ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  

ଭାଷା ଭବନ ନିର୍ମାଣ କେବେ ?


ଓଡିଆ ଭାଷା ପ୍ରତିଷ୍ଠାନର ଭାଷା ଭବନ ନିର୍ମାଣପାଇଁ ରାଜ୍ୟ ସରକାର ୧୪ବର୍ଷ ତଳୁ ଅର୍ଥ ବ୍ୟବସ୍ଥା କରିସାରିଥିଲେ ମଧ୍ୟ ଏଯାବତ୍‍ ତାହା ନିର୍ମିତ ହୋଇପାରୁନାହିଁ । ଏହି ଅର୍ଥ ବ୍ୟାଙ୍କ୍‍ରେ ପଡି ଏବେ ସୁଧ ମୂଳ ମିଶାଇ ଦେଢ କୋଟି ଟଙ୍କାରୁ ଅଧିକ ହେଲାଣି ।

ଓଡିଆ ଭାଷା ପ୍ରତିଷ୍ଠାନକୁ ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ତାହା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନକୁ ଆସିଛି । ଦୀର୍ଘଦିନର ଲଢେଇ ପରେ ଓଡିଆ ଭାଷା ଶାସ୍ତ୍ରୀୟ ମର୍ଯ୍ୟାଦା ପାଇବାର ବି ୬ବର୍ଷ ଅତିକ୍ରାନ୍ତ କରିଗଲାଣି । କିନ୍ତୁ ଓଡିଆ ଭାଷା ପ୍ରତିଷ୍ଠାନ ଲାଗି ନିଜସ୍ୱ ଘର ଖଣ୍ଡେ ନିର୍ମିତ ହୋଇପାରୁ ନଥିବାରୁ ଏହି ସଂସ୍ଥା ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛି ।

ପୂର୍ବରୁ ଏହି ପ୍ରତିଷ୍ଠାନ ସଚିବାଳୟ ପଛପଟେ ଥିବା ଜନଶିକ୍ଷା ସାଧନ କେନ୍ଦ୍ରରେ ଚାଲୁଥିଲା । ପରେ ଏହା ରାଜ୍ୟ ସଂଗ୍ରହାଳୟ ନିକଟବର୍ତ୍ତୀ ବିଭାଗୀୟ ନିର୍ଦ୍ଦେଶାଳୟ ସଂସ୍କୃତି ଭବନର ଦୁଇ ତିନିଟି ପ୍ରକୋଷ୍ଠରେ ଚାଲୁଛି । ଏହି ପ୍ରତିଷ୍ଠାନର ନିଜସ୍ୱ ଗୃହ ନିର୍ମାଣ ଲାଗି ରାଜ୍ୟ ସରକାର ୨୦୦୫-୦୬ ଆର୍ଥିକ ବର୍ଷରେ କୋଟିଏ ୫ହଜାର ଟଙ୍କାର ପ୍ରାଥମିକ ବ୍ୟବସ୍ଥା କରିଥିଲେ । ସରକାରୀ ତଥ୍ୟ ମୁତାବକ ଖର୍ଚ୍ଚ ନହୋଇ ବ୍ୟାଙ୍କ୍‍ରେ ପଡିଥିବା ଏହି ଅର୍ଥ ସୁଧ ସହ ମିଶି ୨୦୧୭ ବେଳକୁ କୋଟିଏ ୩୦ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ଏବେ ଏହାର ସମୂଳ ସୁଧ ଦେଢ କୋଟି ଟଙ୍କାରୁ ଅଧିକ ହେବବୋଲି କୁହାଯାଉଛି । ଭାଷାଭବନ ନିର୍ମାଣ ନହେଉ ପଛେ ବିନାକାମରେ କିନ୍ତୁ ଏହିର ଅର୍ଥ ପରିମାଣ ବ୍ୟାଙ୍କ୍‍ରେ ପଢି ଚାଲିଛି ।

୨୦୦୯ ମସିହାରେ ରାଜ୍ୟ ସରକାର ରାଜଧାନୀର ଖାରବେଳନଗର ଅର୍ନ୍ତଗତ ୪୪୬ ନମ୍ବର ଖାତାରେ ଥିବା ୪୦୧ ନମ୍ବର ପ୍ଲଟରେ ଭାଷାଭବନ ପାଇଁ ୫୩,୨୫୦ ବର୍ଗଫୁଟ ପରିମିତ ଜମି ଯୋଗାଇଛନ୍ତି । ଜମି ଯୋଗାଣର ୧୦ବର୍ଷ ବିତି ଯାଇଥିଲେ ବି ସେଠାରେ ଏଯାବତ୍‍ ଭିତ୍ତିପ୍ରସ୍ତର ସ୍ଥାପନ ବି ହୋଇପାରିନାହିଁ ।

ଗୋଟିଏ ସମୟରେ ଏହି ଜମିରେ ଭାଷାଭବନ ନିର୍ମାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଇଡ୍‍କୋ ଓ ପୂର୍ତ୍ତ ବିଭାଗ ସହ ଯୋଗାଯୋଗ କରିଥିଲେ । ପୂର୍ତ୍ତ ବିଭାଗ ପ୍ରାୟ ୨କୋଟି ୮୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠାନ ସୌଧର ନକ୍ସା ପ୍ରସ୍ତୁତ କରିଥିଲେ ଓ ତାହା ସରକାରଙ୍କ ଅନୁମୋଦନ ଲାଭ କରିଥିଲା । ଏହାପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ପୂର୍ତ୍ତ ବିଭାଗକୁ ଭାଷା ଭବନ ନିର୍ମାଣ ଲାଗି କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ପୂର୍ତ୍ତ ବିଭାଗ ବି ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ କରିଥିଲେ । କିନ୍ତୁ ଏହି ଜମିରେ ଭାଷା ଭବନ ନିର୍ମାଣ ଉପରେ ଭୁବନେଶ୍ୱର ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ରୋକ୍‍ ଲଗାଇବାରୁ ଆଉ ନିର୍ମାଣ କାମ ଆଗେଇ ନାହିଁ ।

ଏ ପରିପ୍ରେକ୍ଷୀରେ ସଚିବାଳୟର ପଛ ପଟରେ ନିର୍ମିତ ହୋଇଥିବା ଖାରବେଳ ଭବନରେ ଭାଷା ପ୍ରତିଷ୍ଠାନ ପାଇଁ ଗୃହ ଆବଣ୍ଟନ ଲାଗି ମୁଖ୍ୟ ଶାସନ ସଚିବ ୨୦୧୭ ଜୁଲାଇ ୨୭ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅନୁମୋଦନ ଦେଇଥିଲେ । ଇତି ମଧ୍ୟରେ ଖାରବେଳ ଭବନକୁ ସଚିବାଳୟର କେତେକ ବିଭାଗ ସ୍ଥାନାନ୍ତରିତ ହୋଇଥିବାବେଳେ ଭାଷା ପ୍ରତିଷ୍ଠାନ ସଂସ୍କୃତି ନିର୍ଦ୍ଦେଶାଳୟ ମଧ୍ୟରେ ବାନ୍ଧିହୋଇ ରହିଯାଇଛି ।

ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ବିଶ୍ୱ ବାଙ୍ଗ୍‍ଲା ଭବନ ନାମରେ ଏକ ସୁଦୃଶ୍ୟ ଅଟ୍ଟାଳିକା ରହିଥିବାବେଳେ କୋଲକତା ବିମାବନ୍ଦରରୁ ଏହି ଭବନ ବାଟଦେଇ ଆସିଥିବା ରାସ୍ତାକୁ ବିଶ୍ୱ ବାଙ୍ଗ୍‍ଲା ସରଣୀ ନାମରେ ନାମିତ କରାଯାଇଛି । କିନ୍ତୁ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଥିବା ଓଡିଆ ଭାଷାର ଭାଷା ପ୍ରତିଷ୍ଠାନ ଘର ଖଣ୍ଡେ ପାଇଁ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛି ବୋଲି ଭାଷାପ୍ରେମୀମାନେ ଅଭିଯୋଗ କରୁଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020