ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଗ୍ରାମ୍ୟ ବ୍ୟାଙ୍କକୁ ଟଙ୍କା ଦେବେ ସରକାର


ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ୨ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କକୁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଦେବେ । ଆସନ୍ତା ୪ ବର୍ଷ ପର୍ଯ୍ୟନ୍ତ ଆହୁରି ଅଧିକ ଅର୍ଥ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କକୁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ସହାୟତା କରୁଥିବା ବ୍ୟାଙ୍କ ମିଳିତ ଭାବେ ଅର୍ଥ ପ୍ରଦାନ କରିଥାନ୍ତି । ଓଡ଼ିଶାରେ କାର୍ଯ୍ୟ କରୁଥିବା ଉତ୍‍କଳ ଗ୍ରାମୀଣ ବ୍ୟାଙ୍କ ଓ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ପୁଞ୍ଜି ଆବଶ୍ୟକ କରୁଛନ୍ତି । ଉତ୍‍କଳ ଗ୍ରାମୀଣ ବ୍ୟାଙ୍କକୁ ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ ଅର୍ଥ ଯୋଗାଉଥିବା ବେଳେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଇଣ୍ଡିଆନ୍‍ ଓଭରସିଜ୍‍ ବ୍ୟାଙ୍କ ଅର୍ଥ ଦେଉଛି ।

ଉତ୍‍କଳ ଗ୍ରାମୀଣ ବ୍ୟାଙ୍କ ରାଜ୍ୟର ୧୭ଟି ଜିଲ୍ଲାରେ କାରବାର ଚଳାଇଥିବା ବେଳେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ୧୩ଟି ଜିଲ୍ଲାରେ କାର୍ଯ୍ୟ କରୁଛି । ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର କର୍ମଚାରୀମାନଙ୍କୁ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଆଧାରରେ ପେନସନ୍‍ ପ୍ରଦାନ ଲାଗି ସୁପ୍ରିମ୍‍କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ଅଧିକ ଅର୍ଥ ଆବଶ୍ୟକ ପଡ଼ୁଛି । ନାବାର୍ଡ ପକ୍ଷରୁ ଦୁଇ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କକୁ ସହାୟତା ଲାଗି ଆକଳନ କରାଯାଉଥିବା ବେଳେ ତଦନୁଯାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ଯୋଗାଇଦେବେ । ବର୍ତ୍ତମାନ ସୁପ୍ରିମ୍‍କୋର୍ଟ ଏହି ଗ୍ରାମ୍ୟ ବ୍ୟାଙ୍କର କର୍ମଚାରୀମାନଙ୍କୁ ପେନସନ୍‍ ପ୍ରଦାନ କରିବାକୁ ରାୟ ଦେଇଥିବାରୁ ସେଥିପାଇଁ ଆହୁରି ଅଧିକ ଅର୍ଥ ଆବଶ୍ୟକ ପଡ଼ୁଛି ।

ଆସନ୍ତା ୫ ବର୍ଷ ପାଇଁ ଗ୍ରାମୀଣ ବ୍ୟାଙ୍କ ପେନସନ୍‍ ବାବଦରେ କେତେ ଅର୍ଥ ବ୍ୟୟ କରିବେ ସେଥିପାଇଁ ନାବାର୍ଡ ଆକଳନ କରିଛି । ତଦନୁଯାୟୀ ଦୁଇ ଗ୍ରାମ୍ୟ ବ୍ୟାଙ୍କକୁ ଏ ବାବଦରେ ୧୯୬୧ କୋଟି ୩୭ ଲକ୍ଷ ଟଙ୍କା ସହାୟତା ଦେବାକୁ ପଡ଼ିବ । ଉତ୍‍କଳ ଗ୍ରାମୀଣ ବ୍ୟାଙ୍କ ୧୦୭୬ କୋଟି ୨୩ ଲକ୍ଷ ଟଙ୍କା ଆବଶ୍ୟକ କରୁଥିବା ବେଳେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆସନ୍ତା ୫ ବର୍ଷ ପାଇଁ ୮୮୫ କୋଟି ୧୪ ଲକ୍ଷ ଟଙ୍କା ଆବଶ୍ୟକ କରୁଛି । ଏହି ଅର୍ଥ ମଧ୍ୟରୁ କେନ୍ଦ୍ର ସରକାର ୫୦ ପ୍ରତିଶତ ଏବଂ ରାଜ୍ୟ ସରକାର ୧୫ ପ୍ରତିଶତ ଅର୍ଥ ବହନ କରିବେ । ଅବଶିଷ୍ଟ ୩୫ ପ୍ରତିଶତ ଅର୍ଥ ସହାୟତା ଯୋଗାଉଥିବା ବ୍ୟାଙ୍କମାନେ ଦେବେ ।

ରିଜର୍ଭ ବ୍ୟାଙ୍କର ଗାଇଡ୍‍ଲାଇନ୍‍ ଅନୁଯାୟୀ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କମାନେ ନିୟମିତ ବ୍ୟବଧାନରେ ସମୀକ୍ଷା କରିବା ସହିତ ସେମାନଙ୍କ ମୋଟ୍‍ ସମ୍ପତ୍ତିର ୯ ପ୍ରତିଶତ ମଧ୍ୟରେ ଯେଭଳି ‘ରିସ୍କ ଫ୍ୟାକ୍ଟର’ ରୁହେ ସେ ଦିଗରେ ଦୃଷ୍ଟି ଦେବେ । ପ୍ରତିବର୍ଷ ମାର୍ଚ୍ଚ ୩୧ ତାରିଖରେ କେଉଁ କେଉଁ ଆଞ୍ଚଳିିକ ଗ୍ରାମୀଣ ବ୍ୟାଙ୍କ ଏହି ନିୟମ ମାନିଛନ୍ତି ସେଗୁଡ଼ିକୁ ନାବାର୍ଡ ଚିହ୍ନଟ କରିଥାଏ । ୨୦୨୦-୨୧ରୁ ୨୦୨୩-୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପୁନଃପୁଞ୍ଜିଲଗାଣ ବାବଦ ସହାୟତା ଆକଳନ କରାଯାଇଥିବା ବେଳେ ଆର୍ଥିକ ବର୍ଷର ଫଳାଫଳକୁ ଦେଖି ଏଥିରେ ପରିବର୍ତ୍ତନ କରାଯାଇପାରେ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉଭୟ ଗ୍ରାମୀଣ ବ୍ୟାଙ୍କ ଲାଗି ୭୨୯ କୋଟି ୭ ଲକ୍ଷ ଟଙ୍କାର ପୁନଃପୁଞ୍ଜି ବିନିଯୋଗ ଆବଶ୍ୟକ ଥିବା ଆକଳନ କରାଯାଇଛି ।

ଉତ୍‍କଳ ଗ୍ରାମୀଣ ବ୍ୟାଙ୍କ ୫୦୮ କୋଟି ୭୪ ଲକ୍ଷ ଟଙ୍କା ଆବଶ୍ୟକ କରୁଥିବା ବେଳେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ୨୨୦ କୋଟି ୮୩ ଲକ୍ଷ ଟଙ୍କା ଆବଶ୍ୟକ କରୁଛି । କେନ୍ଦ୍ର ସରକାର ଏଥିରୁ ୩୬୪ କୋଟି ୫୩ ଲକ୍ଷ ଟଙ୍କା ଏବଂ ସହାୟତା ପ୍ରଦାନ କରୁଥିବା ବ୍ୟାଙ୍କଗୁଡ଼ିକ ୨୫୫ କୋଟି ୧୮ ଲକ୍ଷ ଟଙ୍କା ଦେବେ । ରାଜ୍ୟ ସରକାର ୧୦୯ କୋଟି ୩୬ ଲକ୍ଷ ଟଙ୍କା ଯୋଗାଇଦେବେ । ତେବେ ୨୦୨୦-୨୧ରୁ ୨୦୨୩-୨୪ ପର୍ଯ୍ୟନ୍ତ ଆବଶ୍ୟକ ଅର୍ଥର ଆକଳନ କରାଗଲେ ତଦନୁଯାୟୀ ରାଜ୍ୟ ସରକାର ତାଙ୍କର ଅଂଶଧନ ଯୋଗାଇଦେବେ ବୋଲି ଜଣାଯାଇଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019