ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ନିଅଣ୍ଟ ପଡିବ ମହାନଦୀ ଜଳ


ଆଉ ୩୦ ବର୍ଷ ପରେ ସମୁଦ୍ରକୁ ବୋହିଯିବା ପାଇଁ ମହାନଦୀରେ ଟୋପାଏ ପାଣି ନ ଥିବ । ନଦୀରେ ଥିବା ଜଳ ଆବଶ୍ୟକତାକୁ ନିଅଣ୍ଟିଆ ପଡିବ । କେବଳ ମହାନଦୀ ନୁହେଁ ରାଜ୍ୟର ପ୍ରାୟ ସମସ୍ତ ବଡ଼ ବଡ଼ ନଦୀର ଏହି ଅବସ୍ଥା ସୃଷ୍ଟି ହେବ ।

ସରକାରୀ ଆକଳନ ଅନୁଯାୟୀ ମହାନଦୀରେ ପ୍ରବାହିତ ହେଉଥିବା ଜଳ ମଧ୍ୟରୁ ଏବେ ସମୁଦ୍ରକୁ ୨୬ହଜାର ନିୟୁତ କ୍ୟୁବିକ ମିଟରରୁ ଅଧିକ ଜଳ ବୋହି ଯାଉଛି । ମହାନଦୀ ଜଳ ମଧ୍ୟରୁ ୧୧,୦୭୯ ନିୟୁତ କ୍ୟୁବିକ ମିଟର ଚାଷ କାର୍ଯ୍ୟରେ ଲାଗୁଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ୧୧୨, ଶିଳ୍ପ ପାଇଁ ୮୯୭ ଓ ପରିବେଶ ପାଇଁ ୧୦,୪୭୭ ନିୟୁତ କ୍ୟୁବିକ ମିଟର ଜଳ ଆବଶ୍ୟକ ହେଉଛି । ତେବେ ମୋଟ ଆବଶ୍ୟକ ହେଉଥିବା ଜଳ ମଧ୍ୟରୁ ସମୁଦ୍ରକୁ ବୋହି ଯାଉଥିବା ଜଳର ପରିମାଣ ଅଧିକ ରହିଛି ।

ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ବଂଶଧାରା, ବୁଢ଼ାବଳଙ୍ଗ, କୋଲାବ, ଇନ୍ଦ୍ରାବତୀ, ନାଗାବଳୀ ଓ ସୁବର୍ଣ୍ଣରେଖାର ୫୧ ହଜାର ନିୟୁତ କ୍ୟୁବିକ ମିଟରରୁ ଅଧିକ ବଳକା ଜଳ ସମୁଦ୍ରକୁ ବୋହି ଯାଉଛି । ଏହିସବୁ ନଦୀଗୁଡ଼ିକର ଜଳ ମଧ୍ୟରୁ ସର୍ବସାଧାରଣଙ୍କ ବ୍ୟବହାର ଲାଗି ୨୮୪ ନିୟୁତ କ୍ୟୁବିକ ମିଟର ଜଳ ଆବଶ୍ୟକ ପଡ଼ୁଥିବା ବେଳେ ଚାଷ ପାଇଁ ୨୧,୭୯୩ ଓ ଶିଳ୍ପ ଲାଗି ୧୮୩୨ ନିୟୁତ କ୍ୟୁବିକ ମିଟର ଜଳ ଆବଶ୍ୟକ ହେଉଛି ।

ଆକଳନ ଅନୁଯାୟୀ ୨୦୫୦ ବର୍ଷ ବେଳକୁ ୧୧ଟି ପ୍ରମୁଖ ନଦୀରେ ୮୫,୮୯୧ ନିୟୁତ କ୍ୟୁବିକ ମିଟର ଜଳ ଉପଲବ୍ଧ ହେଉଥିବା ବେଳେ କୃଷି, ସାଧାରଣ ବ୍ୟବହାର, ଶିଳ୍ପ ଓ ପରିବେଶ ଆଦି ଲାଗି ଆବଶ୍ୟକ ଜଳର ପରିମାଣ ୮୧ ହଜାର ନିୟୁତ କ୍ୟୁବିକ ମିଟରରୁ ଅଧିକ ରହିବ । ତେଣୁ ଏହି ସମୟ ବେଳକୁ ସୁବର୍ଣ୍ଣରେଖା, ନାଗାବଳୀ, ଇନ୍ଦ୍ରାବତୀ, କୋଲାବ ଓ ବଂଶଧରାକୁ ଛାଡ଼ିଦେଲେ ଆଉ କୌଣସି ନଦୀରେ ବଳକା ଜଳ ରହିବ ନାହିଁ ।

ଏହି ସମୟ ବେଳକୁ ମହାନଦୀରେ ଉପଲବ୍ଧ ଜଳ ଆବଶ୍ୟକ ପୂରଣ କରିପାରିବ ନାହିଁ । ୨୦୫୦ ବେଳକୁ ମହାନଦୀରେ ୪୨,୨୧୦ ନିୟୁତ କ୍ୟୁବିକ ମିଟର ଜଳ ଉପଲବ୍ଧ ହେଉଥିବା ବେଳେ ଚାଷ, ସାଧାରଣ ବ୍ୟବହାର, ଶିଳ୍ପ ଓ ପରିବେଶ ପାଇଁ ସେତେବେଳେ ୪୨,୩୫୯ ନିୟୁତ କ୍ୟୁବିକ ମିଟର ଜଳ ଆବଶ୍ୟକ କରିବ ଯାହାକି ଉପଲବ୍ଧତାଠାରୁ ପ୍ରାୟ ୧୫୦ ନିୟୁତ କ୍ୟୁବିକ ମିଟର କମ୍‍ ରହିବ ।

ସେହିଭଳି ବ୍ରାହ୍ମଣୀରେ ଯେତିକି ଜଳ ପ୍ରବାହିତ ହେବ ତା’ଠାରୁ ପ୍ରାୟ ୩ହଜାର ନିୟୁତ କ୍ୟୁବିକ ମିଟର ଅଧିକ ଜଳ ଆବଶ୍ୟକ କରିବ । ରାଜ୍ୟରେ ଉପଲବ୍ଧ ହେଉଥିବା ମୁଣ୍ଡପିଛା ହାରାହାରି ଜଳ ପରିମାଣ ଦ୍ରୁତ ବେଗରେ ହ୍ରାସ ପାଉଥିବା ବେଳେ ମହାନଦୀ ଭଳି ପ୍ରମୁଖ ନଦୀଗୁଡ଼ିକରେ ୨୦୫୦ ବେଳକୁ ଯେଉଁ ଜଳାଭାବ ଦେଖାଦେବ ସେଥିଯୋଗୁ ମୁଣ୍ଡପିଛା ଜଳ ଉପଲବ୍ଧତା ଆହୁରି ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020