ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ବିଏମ୍‍ସିରେ ଖୁସି ଫେଲ୍‍


ଖୁସି ଯୋଜନାରେ ରାଜ୍ୟ ସରକାର ଛାତ୍ରୀମାନଙ୍କ ଲାଗି ଯୋଗାଇଥିବା ସାନିଟାରୀ ନାପ୍‍କିନ୍‍ ଖୋଦ ରାଜଧାନୀରେ ବଣ୍ଟାଯାଇ ପାରୁନାହିଁ । ବଣ୍ଟନ ଦାୟିତ୍ୱରେ ଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) କର୍ତ୍ତୃପକ୍ଷଙ୍କ ଖାମଖଆଲି ମନୋଭାବ ଯୋଗୁଁ ହାତଗଣତି କେତୋଟି ବିଦ୍ୟାଳୟକୁ ଏହା ଯୋଗାଇବାପରେ ଚୁପ୍‍ହୋଇ ବସିଛନ୍ତି ।

ଷଷ୍ଠରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ରାଜ୍ୟର ପ୍ରାୟ ୧୭ଲକ୍ଷ ୨୫ହଜାର କିଶୋରୀମାନଙ୍କୁ ମାଗଣାରେ ସାନିଟାରୀ ନାପ୍‍କିନ୍‍ ଯୋଗାଣ ପାଇଁ ଗତବର୍ଷ ରାଜ୍ୟ ସରକାର ‘ଖୁସି’ ଯୋଜନା ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସରକାର ଏହାକୁ ଖରିଦ କରି ୩୧୯ଟି କେନ୍ଦ୍ରକୁ ବଣ୍ଟନ ପାଇଁ ପଠାଇଥିଲେ । ଏଥିରେ ୩୧୪ଟି ବ୍ଲକ ଓ ୫ଟି ମହାନଗର ନିଗମ ରହିଛି ।

ଏହିି ଯୋଜନାରେ ବିଦ୍ୟାଳୟରେ ଅଧ୍ୟୟନରତ କିଶୋରୀମାନଙ୍କୁ ମାଗଣାରେ ୧୮ଟି କରି ସାନିଟାରୀ ନାପ୍‍କିନ୍‍ ଯୋଗାଣ ବ୍ୟବସ୍ଥା ରହିଛି । ସରକାରଙ୍କର ଏହି ଫ୍ଲାଗସିପ୍‍ ଯୋଜନା ଲାଗି ବଜେଟ୍‍ରେ ୪୬୬ କୋଟି ଟଙ୍କାର ବ୍ୟବସ୍ଥା ବି ଅଛି । ନାପ୍‍କିନ୍‍ ଖରିଦ କରି ଯୋଗାଇବାର ଦାୟିତ୍ୱ ରହିଛି ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ଓଡିଶା ମେଡିକାଲ ନିଗମ ଉପରେ । ତଦନୁଯାୟୀ ନିଗମ କର୍ତ୍ତୃପକ୍ଷ ଗତ ମାର୍ଚ୍ଚ ମାସରେ ଟେଣ୍ଡର ଜରିଆରେ ମୋଟ୍‍ ୩୧୯ଟି କେନ୍ଦ୍ରକୁ ପଠାଇଛନ୍ତି ।

ଏହି କେନ୍ଦ୍ର ଗୁଡିକରୁ ସାନିଟାରୀ ନାପ୍‍କିନ୍‍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କର୍ତ୍ତୃପକ୍ଷ ନେଇ ବିଦ୍ୟାଳୟ ଓ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରୀଙ୍କୁ ବଣ୍ଟନ କରିବା କଥା । ୫ଟି ମହାନଗର ନିଗମରେ ଏହି ଦାୟିତ୍ୱ ନିଗମ କର୍ତ୍ତୃପକ୍ଷଙ୍କ ଉପରେ ରହିଛି । ହେଲେ ବିଏମ୍‍ସି କର୍ତ୍ତୃପକ୍ଷ କିନ୍ତୁ ଏହି ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି । ସରକାର ଯୋଗାଉଥିବା ନାପ୍‍କିନ୍‍ ଗୁଡିକୁ ଗ୍ରହଣ କରିବା ସହିତ ତାହାକୁ ଗୋଦାମରେ ପକାଇ ରଖୁଛନ୍ତି ।

ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ସରକାର ଏହା ଯୋଗାଣ କରିଥିଲେ ତାହା ପୂରଣ ହୋଇପାରୁ ନାହିଁ । ରାଜ୍ୟର ଗାଁ ଗହଳରେ ଛାତ୍ରୀମାନେ ୬ମାସ ଧରି ସାନିଟାରୀ ନାପ୍‍କିନ୍‍ ପାଉଥିବାବେଳେ ରାଜଧାନୀର ଛାତ୍ରୀମାନେ କିନ୍ତୁ ପାଇପାରୁ ନାହାନ୍ତି । ବିଏମ୍‍ସି ହାତରେ ବଣ୍ଟନ ଦାୟିତ୍ୱ ଥିବାରୁ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ବି ହାତଟେକି ଦେଇଛନ୍ତି । ଦୁଇ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଛାତ୍ରୀମାନେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।

ଇତି ମଧ୍ୟରେ ମେଡିକାଲ ନିଗମ କର୍ତ୍ତୃପକ୍ଷ ଦ୍ୱିତୀୟ ପର୍ଯ୍ୟାୟରେ ସାନିଟାରୀ ନାପ୍‍କିନ୍‍ ଖରିଦ ଲାଗି ଟେଣ୍ଡର ଆହ୍ୱାନ କରିଥିବା ଜଣାଯାଇଛି । ଖୁବ୍‍ଶୀଘ୍ର ଏହାକୁ ବିଭିନ୍ନ କେନ୍ଦ୍ରକୁ ପଠାଯିବ । ତେବେ ପୂର୍ବରୁ ବିଏମ୍‍ସି କର୍ତ୍ତୃପକ୍ଷ ସାନିଟାରୀ ନାପ୍‍କିନ୍‍ ଗୁଡିକୁ ଗଦାଇ ରଖିଥିବାବେଳେ ଏବେ ଅଧିକ ନାପ୍‍କିନ୍‍ କେଉଁଠି ରଖିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଜ୍ୟ ସରକାରଙ୍କ ଖୁସି ଯୋଜନା ଖୋଦ୍‍ ରାଜଧାନୀରେ ଫେଲ୍‍ ମାରିଥିବାବେଳେ କେନ୍ଦ୍ର ସରକାର ଇତି ମଧ୍ୟରେ ଜନ ଔଷଧି କେନ୍ଦ୍ର ଜରିଆରେ ଟଙ୍କିକିଆ ସାନିଟାରୀ ନାପ୍‍କିନ୍‍ ବିକ୍ରି ଆରମ୍ଭ କରିଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019