ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  

ଦୁଃଖଦ ଘଟଣାକୁ ନେଇ ରାଜନୀତି କରନି


ଏଭଳି ରାଜନୀତିରୁ କୌଣସି ସୁଫଳ ମିଳବନାହିଁ ବରଂ ଯୁବପୀଢିଙ୍କୁ ଏହା ଖରାପ ବାର୍ତ୍ତା ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ସମୟରେ ଉପସ୍ଥିତଙ୍କ ସଦସ୍ୟଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ।

ଗୃହରେ ଆଜି ମୁଖ୍ୟମନ୍ତ୍ରୀ କହିଥିଲେ “ମୁଁ ୧୯ ବର୍ଷର ମୁଖ୍ୟମନ୍ତ୍ରୀ ନୁହେଁ କିମ୍ବା ବିଜୁ ଜନତାଦଳର ସଭାବି ନୁହେଁ । ମୁଁ ହେଉଛି ଏ ପବିତ୍ର ଗୃହର ଜଣେ ବରିଷ୍ଠ ସଦସ୍ୟ । ସାଧାରଣ ମଣିଷଙ୍କ ଦୁର୍ଦ୍ଦିନ ବିଶେଷକରି ମହିଳାମାନଙ୍କୁ ନେଇ ରାଜନୀତି କରିବା ହେଉଛି ଅମାନିବକତା । ଏଭଳି ରାଜନୀତିରୁ କୌଣସି ଲାଭ ମିଳିନଥାଏ । ଆମର ଗଣତନ୍ତ୍ର ଅତ୍ୟନ୍ତ ଅନୁଭବି । ରାଜ୍ୟର ସାଢେ ଚାରି କୋଟି ଲୋକଙ୍କୁ ଆମେ ସମ୍ମାନ ଦେଉଛୁ । ତେଣୁ ବିଧାନସଭା ଭିତରେ ଓ ବାହାରେ ଉଚ୍ଚ ମନୋଭାବ ନେଇ ରାଜନୀତି କରାଯିବା ଆବଶ୍ୟକ ।”

ସେ କହିଥିଲେ ଧର୍ଷଣ, ହତ୍ୟା ଓ ମହିଳାଙ୍କ ମୃତ୍ୟୁ ହେଉଛି ସବୁଠାରୁ ଦୁଃଖଦାୟକ ଘଟଣା । ଏହାକୁ ନେଇ ରାଜନୀତି କଲେ ଏହା ଏହା ଲୋକ ବିଶେଷକରି ଯୁବପୀଢିଙ୍କୁ ଖରାପ ବାର୍ତ୍ତା ଦେଇଥାଏ । ଯଦି କେହି ତଦନ୍ତରେ ସନ୍ତୁଷ୍ଟ ନୁହଁ ତେବେ ଅନ୍ୟ ବିକଳ୍ପ ଖୋଲା ଅଛି । ମୁଖ୍ୟମନ୍ତ୍ରୀ ଭାବେ ମୁଁ ଏ ଗୃହକୁ ଆଶ୍ୱାସନା ଦେଉଛି ଯେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସା ରୋକିବାକୁ ଅଗ୍ରାଧିକାର ଦେବା ସହିତ ଏ କ୍ଷେତ୍ରରେ ନିଶ୍ଚିତ ଭାବେ ନ୍ୟାୟ ପ୍ରଦାନ କରାଯିବ । ଯେକୌଣସି ମାମଲା ବିଶେଷକରି ମହିଳା ଓ ଶିଶୁ ସମ୍ପର୍କିତ ମାମଲାରେ ଅବହେଳାକୁ କୌଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ଏ କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ ହେବ । ମାମଲାର ଠିକଣା ତଦନ୍ତ ଯୋଗୁଁ ଛୋଟ ଝିଅଙ୍କୁ ଧର୍ଷଣ ଏବଂ ହତ୍ୟା ଭଳି ସ୍ପର୍ଶକାତର ମାମଲାରେ ଅଭିଯୁକ୍ତମାନଙ୍କୁ ପୋସ୍‍କୋ ଆଇନ୍‍ ବଳରେ ମୃତ୍ୟୁଦଣ୍ଡ ଦିଆଯାଇ ପାରିଛି ।

ରେଡ୍‍ ଫ୍ଲାଗ ମାମଲା ଗୁଡିକରେ ଚଳିତବର୍ଷ ଦଣ୍ଡ ବିଧାନର ହାର ୪୧.୪୮ ପ୍ରତିଶତ ବୃଦ୍ଧି ପାଇଛି । ମାନବିକତା ଦୃଷ୍ଟିରୁ ମାମଲା ଗୁଡିକ ପ୍ରତି ମୁଁ ସର୍ବାଧିକ ଗୁରୁତ୍ୱ ଦେଉଛି । ତେଣୁ ମହିଳା ଓ ଶିଶୁ ସମ୍ପର୍କୀୟ ଘଟଣାକୁ ନେଇ ରାଜନୀତି କରାନଯାଉ । ଲୋକମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଲୋଙ୍କ ସନ୍ତୁଷ୍ଟିକରଣ ହେଉଛି ଗଣତନ୍ତ୍ରର ହଲ୍‍ମାର୍କ ଚିହ୍ନ । ପ୍ରଶାସନରେ ସ୍ୱଚ୍ଛତା ଆଣିବା କ୍ଷେତ୍ରରେ ୫-ଟି ଚାର୍ଟର ଅଧିନରେ କାର୍ଯ୍ୟକାରୀ ହେଉଥିବା ମୋ ସରକାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ମୋ ସରକାର ଅଧିନରେ ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କ ଫୋନ୍‍ ନମ୍ବର ରେକର୍ଡ କରାଯିବା ସହିତ ଥାନାରେ ସେମାନଙ୍କୁ ମିଳୁଥିବା ବ୍ୟବହାର ସଂକ୍ରାନ୍ତରେ ନିୟମିତ ଭାବେ ମତାମତ ସଂଗ୍ରହ ହେଉଛି । ମୁଁ ନିଜେ ୩୦୦ ଜଣଙ୍କ ସହିତ କଥା ହୋଇ ସାରିଥିବାବେଳେ ଲୋକଙ୍କ ନିକଟକୁ ପ୍ରାୟ ୨୫୦୦ ଫୋନ୍‍ କଲ ଯାଇଛି । ଗୃହକୁ ଜଣାଇ ଦେବାକୁ ଚାହେଁ ଯେ ଥାନା ଗୁଡିକରେ ଲୋକଙ୍କୁ ସେବା ଯୋଗାଣ କ୍ଷେତ୍ରରେ ସ୍ୱଚ୍ଛତା ଆସିପାରିଛି ।

ଏଥିଯୋଗୁଁ ଥାନାରେ ଅଭିଯୋଗ ଦରଜ ସଂଖ୍ୟା ବୃଦ୍ଧି ପାଇଛି । ମୁଁ ପୁଲିସ୍‍କୁ ଏହି ବାର୍ତ୍ତା ଦେବାକୁ ଚାହେଁ ଯେ ସେମାନେ ପ୍ରତିଶ୍ରୁତିବଦ୍ଧତାର ସହ ବିନା ଭୟରେ କାର୍ଯ୍ୟ କରନ୍ତୁ । ମାମଲା ଦରଜର ସଂଖ୍ୟାକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ । ମୋ ସରକାରରେ ସଂଖ୍ୟା ଅପେକ୍ଷା ଲୋକେ ଗୁରୁତ୍ୱପୂର୍ଣ୍ଣ ।

ରାଜ୍ୟରେ ସାମଗ୍ରିକ ଭାବେ ଆଇନ୍‍ ଶୃଙ୍ଖଳା ଏବଂ ଅପରାଧ ଗୁଡିକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିଛି । ବାମପନ୍ଥୀ ଉଗ୍ରବାଦୀ କାର୍ଯ୍ୟକଳାପ ରୋକିବା କ୍ଷେତ୍ରରେ ବଡ ସଫଳତା ମିଳିଛି । ଗତ ଅଗଷ୍ଟ ୧୫ ତାରିଖରେ ରାଜ୍ୟବାସୀଙ୍କୁ ମୁଁ ପ୍ରତିଶ୍ରୁତି ଦେଇଥିଲେ ଯେ ବର୍ଷକ ମଧ୍ୟରେ ସେମାନେ କୌଣସି ସେବାପାଇଁ ସରକାରୀ ଦପ୍ତରକୁ ଦଉଡିକି ଯିବେନାହିଁ । ଲୋକେ ଚାହିଁଲେ ଅନ୍‍ଲାଇନ୍‍ ବ୍ୟବସ୍ଥା ଜରିଆରେ ସେମାନଙ୍କ ହାତ ପାଆନ୍ତାରେ ସେବା ପାଇପାରିବେ । ୫-ଟି ଚାର୍ଟର ଅଧିନରେ ଏହି ବୃହତ୍‍ ଲକ୍ଷ୍ୟ ହାସଲ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ।

ସେହିଭଳି ପରବର୍ତ୍ତୀ ବଡ ପଦକ୍ଷେପ ହେଉଛି ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟର ପାଉଣା ବ୍ୟାଙ୍କ୍‍ ଜରିଆରେ ପ୍ରଦାନ କରିବା । ୫-ଟି ଅଧିନରେ ଏହା ଆଉ ଗୋଟିଏ ବଡ ଲକ୍ଷ୍ୟ । ଏହାଦ୍ୱାରା ଲୋକେ ବିଶେଷକରି ଗରିବ ଶ୍ରେଣୀର ମଜୁରିଆମାନେ ଉପକୃତ ହେବେ । ୫-ଟି ଚାର୍ଟର ମାଧ୍ୟମରେ ଓଡିଶାକୁ ଆମେ ଅଧିକ ସଶକ୍ତ କରିପାରିବୁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଗୃହର ସମସ୍ତ ସଦସ୍ୟଙ୍କ ସହଯୋଗ ଲୋଡିଥିଲେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020