ଆଂକାକ୍ଷୀ ଜିଲ୍ଲାରେ ଯୁବ ଆଇଏଏସ୍‍


ଆଂକାକ୍ଷୀ ଜିଲ୍ଲା ଗୁଡିକରେ ଯୁବ ଆଇଏଏସ୍‍ଙ୍କୁ ମୁତୟନ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବାପରେ କେନ୍ଦ୍ର ସରକାର ଏହି ମର୍ମରେ ରାଜ୍ୟ ସରକାର ଗୁଡିକୁ ପରାମର୍ଶ ଦେଇଛନ୍ତି । ସକରାତ୍ମକ ପ୍ରଶାସନ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ସମୟରେ ଯୁବ ଆଇଏଏସ୍‍ ଅଫିସରମାନଙ୍କୁ ପଛୁଆ ଅଞ୍ଚଳରେ କାର୍ଯ୍ୟରେ ଲଗାଇବା ପାଇଁ ଜୋର ଦେଇଛନ୍ତି ।

ପଛୁଆ ଅଞ୍ଚଳରେ ଯୁବ ଆଇଏଏସ୍‍ ଅଫିସରମାନେ ମୁତୟନ ହେଲେ ସେମାନେ କାର୍ଯ୍ୟକ୍ଷେତ୍ରରେ ଅଧିକ ସମୟ ଦେବା ସହିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିବେ । ଆଂକାକ୍ଷୀ ଜିଲ୍ଲାର କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସମୀକ୍ଷା କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୪୯ଟି କ୍ଷେତ୍ରର ପ୍ରଦର୍ଶନ ଉପରେ ଅବଗତ କରାଯାଇଥିଲା । ଅଧିକାଂଶ ରାଜ୍ୟରେ ଯୁବ ଆଇଏଏସ୍‍ ଅଫିସରମାନଙ୍କୁ ଠିକଣା ଭାବେ ବିନିଯୋଗ କରାଯାଉ ନଥିବାରୁ ବିକାଶ କାର୍ଯ୍ୟ ଧିମା ହୋଇଯାଉଛି । ଯେଉଁଠାରେ ଯୁବ ଆଇଏଏସ୍‍ ଅଫିସରମାନେ ଅଛନ୍ତି ସେଠାରେ ପୁଷ୍ଟିକର ଭଳି ଯୋଜନା ବେଶ୍‍ ଫଳପ୍ରଦ ହୋଇପାରୁଛି ।

ଆଦିବାସୀ ଅଞ୍ଚଳରେ ଶିଶୁଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଉପରେ ପ୍ରଧାନମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଜାତୀୟ ସ୍ତରରେ ଯେଭଳି ଏହିସବୁ ପଛୁଆ ଇଲାକା ପହଞ୍ଚିପାରିବେ ସେଥିପାଇଁ ସମୟ ସ୍ଥିର କରିବାକୁ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି । ଯୁବ ଆଇଏଏସ୍‍ ଅଫିସରମାନେ ଯେଭଳି ଆଂକାକ୍ଷୀ ଜିଲ୍ଲାରେ ନିଶ୍ଚିତ ଭାବେ ମୁତୟନ ହେବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଏଭଳି ପରାମର୍ଶକୁ ରାଜ୍ୟ ସରକାରମାନେ ତୁରନ୍ତ କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହଛନ୍ତି । ଯଦିଓ କେତେକ ଆଂକାକ୍ଷୀ ଜିଲ୍ଲା ଉନ୍ନତ ପ୍ରଦର୍ଶନ କରୁଛନ୍ତି କିନ୍ତୁ ଧିମା ଅଭିବୃଦ୍ଧି କରୁଥିବା ଆଂକାକ୍ଷୀ ଜିଲ୍ଲାକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ ନୁହନ୍ତି । ପ୍ରତି ଜିଲ୍ଲାର ୧୦ ପ୍ରତିଶତ ବ୍ଲକକୁ ଚିହ୍ନଟ ଲାଗି ପ୍ରଧାନମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି ଯେଉଁଠାରେ କି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।

ରାଜ୍ୟରେ ୩୧୪ ଟି ବ୍ଲକ ଥିବାବେଳେ ଏଥିରୁ ୩୧ଟି ବ୍ଲକକୁ ଚିହ୍ନଟ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଜାତୀୟ କୃଷି ବଜାର ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ କରାଯାଇଛି ଯାହା ମାଧ୍ୟମରେ କୃଷକମାନେ ସେମାନଙ୍କ ଉତ୍ପାଦିତ ଫସଲର ସଠିକ୍‍ ମୂଲ୍ୟ ପାଇପାରୁଛନ୍ତି । ଇ-ପେମେଣ୍ଟ ମାଧ୍ୟମରେ ଏବେ କୃଷକଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ଯାଇପାରୁଛି ।

ଉତ୍ପାଦିତ କୃଷି ସାମଗ୍ରୀ ଗୁଡିକ ଯେଭଳି ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯାଇପାରିବ ସେଥିପାଇଁ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏବଂ କୃଷି ଏବଂ କୃଷକ ମଙ୍ଗଳ ମନ୍ତ୍ରାଳୟ ମିଳିତ ଭାବେ ନୂତନ ଷ୍ଟାର୍ଟପ୍‍ ଉପରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସମସ୍ତ ରାଜ୍ୟ ଏକାଠି ହେବା ସହିତ ଗୋଟିଏ ପ୍ଲାଟଫର୍ମ ତଳେ ଏହା ଯେଭଳି ସୁରୁଖୁରୁରେ କାର୍ଯ୍ୟ କରିବ ସେଥିପାଇଁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019