ନିଯୁକ୍ତି ମାମଲାରେ ନୋଟିସ୍‍

୧୦୬୫ ଓ ୧୩୦୨ ନମ୍ବର ରଖିଥିବା ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇ ଓଏଏସ୍‍ ଅଫିସର ଭାବେ ନିଯୁକ୍ତି ପାଇଲେ । ଅଥଚ ଓଡିଶା ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ପରୀକ୍ଷାରେ ୧୩୬୫ ନମ୍ବର ରଖିଥିବା ଜଣେ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଫଳରେ ସେ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ବାରମ୍ବାର ଶୁଣ୍ଢିପିଣ୍ଡା ହେଉଛନ୍ତି । ଏ ସଂକ୍ରାନ୍ତରେ ରୁଜୁ ଏକ ମାମଲାକୁ ବିଚାର ପାଇଁ ଗ୍ରହଣକରି ଓଡିଶା ହାଇକୋର୍ଟ ଉତ୍ତର ଦାଖଲପାଇଁ ପ୍ରତିପକ୍ଷଙ୍କୁ ନୋଟିସ୍‍ କରିଛନ୍ତି ।

ହାଇକୋର୍ଟର ଅନ୍ୟତମ ବିଚାରପତି ବିଶ୍ୱନାଥ ରଥଙ୍କ ଖଣ୍ଡପୀଠରେ ଆଜି ଏହି ମାମଲା ଆସିଥିଲା । ଆବେଦନକାରୀ ଓ ସରକାରୀ ପକ୍ଷଙ୍କୁ ଶୁଣିବାପରେ ବିଚାରପତି ଶ୍ରୀ ରଥ ରାଜ୍ୟ ସରକାର, ଓଡିଶା ଲୋକସେବା ଆୟୋଗ ଓ ଅନ୍ୟମାନଙ୍କୁ ସେମାନଙ୍କ ପକ୍ଷ ରଖିବାପାଇଁ ସୁଯୋଗ ଦେଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ମିଳିତ ଜାତିସଂଘର ସାଧାରଣ ପରିଷଦ ଏକ ସ୍ୱତନ୍ତ୍ର ବୈଠକରେ ଭିନ୍ନକ୍ଷମଙ୍କ ଅଧିକାର ସଂକ୍ରାନ୍ତରେ ୨୦୦୬ ମସିହାରେ ଯେଉଁ ପ୍ରସ୍ତାବ ପାରିତ କରିଥିଲେ ଭାରତ ସରକାର ତାହାର ଅଂଶୀଦାର ଥିବାରୁ ପରବର୍ତ୍ତୀ ସମୟରେ ‘ରାଇଟ୍‍ସ ଅଫ୍‍ ପର୍ସନ ୱିଥ୍‍ ଡିଜାବିଲିଟିଜ୍‍ ଆକ୍ଟ’ ସଂସଦରେ ବ୍ୟାପକ ଆଲୋଚନା ଓ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ୨୦୧୬ ମସିହାରୁ ଲାଗୁ ହୋଇଛି । ଏହି ଆଇନ୍‍ର ଦୁଇ ଧାରାରେ ୪୦ ପ୍ରତିଶତ ଓ ତଦୁର୍ଦ୍ଧ ଶାରିରୀକ ଅକ୍ଷମତା ଥିବା ବ୍ୟକ୍ତିମାନଙ୍କ ଲାଗି ସରକାରୀ ଚାକିରି ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସୁବିଧା ସୁଯୋଗ ଲାଗି ବ୍ୟବସ୍ଥା ରହିଛି । ଏହାର ଖିଲାପ ହେଲେ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ଅଧିକାରୀଙ୍କ ପ୍ରତି ଦଣ୍ଡବିଧାନ ଲାଗି ମଧ୍ୟ ଏହି ଆଇନ୍‍ରେ ଉଲ୍ଲେଖ ରହିଛି ।

ଏହି ଆଇନ୍‍ର କାର୍ଯ୍ୟକାରିତାପାଇଁ ଓଡିଶା ସରକାର ସକରାତ୍ମକ ଦୃଷ୍ଟିଭଙ୍ଗି ରଖି ୨୦୧୭ ମସିହାରେ ଏକ ସଙ୍କଳ୍ପ ଜାରି କରିଥିଲେ । ଏଥିରେ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ଚାକିରିରେ ଆସନ ସଂରକ୍ଷଣ ସହିତ ସେ ପ୍ରତିଯୋଗିତା ପରୀକ୍ଷାରେ ଅଧିକ ନମ୍ବର ରଖି ନିଜର ଯୋଗ୍ୟତା ପ୍ରତିପାଦିତ କଲେ ଅଣସଂରକ୍ଷିତ ସ୍ଥାନରେ ବି ନିଯୁକ୍ତି ପାଇପାରିବେ ବୋଲି ଉଲ୍ଲେଖ ରହିଛି । ତେବେ ଏହି ସଙ୍କଳ୍ପରେ ତ୍ରୁଟିପୂର୍ଣ୍ଣ ଭାବେ ଦର୍ଶାଯାଇଥିଲା ଯେ ଏପରି ସଂରକ୍ଷଣ ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କୁ ଦିଆଯିବ । ମୂଳ ଆଇନ୍‍ର ଏହା ବିରୁଦ୍ଧାଚରଣ କରୁଥିବାରୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏକ ଗେଜେଟ୍‍ ବିଜ୍ଞପ୍ତି ପ୍ରକାଶ କରି ତାଙ୍କ ତ୍ରୁଟି ସୁଧାରି ନେଇଥିଲେ ।

ସରକାରୀ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ସ୍ଥାୟୀଭାବେ ୪୦ ପ୍ରତିଶତ ଭିନ୍ନକ୍ଷମ ହୋଇଯାଇଥିବା ଅଣୁଶ୍ରଭ ଗନ୍ତାୟତ ନାମକ ଜଣେ ପ୍ରାର୍ଥୀ ଆୟୋଗଙ୍କ ବିଜ୍ଞାପନ ଭିତ୍ତିରେ ଓଏଏସ୍‍ ଚାକିରି ପାଇଁ ଆବେଦନ କରିଥିଲେ । ସେ ସବୁ ପରୀକ୍ଷା ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ଓ ୧୩୬୫ ନମ୍ବର ରଖିଥିଲେ । ଅଣସଂରକ୍ଷିତବର୍ଗର ଶେଷ ଯୋଗ୍ୟ ପ୍ରାର୍ଥୀ ୧୩୦୨ ନମ୍ବର ରଖିଥିବାବେଳେ ଭିନ୍ନକ୍ଷମ ବର୍ଗର ଶେଷ ଯୋଗ୍ୟ ପ୍ରାର୍ଥୀ ୧୦୬୫ ନମ୍ବର ରଖିଛନ୍ତି ।

ଅଣୁଶ୍ରଭ ୪୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିବାରୁ ପରବର୍ତ୍ତୀ ସମୟରେ ଆୟୋଗ ତାଙ୍କ ପ୍ରାର୍ଥୀତ୍ୱକୁ ନାକଚ କରିଦେଇଛି । ୨୫ବର୍ଷ ବୟସ୍କ ଏହି ମେଧାବୀ ଭିନ୍ନକ୍ଷମ ପ୍ରାର୍ଥୀ ପ୍ରଥମଥର ପାଇଁ ପ୍ରତିଯୋଗିତା ପରୀକ୍ଷା ଦେଇ ତାଙ୍କ କୃତୀତ୍ୱ ପ୍ରଦର୍ଶନ କରିଥିଲେ । ସେ ଯେତିକି ନମ୍ବର ରଖିଛନ୍ତି ସେଥିରେ ଆୟୋଗର ୧୦୬ ଜଣିଆ ମେଧା ତାଲିକାରେ ତାଙ୍କ ସ୍ଥାନ ୧୮ରେ ରହିବାକଥା ।

ଭିନ୍ନକ୍ଷମ ସଶକ୍ତିକରଣ ଓ ସାଧାରଣ ପ୍ରଶାସନ ବିଭାଗ ଅଣୁଶ୍ରଭଙ୍କୁ ନ୍ୟାୟ ଦେବାପାଇଁ ଆୟୋଗଙ୍କୁ ଚିଠି ଲେଖିଥିଲେ ମଧ୍ୟ ମେଧା ତାଲିକାରେ ସଂଶୋଧନ କରାନଯିବାରୁ ଏହି ଭିନ୍ନକ୍ଷମ ପ୍ରାର୍ଥୀ ଚାକିରିରୁ ବଞ୍ଚିତ ହୋଇଥିବାବେଳେ ତାଙ୍କ ଠାରୁ ଢେର କମ୍‍ ନମ୍ବର ରଖିଥିବା ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀଙ୍କ ହାତରୁ ନିଯୁକ୍ତିପତ୍ର ଗ୍ରହଣକରି ଚାକିରିରେ ଯୋଗ ଦେଇଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019