ଏଏସ୍‍ଓଙ୍କ ପାଇଁ ପ୍ରସ୍ତାବ


ଲୋକସେବାଭବନରେ କାର୍ଯ୍ୟରତ ସହକାରୀ ସେକ୍ସନ ଅଫିସର (ଏଏସ୍‍ଓ) ମାନେ ଆଉ ସେକ୍ସନ ଅଫିସର (ଏସ୍‍ଓ), ଡେସ୍କ ଅଫିସର (ଡିଓ) କିମ୍ବା ଅଣ୍ଡର ସେକ୍ରେଟାରୀଙ୍କୁ ଫାଇଲ୍‍ ଦେବେନାହିଁ । ସେମାନେ ଏଣିକି ସିଧାସଳଖ ଭାବେ ଉପସଚିବ, ଯୁଗ୍ମ ସଚିବ ଓ ଅତିରିକ୍ତ ସଚିବଙ୍କୁ ଫାଇଲ୍‍ ଦେବାପାଇଁ ପ୍ରସ୍ତାବ ରହିଛି ।

ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ଏହି ମର୍ମରେ ବିଭାଗକୁ ପତ୍ର ଲେଖିଛନ୍ତି । ବିଭାଗକୁ ପଠା ଯାଇଥିବା ପତ୍ରରେ କୁହାଯାଇଛି ଯେ ନିକଟ ଅତୀରେ ଦୁଇ ପର୍ଯ୍ୟାୟରେ ୧୩୦୦ ଏଏସ୍‍ଓ ସଚିବାଳୟ ସେବା କ୍ୟାଡରରେ ନିଯୁକ୍ତ ହୋଇଛନ୍ତି । ସରକାରୀଙ୍କ ଯୋଜନା ପ୍ରସ୍ତୁତି ଓ ତାହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏହି ଅଧିକାରୀମାନଙ୍କର ଗୁରୁ ଦାୟିତ୍ୱ ରହିଛି ।

ତେବେ ନବ ନିଯୁକ୍ତ ୬୧ଜଣ ଏଏସ୍‍ଓଙ୍କ ସହିତ ହୋଇଥିବା ଆଲୋଚନାରୁ ଜଣାଯାଇଛି ଯେ ଏହି ଅଧିକାରୀମାନଙ୍କ ଠାରୁ ସରକାର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ ଆଦାୟ କରିପାରୁ ନାହାନ୍ତି । ତେଣୁ ଏଏସ୍‍ଓମାନଙ୍କୁ ପ୍ରଶାସନରେ ଅଧିକଭାବେ ଜଡିତ କରିବା ଲାଗି କେତେଗୁଡିଏ ପ୍ରସ୍ତାବ ଦିଆଯାଇଛି ।

ଏଥି ମଧ୍ୟରେ ଏଏସ୍‍ଓମାନେ ସିଧାସଳଖ ଭାବେ ଉପସଚିବ କିମ୍ବା ତଦୁର୍ଦ୍ଧ ପାହ୍ୟାର ଅଫିସରଙ୍କୁ ଫାଇଲ୍‍ ଦେବା ସହିତ ବିଭିନ୍ନ ଯୋଜନା ଓ ପ୍ରକଳ୍ପରେ ଏଏସ୍‍ଓମାନଙ୍କୁ ଜଡିତ ଲାଗି କୁହାଯାଇଛି । ମୁଖ୍ୟ ଶାସନ ସଚିବ କିମ୍ବା ଉନ୍ନୟନ କମିଶନରଙ୍କ ସମ୍ମୁଖରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପିତ ହେବା ସମୟରେ ସେହି କାର୍ଯ୍ୟରେ ଜଡିତ ଏଏସ୍‍ଓମାନଙ୍କୁ ଉପସ୍ଥିତ ରହିବାପାଇଁ ପ୍ରସ୍ତାବ ରହିଛି ।

ଏଥି ସହିତ ନିୟମିତ ବ୍ୟବଧାନରେ ଏଏସ୍‍ଓମାନଙ୍କୁ ନିର୍ଦ୍ଦେଶାଳୟ ସହିତ ଯୋଗାଯୋଗରେ ରହିବା ଏବଂ କ୍ଷେତ୍ର ପରିଦର୍ଶନ ଯାଇ ଅନୁଭୂତି ସଂଗ୍ରହ ଲାଗି କୁହାଯାଇଛି । ସେହିଭଳି ବିଭିନ୍ନ ବିଭାଗରେ ଥିବା ପ୍ରକଳ୍ପ ପରିଚାଳନା ୟୁନିଟ୍‍ (ପିଏମ୍‍ୟୁ) ସହିତ ଏଏସ୍‍ଓମାନଙ୍କୁ ଜଡିତ ଲାଗି ପ୍ରସ୍ତାବ ଦିଆଯାଇଛି । ଏହା ଫଳରେ ସେମାନେ ତ୍ୱରିତ ବେଗରେ କାର୍ଯ୍ୟ କରିବାର ଶୈଳୀ ଗ୍ରହଣ କରିପାରିବେ ।

ମୁଖ୍ୟ ଶାସନ ଦେଇଥିବା ଏହି ପ୍ରସ୍ତାବ ଚୂଡାନ୍ତ ହୋଇନଥିବାବେଳେ ବିଭାଗ ମାନେ ଚାହିଁଲେ ନିଜ ଆଡୁ ମଧ୍ୟ ଅଭିନବ ପଦକ୍ଷେପମାନ ଗ୍ରହଣ କରିପାରିବେ । ତେବେ ପରବର୍ତ୍ତୀ ସଚିବ ସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ମଧ୍ୟ କୁହାଯାଇଛି ।

ଉଲ୍ଲେଖନୀୟ ଯେ ୧୯୩୬ ମସିହାର ସଚିବାଳୟ ନିର୍ଦ୍ଦେଶାବଳୀ ଆଧାରରେ ଏବେ ସଚିବାଳୟ କ୍ୟାଡରର ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି । ସେହି ଆଧାରରେ ଏଏସ୍‍ଓମାନେ ଏସ୍‍ଓଙ୍କୁ ଫାଇଲ୍‍ ଦେଉଥିବାବେଳେ ଏସ୍‍ଓମାନେ ଅଣ୍ଡରସେକ୍ରେଟାରୀଙ୍କୁ ଫାଇଲ୍‍ ଦେଇଥାନ୍ତି । ଅଣ୍ଡରସେକ୍ରେଟାରୀଙ୍କ ଠାରୁ ଫାଇଲ୍‍ଟି ଡେପୁଟୀ ସେକ୍ରେଟାରୀଙ୍କ ବାଟ ଦେଇ ଉପରକୁ ଉଠିଥାଏ । ଏବେ ବି ବରିଷ୍ଠ ତଥା ଅଭିଜ୍ଞ ଏଏସ୍‍ଓମାନେ ସେମାନଙ୍କ ଉପରେ ଥିବା ଏସ୍‍ଓମାନଙ୍କୁ ଫାଇଲ୍‍ ଦେଉଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019