ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଖଣି ପାଇଁ ନୂଆ ଟେଣ୍ଡର


ସମୟ ଅବଧି ପୂରି ଯାଉଥିବା ୨୦ ଖଣିର ନିଲାମ ପାଇଁ ଅକ୍ଟୋବର ମାସରେ ଆରମ୍ଭ ହୋଇଥିବା ଟେଣ୍ଡର ପ୍ରକ୍ରିୟା ବାତିଲ ସହିତ ତୁରନ୍ତ ନୂତନ ପ୍ରକ୍ରିୟା ଆରମ୍ଭ ଲାଗି କୁହାଯାଇଛି । ଗତ ଅକ୍ଟୋବର ୪, ୧୪ ଓ ୧୮ ତାରିଖରେ ଏହିସବୁ ଖଣିର ନବୀକରଣ ଲାଗି ଟେଣ୍ଡର ହୋଇଥିଲା ।

ଉଲ୍ଲେଖନୀୟ ଯେ ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ରାଜ୍ୟରେ ଥିବା ୨୦ଟି ଲୁହାପଥର ଓ ମାଙ୍ଗାନିଜ ଖଣିର ଲିଜ୍‍ ଅବଧି ସରିଯାଉଛି । ତେଣୁ ଇସ୍ପାତ ଶିଳ୍ପର ଆବଶ୍ୟକତା ପୂରଣ ପାଇଁ ତୁରନ୍ତ ଅବଧି ସରୁଥିବା ଖଣିର ନବୀକରଣ ପାଇଁ କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି । ସମଗ୍ର ଦେଶରେ ମାର୍ଚ୍ଚ ୩୧ ସୁଦ୍ଧା ୨୫୦ରୁ ଅଧିକ ଖଣିର ଲିଜ୍‍ ଅବଧି ସରିଯାଉଥିବାବେଳେ ଏହାର ପ୍ରଭାବ ଇସ୍ପାତ ଶିଳ୍ପ ଉପର ପଡିବା ଜଳ ଜଳ ହୋଇ ଦିଶିଲାଣି ।

ତେଣୁ ଯେତେଶୀଘ୍ର ସମ୍ଭବ ଲିଜ୍‍ର ନବୀକରଣ ପାଇଁ କେନ୍ଦ୍ର ସରକାର କହିବାପରେ ରାଜ୍ୟ ସରକାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲେ । ଗତ ୩୦ ତାରିଖରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଆରମ୍ଭ ହୋଇଥିବା ଟେଣ୍ଡର ପ୍ରକ୍ରିୟା ବାତିଲ ସହିତ ଆବେଦନକାରୀମାନଙ୍କୁ ସେମାନଙ୍କ ବ୍ୟାଙ୍କ୍‍ ଗ୍ୟାରେଣ୍ଟି ଅର୍ଥ ଫେରସ୍ତ ଲାଗି କୁହାଯାଇଛି । ଏଥି ସହିତ ଆସନ୍ତା ୬ ତାରିଖରେ ନୂଆ ଟେଣ୍ଡର ପାଇଁ ବିଜ୍ଞାପନ ଦେବା ସହିତ ପ୍ରକ୍ରିୟା ଆରମ୍ଭ ଲାଗି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

କଞ୍ଚାମାଲ ଅଭାବକୁ ଦୃଷ୍ଟିରେ ରଖି ପ୍ରମୁଖ ଇସ୍ପାତ ଉତ୍ପାଦନକାରୀମାନେ ସମସ୍ୟାର ସମାଧାନ ଲାଗି ସାହଯ୍ୟ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ନିଜସ୍ୱ ଖଣି ନଥିବା ଇସ୍ପାତ କାରଖାନା ଗୁଡିକ ବଡ ଧରଣର ଲୁହାପଥର ଅଭାବର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଦେଶର ୭୦ ପ୍ରତିଶତ ଇସ୍ପାତ କାରଖାନାର ନିଜସ୍ୱ ଖଣି ନଥିବାବେଳେ ଏମାନେ ଲୁହାପଥର ଯୋଗାଣକାରୀଙ୍କ ଉପରେ ନିର୍ଭର କରନ୍ତି ।

ଆକଳନ ଅନୁଯାୟୀ ଖଣି ଲିଜ୍‍ ଅବଧି ଆସନ୍ତବର୍ଷ ମାର୍ଚ୍ଚ ୩୧ରେ ସରିବାପରେ ୫୦ନିୟୁତ ଟନ୍‍ ଲୁହାପଥରର ଅଭାବ ପରିଲକ୍ଷିତ ହେବ । ୨୦୨୦-୨୧ ବେଳକୁ ଏହି ଅଭାବ ଆହୁରି ଉକ୍ରଟ ସ୍ଥିତି ଧାରଣ କରିବ । ଦେଶ ଭିତରେ ଲୁହାପଥରର ଯୋଗାଣ ହ୍ରାସ ପାଇଲେ ଏହାର ଆମଦାନୀ ବଢିବ । ଏହା ଫଳରେ ଉତ୍ପାଦନ ଖର୍ଚ୍ଚ ବଢିବ ବୋଲି ଅଧିକାରୀମାନେ କହୁଛନ୍ତି ।

କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଓଡିଶା, ଗୋଆ, କର୍ଣ୍ଣାଟକ, ଛତିଶଗଡ ଏବଂ ଅନ୍ୟ ଖଣି ଭିତ୍ତିକ ରାଜ୍ୟ ଗୁଡିକୁ ଅନୁରୋଧ କରୁଥିବାବେଳେ ଇସ୍ପାତ କାରଖାନା ଗୁଡିକୁ ସହାୟତା ଲାଗି ଓଡିଶାକୁ ବାରମ୍ବାର ମନେ ପକାଇ ଦେଉଛନ୍ତି । ନିଲାମ ପ୍ରକ୍ରିୟା ସରିବାପରେ ବୈଧାନିକ ଅନୁମତି ପାଇବାପାଇଁ ଅଧିକ ସମୟ ଲାଗିଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏଭଳି ସ୍ଥିତିରେ ତୁରନ୍ତ ଯେଭଳି ଅନୁମତି ମିଳିପାରିବ କେନ୍ଦ୍ର ସରକାର ସେ ଦିଗରେ ଉଦ୍ୟମ ଜାରି ରଖିଥିବାବେଳେ ରାଜ୍ୟରେ ଆରମ୍ଭ ହୋଇଥିବା ଟେଣ୍ଡର ପ୍ରକ୍ରିୟା ବାତିଲ ସହିତ ତାହା ପୁଣିଥରେ ଆସନ୍ତା ୬ ତାରିଖରେ ଆରମ୍ଭ ହେବାକୁ ଯାଉଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019