆସୁଥିବା ବେଳେ ଏନ୍‍ଜିଟି ପରିସ୍ଥିତିରେ ସୁଧାର ଆଣିବା ପାଇଁ ଦୃଢ଼ ପଦକ୍ଷେପ ପାଇଁ ଚେତାଇ ଦେଇଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020