ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ନୀଳାଚଳ ଇସ୍ପାତକୁ ୭୦୦ କୋଟି ଲୋଡ଼ା


ରାଜ୍ୟ ସରକାରଙ୍କ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‍ (ଏନ୍‍ଆଇଏନ୍‍ଏଲ୍‍) ଏବେ ଏକପ୍ରକାର କୋମାରେ । ଏହି ସଂସ୍ଥା ବଞ୍ଚିବ ନା ଡୁବିବ ସେଥିଘେନି ଦୋଛକିରେ ଅଛି । ଉକ୍ତ ଉଦ୍ୟୋଗକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଅନ୍ୟୁନ ୭୦୦ କୋଟି ଟଙ୍କା ଆବଶ୍ୟକ ପଡ଼ୁଛି ।

ରାଜ୍ୟ ସରକାରଙ୍କ ଇସ୍ପାତ ଉତ୍ପାଦନକାରୀ ଏହି ସଂସ୍ଥାକୁ ବଞ୍ଚାଇ ରଖିବା ପାଇଁ ତୁରନ୍ତ ୨୫୦ କୋଟି ଟଙ୍କା ଯୋଗାଇ ଦେବାକୁ ନୀଳାଚଳ ଇସ୍ପାତ ନିଗମ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି । ଏହା ନ ମିଳିଲେ ନିଗମର ସ୍ଥିତି ଅଧିକ ବିଗିଡ଼ିଯିବ ବୋଲି କୁହାଯାଉଛି ।

ଓଡ଼ିଶା ଖଣି ନିଗମ ଓ ଇପିକଲ୍‍ ଭଳି ସଂସ୍ଥାମାନେ ଏହାର ଅଂଶୀଦାର ଅଛନ୍ତି । ଏମ୍‍ଏମ୍‍ଟିସି, ଏନ୍‍ଏମ୍‍ଡିସି ଓ ଓଡ଼ିଶା ଖଣି ନିଗମ ଆଦି ସଂସ୍ଥାମାନେ ନୀଳାଚଳ ଇସ୍ପାତ ନିଗମର ସ୍ଥିତି ସୁଧାରିବା ଲାଗି ଆବଶ୍ୟକୀୟ ଅର୍ଥ ଦେବେ ବୋଲି ଆଶା କରାଯାଉଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନେଇନାହାନ୍ତି ।

ତେବେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଏବଂ ଇପିକଲ୍‍ ଓ ଖଣି ନିଗମର ଅଧିକାରୀମାନେ ଇସ୍ପାତ ନିଗମର ଆର୍ଥିକ ସ୍ଥିତି ସମ୍ପର୍କରେ ଆଲୋଚନା ଚଳାଇଛନ୍ତି । କେତେକ ମହଲ ନୀଳାଚଳ ଇସ୍ପାତ ନିଗମରେ ରାଜ୍ୟ ସରକାର ଅଧିକ ପାଣ୍ଠି ବିନିଯୋଗ କରିବା ବିଜ୍ଞତାର ପରିଚାୟକ ହେବ ନାହିଁ ବୋଲି ମତ ଦେବା ସହ ଏହି ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ସଙ୍ଗେ ସଙ୍ଗେ ଘରୋଇକରଣ ପାଇଁ କହୁଛନ୍ତି । ଅନ୍ୟପକ୍ଷରେ ଆଉ କେତେକ ବିଶେଷଜ୍ଞ କିନ୍ତୁ ଏହି ନିଗମକୁ ସୁଦୃଢ଼ କରିବା ଲାଗି ପାଣ୍ଠି ଯୋଗାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଉଛନ୍ତି ।

ଇତିମଧ୍ୟରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଅଧ୍ୟକ୍ଷତାରେ ନୀଳାଚଳ ଇସ୍ପାତ ନିଗମକୁ ପୁଞ୍ଜି ଯୋଗାଣ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏମ୍‍ଏମ୍‍ଟିସିର ବରିଷ୍ଠ ଅଧିକାରୀମାନେ କହୁଛନ୍ତି ଯେ ଇସ୍ପାତ ନିଗମରେ ପୁଞ୍ଜି ଖଟାଇ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା ପରେ ପୁଞ୍ଜି ପ୍ରତ୍ୟାହାର ସହ ଘରୋଇକରଣ ପ୍ରକ୍ରିୟା ଆରମ୍ଭ ହୋଇପାରେ । ଏହା ହେଲେ ଇସ୍ପାତ ନିଗମର ଅଂଶଧନ କିଣିଥିବା ଲୋକମାନେ ବିଶେଷ ଉପକୃତ ହେବେ ।

ଇତିମଧ୍ୟରେ ଏମ୍‍ଏମ୍‍ଟିସିର ଅଧ୍ୟକ୍ଷ ବେଦପ୍ରକାଶ ଏହି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣି ଉକ୍ତ ସଂସ୍ଥାକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ପୁଞ୍ଜି ନିବେଶ କରିବାକୁ କହିଛନ୍ତି । ଇତିମଧ୍ୟରେ ଗତ ସେପ୍ଟେମ୍ବରଠାରୁ ଏଯାବତ୍‍ ଏମ୍‍ଏମ୍‍ଟିସି ୨୮୦ କୋଟି ଟଙ୍କା ଦେଇ ସାରିଲାଣି । କିନ୍ତୁ ଓଏମ୍‍ସି ଓ ଏନ୍‍ଏମ୍‍ଡିସି କିନ୍ତୁ ଅଧିକ ପୁଞ୍ଜି ଖଟାଉ ନାହାନ୍ତି । ଏଭଳି ସ୍ଥିତିରେ ନୀଳାଚଳ ଇସ୍ପାତ ନିଗମ ଆର୍ଥିକ ବିପର୍ଯ୍ୟୟ ମଧ୍ୟରେ ଗତି କରୁଥିବା ବେଳେ ସଂସ୍ଥାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇପାରୁନାହିଁ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019