ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଗ୍ରୀନ୍‍ ଫିଲ୍ଡ ଇସ୍ପାତ ପ୍ଲାଣ୍ଟ ଉପରେ ଗୁରୁତ୍ୱ


ଗ୍ରୀନ୍‍ ଫିଲ୍ଡ ଷ୍ଟିଲ୍‍ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଓଡ଼ିଶା ପ୍ରାକୃତିକ ସମ୍ପଦ ଆବଶ୍ୟକ କରୁଥିବା ବେଳେ ଅନୁରୂପ କାରଖାନା ପ୍ରତିଷ୍ଠା ଲାଗି ଇସ୍ପାତ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହିତ କରିବା ସକାଶେ କେନ୍ଦ୍ର ସରକାର ରାଜ୍ୟକୁ କହିଛନ୍ତି । କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ଗ୍ରୀନ୍‍ ଫିଲ୍ଡ ଷ୍ଟିଲ୍‍ ପ୍ଲାଣ୍ଟ ପାଇଁ ନୀତି ପ୍ରସ୍ତୁତ କରୁଥିବା ବେଳେ ଓଡ଼ିଶାରେ ଏଭଳି ଇସ୍ପାତ କମ୍ପେ୍ଲକ୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

କଳିଙ୍ଗ ନଗରଠାରେ ଦେଶର ପ୍ରଥମ ଇସ୍ପାତ ହବ୍‍ ନିର୍ମାଣ ହେବାକୁ ଯାଉଥିବା ବେଳେ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ଓଡ଼ିଶାକୁ ଏ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ୱ ଦେବା ସହିତ ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେବେ । ଦୀର୍ଘବର୍ଷ ଧରି ବିଭିନ୍ନ ଇସ୍ପାତ କାରଖାନାର ସମ୍ପ୍ରସାରଣ ଲାଗି ‘ବ୍ରାଉନ୍‍ ଫିଲ୍ଡ ରୁଟ୍‍’ରେ ହେଉଥିବା ବେଳେ ଓଡ଼ିଶାର ଗ୍ରୀନ୍‍ ଫିଲ୍ଡ ରୁଟ୍‍ରୁ ସଫଳତା ମିଳିଛି ଏବଂ ଭବିଷ୍ୟତରେ କେନ୍ଦ୍ର ସରକାର ଏଠାରେ ଗ୍ରୀନ୍‍ ଫିଲ୍ଡ ଇସ୍ପାତ କାରଖାନାକୁ ପ୍ରୋତ୍ସାହନ ଦେବେ ବୋଲି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ବର୍ତ୍ତମାନ ବାର୍ଷିକ ୯୯ ନିୟୁତ ମେଟ୍ରିକ ଟନ୍‍ ବିଶୋଧିତ ଇସ୍ପାତ (ଫିନିସଡ୍‍ ଷ୍ଟିଲ୍‍)ର ଆବଶ୍ୟକ ଥିବା ବେଳେ ଅଶୋଧିତ ଇସ୍ପାତ (କ୍ରୁଡ୍‍ ଷ୍ଟିଲ୍‍)ର ଉତ୍ପାଦନ ବାର୍ଷିକ ୧୪୨ ନିୟୁତ ମେଟ୍ରିକ୍‍ ଟନ୍‍କୁ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗ୍‍ଦର୍ଶନରେ ଭାରତ ୫ ଟ୍ରିଲିୟନ୍‍ ଡଲାର ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଥିବା ବେଳେ ୨୦୨୪-୨୫ ସୁଦ୍ଧା ଦେଶରେ ବାର୍ଷିକ ଇସ୍ପାତ ବ୍ୟବହାର ୧୬୦ ନିୟୁତ ମେଟ୍ରିକ୍‍ ଟନ୍‍କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ମେକ୍‍ ଇନ୍‍ ଇଣ୍ଡିଆ, ହାଉସିଂ ଫର୍‍ ଅଲ୍‍, ଜଲ ଜୀବନ ମିଶନ୍‍ ଆଦି ଯୋଜନା ଅଧିକରୁ ଅଧିକ ଇସ୍ପାତ ବ୍ୟବହାର ହେବ ।

ବର୍ତ୍ତମାନ ଦେଶରେ ଥିବା ଇସ୍ପାତ ଉତ୍ପାଦନକାରୀମାନେ ଆଉ ୩୦ ନିୟୁତ ମେଟ୍ରିକ୍‍ ଟନ୍‍ ଅଧିକ ଉତ୍ପାଦନ କରିବାର ଆଶା ରହିଛି । ଏହି ଉତ୍ପାଦନ ବୃଦ୍ଧି ଲାଗି ୧ ଲକ୍ଷ କୋଟି ଟଙ୍କା ବିନିଯୋଗରେ ଗ୍ରୀନ୍‍ ଫିଲ୍ଡ ଇସ୍ପାତ କାରଖାନାର ଆବଶ୍ୟକ ରହିିଛି । ଓଡ଼ିଶାରେ ଗ୍ରୀନ୍‍ ଫିଲ୍ଡ ଷ୍ଟିଲ୍‍ କାରଖାନା ମାଧ୍ୟମରେ ୪ ମିଲିୟନ୍‍ ଟନ୍‍ ଇସ୍ପାତ ଉତ୍ପାଦନପାଇଁ ଅନୁମତି ଦେଲେ ରାଜ୍ୟ ଲାଭରେ ରହିବ । ଗୋଟିଏ ମିଲିୟନ୍‍ ଟନ୍‍ ଇସ୍ପାତ ଉତ୍ପାଦନ ପାଇଁ ୬ ହଜାର କୋଟି ଟଙ୍କା ବିନିଯୋଗ ହେବ । ଏହି କାରଖାନା ପ୍ରତିଷ୍ଠା ହେବା ଦ୍ୱାରା ମୋଟ୍‍ ଘରୋଇ ଉତ୍ପାଦନ (ଜିଡିପି) ବୃଦ୍ଧି ସହ ଅଧିକ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ହେବ ।

ଗ୍ରୀନ୍‍ ଫିଲ୍ଡ ଇସ୍ପାତ କାରଖାନା ନୀତି ଦ୍ୱାରା ବଡ଼ ବଡ଼ ପୁଞ୍ଜିନିବେଶକାରୀମାନେ ଆସିପାରିବେ । ସେମାନେ ସମ୍ମୁଖୀନ ହେଉଥିବା ୪ଟି ସମସ୍ୟାର ସମାଧାନ ହୋଇପାରିବ । ଏହି ନିବେଶକାରୀମାନେ ମାଗଣା ଜମି ଚାହୁଁଥିବା ବେଳେ ସେମାନଙ୍କୁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ତାହା ଯୋଗାଇଦେବ । ଦ୍ୱିତୀୟରେ ସଡ଼କ, ଜଳ, ବିଦ୍ୟୁତ୍‍ ଏବଂ ଅନ୍ୟାନ୍ୟ ଭିତ୍ତିୂଭମି ଆବଶ୍ୟକ ପଡ଼ୁଥିବା ବେଳେ ଏହା ସରକାରଙ୍କ ନିୟନ୍ତ୍ରଣରେ ରହୁଛି । ବଜାରରେ ପ୍ରତିଯୋଗିତାମୂଳକ ଦରରେ ଦୀର୍ଘମିଆଦି ସୂତ୍ରରେ ଲୁହାପଥର ଯୋଗାଇଦେବା କେନ୍ଦ୍ର ସରକାରଙ୍କ ଅଧିନରେ ଅଛି ।

ସେହିଭଳି ବିଭିନ୍ନ ବୈଧାନିକ ଅନୁମତି ପ୍ରଦାନ କ୍ଷେତ୍ରରେ ବିଳମ୍ବ ହେଉଥିବା ବେଳେ ଗ୍ରୀନ୍‍ ଫିଲ୍ଡ ପ୍ରକଳ୍ପ ପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିବା ଜରୁରୀ ହୋଇପଡ଼ଛି । ଗ୍ରୀନ୍‍ ଫିଲ୍ଡ ଇସ୍ପାତ ନୀତିରେ ଏହିସବୁ ବ୍ୟବସ୍ଥା ହେବାକୁ ଯାଉଥିବା ବେଳେ ଏଥିରେ ରାଜ୍ୟ ସରକାରଙ୍କ ପ୍ରମୁଖ ଦାୟିତ୍ୱ ରହିଛି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019