ବାତ୍ୟା ପାଇଁ ସରକାର ପ୍ରସ୍ତୁତ

ବଙ୍ଗୋପସାଗରରେ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଝଡ଼ "ବୁଲ୍‍ବୁଲ୍‍' ଘଣ୍ଟା ପ୍ରତି ୧୭ କି.ମି. ବେଗରେ ଅଗ୍ରସର ହୋଇ ଆଜି ଅପରାହ୍ନ ୨.୩୦ ମିନିଟ୍‍ ସମୟରେ ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୨୬୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଅଛି ।

ଏହାର ତୀବ୍ରତା ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଏବଂ କ୍ରମଶଃ ଦିଗ ପରିବର୍ତ୍ତନ କରି ଉତ୍ତର ପୂର୍ବ ଦିଗକୁ ଅଗ୍ରସର ହେବା ସହିତ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳସ୍ଥ ସୁନ୍ଦରବନ ତ୍ରିକୋଣଭୂମି ମଧ୍ୟଦେଇ ସ୍ଥଳଭାଗରେ ପ୍ରବେଶ କରିବ ।

ସମ୍ଭାବ୍ୟ ପ୍ରବଳ ବୃଷ୍ଟିପାତ ଓ ଝଡ଼ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ଜନିତ ଯେକୌଣି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ସମୁଦ୍ର ତଟ୍ଟବର୍ତ୍ତୀ ଜିଲ୍ଲା ଓ ଏହାର ସଂଲଗ୍ନ ଜିଲ୍ଲାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି ।

ଏତଦ୍‍ବ୍ୟତୀତ ଅନ୍ୟ ଜିଲ୍ଳାର ଜିଲ୍ଲାପାଳମାନଙ୍କୁ ମଧ୍ୟ ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଅଛି । ଏହି ବିଷୟରେ ଗତକାଲି ସ୍ୱତନ୍ତ୍ର ରିଲିଫ୍‍ କମିଶନର ସମୁଦ୍ର ତଟ୍ଟବର୍ତ୍ତୀ ଏବଂ ପାଶ୍ୱର୍ବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଭିଡ଼ିଓ କନ୍‍ଫରେନସିଂ ମାଧ୍ୟମରେ ଆଲୋଚନା କରିବା ସହିତ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।

ବାତ୍ୟାଦ୍ୱାରା ପ୍ରଭାବିତ ହେବାକୁଥିବା ଜିଲ୍ଲା ବିଶେଷ କରି ଉପକୂଳ ଜିଲ୍ଲା ଗୁଡ଼ିକରେ କଚ୍ଚା ଘରେ ଏବଂ ଖାଲୁଆ ଅଞ୍ଚଳରେ ବିପଦସଂକୂଳ ଅବସ୍ଥାରେ ରହୁଥିବା ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ଏବଂ ସେମାନଙ୍କୁ ଆଶ୍ରୟସ୍ଥଳରେ ଆବଶ୍ୟକ ଖାଦ୍ୟ, ପାନୀୟଜଳ ଯୋଗାଇଦେବା ସହିତ ଆଶ୍ରୟସ୍ଥଳରେ ଆଲୋକ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ଏଥିପାଇଁ ସମ୍ପୃକ୍ତ ଜିଲ୍ଲା ଗୁଡ଼ିକରେଥିବା ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ଆବଶ୍ୟକୀୟ ସୁବିଧା ସହିତ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରଭାବିତ ହେବାକୁଥିବା ସମସ୍ତ ୧୦ଟି ଜିଲ୍ଲା ଯଥା- ଗଞ୍ଜାମ, ପୁରୀ, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାରେ ୨ଟି ଲେଖାଏଁ ଓଡ୍ରାଫ୍‍ ଟିମ୍‍ ଆଗୁଆ ମୁତୟନ କରାଯାଇଅଛି । ଏତଦ୍‍ବ୍ୟତୀତ ପୁରୀ, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ୬ଟି ଏନ୍‍ଡିଆର୍‍ଏଫ୍‍ ଟିମ୍‍କୁ ମୁତୟନ କରାଯାଇଅଛି ।

ସେହିପରି ବାତ୍ୟା ଆଶଙ୍କା ଥିବା ଜିଲ୍ଲା ଗୁଡ଼ିକରେ ଆସନ୍ନ ବିପଦର ମୁକାବିଲା ପାଇଁ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଅଛି ଏବଂ ସମୁଦ୍ର ତଟ୍ଟବର୍ତ୍ତୀ ୬ଟି ଜିଲ୍ଲାକୁ ଅନ୍ୟ ଜିଲ୍ଲାରୁ ୨ଟି ଲେଖାଏଁ ଅତିରିକ୍ତ ଅଗ୍ନିଶମ ବାହିନୀ ଟିମ୍‍ ପଠାଯାଇଅଛି । ଏତଦ୍‍ବ୍ୟତୀତ ରାଜ୍ୟସ୍ତରରେ ୬୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଉପକରଣ ଓ ଗାଡ଼ି ସହିତ ଆବଶ୍ୟକସ୍ଥଳେ ତୁରନ୍ତ ମୁତୟନ ପାଇଁ ପ୍ରସ୍ତୁତ କରି ରଖାଯାଇଛି ।

ବାତ୍ୟାଦ୍ୱାରା ବିଦ୍ୟୁତ୍‍ ସରବରାହ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଶକ୍ତି ବିଭାଗ ତଥା ସେସୁ ଓ ନେସ୍କୋ ଅଧିକାରୀମାନଙ୍କୁ ବିଦ୍ୟୁତ୍‍ ଲାଇନ୍‍କୁ ତୁରନ୍ତ ମରାମତି ଓ ପୁନଃରୁଦ୍ଧାର କରିବା ପାଇଁ ଆଗୁଆ ପଦେକ୍ଷପ ନେବାପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି, ଉପକରଣ ଏବଂ କୁଶଳୀ ଶ୍ରମିକଙ୍କୁ ପ୍ରସ୍ତୁତ କରି ରଖିବା ପାଇଁ ପରାମର୍ଶ ଦିଆଯାଇଅଛି ।

ମତ୍ସ୍ୟଜୀବିମାନଙ୍କୁ ୮ ତାରିଖ ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଅଛି । ଏତଦ୍‍ବ୍ୟତୀତ ସମୁଦ୍ରରେ ଥିବା ସମସ୍ତ ମତ୍ସ୍ୟଜିବୀମାନଙ୍କୁ ୭ ତାରିଖ ସୁଦ୍ଧା ଉପକୂଳକୁ ଫେରିଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମତ୍ସ୍ୟବିଭାଗର ଅଧିକାରୀମାନେ ମାଛଧରା କେନ୍ଦ୍ର ମାନଙ୍କରେ ଉପସ୍ଥିତ ରହି ମତ୍ସ୍ୟଜୀବି ସଂଘ ସହାୟତାରେ ଏହି ବିଷୟରେ ମତ୍ସ୍ୟଜିବୀମାନଙ୍କୁ ଅବଗତ କରିବା ସହିତ ସମୁଦ୍ରରେ ଥିବା ମତ୍ସ୍ୟଜିବୀମାନଙ୍କୁ କୂଳକୁ ଫେରିଆସିବା ପାଇଁ ଜଣାଥିଲେ । ଇତିମଧ୍ୟରେ ରାଜ୍ୟର ସମସ୍ତ ୧୯୬୫୩ ଟି ମାଛଧରା ଟ୍ରଲର ଓ ଡଙ୍ଗା ସମୁଦ୍ର କୂଳକୁ ଫେରିଆସିଛନ୍ତି ।

ସମ୍ଭାବ୍ୟ ବାତ୍ୟା ଓ ବୃଷ୍ଟିପାତରୁ ଫସଲକୁ ରକ୍ଷା ପାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗଙ୍କ ଦ୍ୱାରା କୃଷକମାନଙ୍କ ପାଇଁ ଆବଶ୍ୟକ ଉପଦେଶ ଗଣମାଧ୍ୟମ ତଥା ବିଭାଗୀୟ କର୍ମଚାରୀମାନଙ୍କ ଜରିଆରେ ପ୍ରଚାର କରାଯାଇଅଛି । ଏଥିପାଇଁ ଡାକବାଜି ଯନ୍ତ୍ର ଯୋଗେ ମଧ୍ୟ ପ୍ରଚାର କରାଯାଇଅଛି ।

ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ୮ / ୯ ତାରିଖରେ ବନ୍ଦ ରଖାଯାଇଅଛି । ସମସ୍ତ ଜିଲ୍ଲା ଓ ବିଭାଗଗୁଡିକରେ ଆପଦକାଳନୀ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ ଚାଲୁ ରହିଅଛି । ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ବାତ୍ୟା ସମୟରେ ଘରୁ ନବାହରିବା ପାଇଁ ସତର୍କ କରାଯାଇଅଛି । ସେହିପରି ବାତ୍ୟା ସମୟରେ ସମୁଦ୍ର ଉପକୂଳରେ ବୁଲାବୁଲି କରିବା ଉପରେ କଟକଣା ଜାରି କରାଯାଇଅଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019