ମାତୃମୃତ୍ୟୁ ୧୬୮କୁ ହ୍ରାସ


ରାଜ୍ୟରେ ମାତୃମୃତ୍ୟୁ ସଂଖ୍ୟା ୧୬୮କୁ ହ୍ରାସ ପାଇଛି । ୨୦୧୧-୧୩ ରେ ଏହା ପ୍ରତି ଏକ ଲକ୍ଷରେ ୨୩୫ ଥିବାବେଳେ ସର୍ବଶେଷ ନମୂନା ପଞ୍ଜିକରଣ ବ୍ୟବସ୍ଥା (ଏସ୍‍ଆରଏସ୍‍) ଅନୁଯାୟୀ ଏହା ୧୬୮କୁ କମି ଆସିଥିବା ଜଣାଯାଇଛି । ୨୦୧୫-୧୭ ବର୍ଷର ତଥ୍ୟ ଆଧାରରେ ଏସ୍‍ଆରଏସ୍‍ ପ୍ରସ୍ତୁତ ହୋଇଥିବାବେଳେ ସ୍ୱାସ୍ଥ୍ୟ ମିଶନକୁ ଏ କ୍ଷେତ୍ରରେ ବଡ ସଫଳତା ମିଳିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାନନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମିଶନର ଯୋଜନା ଗୁଡିକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ରାଜ୍ୟକୁ ଏଭଳି ସଫଳତା ମିଳିଛି ।

ଏସ୍‍ଆରଏସ୍‍ ଡାଟା ଅନୁଯାୟୀ ୨୦୧୪-୧୬ ରୁ ୨୦୧୫-୧୭ ମଧ୍ୟରେ ମାତୃ ମୃତ୍ୟୁହାର ୧୨ ପ୍ରତିଶତ ହ୍ରାସ ପାଇଛି ଯାହାକି ସମଗ୍ର ଦେଶରେ ଦ୍ୱିତୀୟ । ରାଜସ୍ଥାନ ୧୩ ପ୍ରତିଶତ ହ୍ରାସ ସହିତ ପ୍ରଥମ ସ୍ଥାନରେ ରହିଛି ।

ରାଜ୍ୟ ସରକାର ମାତୃ ମୃତ୍ୟୁହାର ହ୍ରାସ ଉପରେ ଅଧିକ ଗୁରୁତ୍ୱ ଦେବା ସହିତ ଠିକଣା ଭାବେ ‘ସମ୍ପୂର୍ଣ୍ଣ’ ଯୋଜନା କାର୍ଯ୍ୟକାରୀ କରିଥିବାରୁ ଏଭଳି ସଫଳତା ମିଳିଛି । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ସରକାର ବଜେଟ୍‍ରେ ୩୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ।

ମାତୃ ମୃତ୍ୟୁ ହାର ହ୍ରାସ କ୍ଷେତ୍ରରେ ପ୍ରସୂତୀ ଗୃହ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରାଜ୍ୟ ସରକାର ଆନୁଷ୍ଠାନିକ ପ୍ରସବକୁ ପ୍ରୋତ୍ସାହିତ କରିବାପାଇଁ ପ୍ରସୂତୀ ଗୃହ ସ୍ଥାପନ ସହିତ ଅପହଞ୍ଚ ଇଲାକାରୁ ଏଠାକୁ ଆସୁଥିବା ପ୍ରସୂତୀମାନଙ୍କୁ ପ୍ରୋତ୍ସାହନ ବାବଦରେ ୧୦୦୦ ଟଙ୍କାକରି ପ୍ରଦାନ କରୁଛନ୍ତି । ପ୍ରସବ ପରେ ଘରକୁ ଯିବାପାଇଁ ମଧ୍ୟ ୫୦୦ ଟଙ୍କା ଦିଆଯାଉଛି ।

ଆନୁଷ୍ଠାନିକ ପ୍ରସବ କ୍ଷେତ୍ରରେ ଅପରେସନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚିକିତ୍ସା ସେବା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି । ଏପିରିକ ପ୍ରସୂତୀଙ୍କୁ ଆବଶ୍ୟକ ରକ୍ତ ବି ମାଗଣାରେ ମିଳୁଛି । ପ୍ରସବ ଗୃହ ଠାରୁ ଆରମ୍ଭକରି ଅପରେସନ ଗୃହ ପର୍ଯ୍ୟନ୍ତ ସବୁର ଗୁଣାତ୍ମକ ଉପରେ ଧ୍ୟାନ ଦିଆଯିବାରୁ ଏଭଳି ସଫଳତା ମିଳିପାରିଛି ।

ଏହାଛଡା ପ୍ରସୂତୀଙ୍କୁ ମାଗଣା ପରିବହନ ପାଇଁ କାର୍ଯ୍ୟକାରୀ ହେଉଥିବା ୧୦୨ ଜନନୀ ଏକ୍ସପ୍ରେସ, ଜନନୀ ସୁରକ୍ଷା ଓ ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ସହିତ ମମତା ଯୋଜନାରେ ପ୍ରସୂତୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ରାଶି ପ୍ରଦାନ କରାଯାଉଛି । ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ଜଟିଳ ସ୍ଥିତିରେ ଆସୁଥିବା ପ୍ରସୂତୀମାନଙ୍କ ପାଇଁ ‘ହାଇ ଡିପେଡେନ୍ସି ୟୁନିଟ୍‍’ ସ୍ଥାପନ କରାଯାଇଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019