ବିଜେଡି ସମ୍ପତ୍ତି ୫୩ ପ୍ରତିଶତ ବଢିଛି


ଗୋଟିଏ ବର୍ଷରେ ବିଜୁ ଜନତା ଦଳର ସମ୍ପତ୍ତି ପରିମାଣ ୫୩.୩୦ ପ୍ରତିଶତ ବଢିଛି । ୨୦୧୬-୧୭ ବର୍ଷରେ ବିଜେଡି ତାହାର ମୋଟ୍‍ ସମ୍ପତ୍ତି ପରିମାଣ ୧୬.୪୨ କୋଟି ଟଙ୍କା ଦର୍ଶାଇ ଥିବାବେଳେ ୨୦୧୭-୧୮ ବର୍ଷରେ ଏହା ବୃଦ୍ଧିପାଇ ୨୫କୋଟି ୧୭ଲକ୍ଷ ଟଙ୍କାରେ ପହଞ୍ଚିଛି । ନେସନାଲ୍‍ ଇଲେକସନ ୱାଚ୍‍ ଓ ଏଡିଆର ପକ୍ଷରୁ ଆଞ୍ଚଳିକ ଦଳ ଗୁଡିକର ସମ୍ପତ୍ତି ପରିମାଣ ବିଶ୍ଲେଷଣ କରି ଏହି ସୂଚନା ଦିଆଯାଇଛି ।

ଏଡିଆର ତାହାର ରିପୋର୍ଟରେ ଦର୍ଶାଇଛି ଯେ ୨୦୧୬-୧୭ ବର୍ଷରେ ଦେଶର ୩୯ଟି ରାଜନୈତିକଦଳ ସେମାନଙ୍କର ସମ୍ପତ୍ତି ପରିମାଣ ୧୨୬୭କୋଟି ୮୧ଲକ୍ଷ ଟଙ୍କା ଥିବା ଦର୍ଶାଇଥିଲେ । ତେବେ ୨୦୧୭-୧୮ ବର୍ଷରେ ୪୧ଟି ଆଞ୍ଚଳିକ ଦଳ ସେମାନଙ୍କର ସମ୍ପତ୍ତି ପରିମାଣ ୧୩୨୦କୋଟି ୬ଲକ୍ଷ ଟଙ୍କା ହୋଇଥିବା ଦର୍ଶାଇଛନ୍ତି । ତେବେ ଏହି ସମୟ ମଧ୍ୟରେ ବିଜେଡିର ସମ୍ପତ୍ତି ପରିମାଣ ୧୬କୋଟି ୪୨ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୨୫କୋଟି ୧୭ଲକ୍ଷ ଟଙ୍କାରେ ପହଞ୍ଚିଛି ।

ଆଞ୍ଚଳିକଦଳ ଗୁଡିକ ମଧ୍ୟରେ ସମ୍ପତ୍ତି ପରିମାଣ କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ରହିଛି ସମାଜବାଦୀ ପାର୍ଟି । ଏହି ଦଳର ସମ୍ପତ୍ତି ପରିମାଣ ୨୦୧୬-୧୭ ବର୍ଷରେ ୫୭୧କୋଟି ୧୨ ଲକ୍ଷ ଟଙ୍କା ଥିବାବେଳେ ଗୋଟିଏ ବର୍ଷ ମଧ୍ୟରେ ତାହା ବୃଦ୍ଧି ପାଇ ୫୮୩କୋଟି ୨୯ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ଏହା ପଛକୁ ରହିଛି ଡିଏମ୍‍କେ । ଏହି ଦଳର ସମ୍ପତ୍ତି ୧୮୩ କୋଟି ରୁ ୧୯୧ କୋଟି ଟଙ୍କାକୁ ବଢିଥିବାବେଳେ ଏଆଇଏଡିଏମ୍‍କେର ସମ୍ପତ୍ତି ପରିମାଣ ୧୮୭କୋଟି ୭୨ଲକ୍ଷ ଟଙ୍କାରୁ ୧୮୯ କୋଟି ୫୪ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ଟିଡିପି, ଟିଆରଏସ୍‍, ଆରଜେଡି, ଜେଡିଏସ୍‍ ଓ ଜେଡିୟୁ ଭଳି ଆଞ୍ଚଳିକ ରାଜନୈତିକଦଳର ସମ୍ପତ୍ତି ପରିମାଣ ବି ବୃଦ୍ଧି ପାଇଥିବା ନେସନାଲ ଇଲେକସନ ୱାଚ ତାହାର ସର୍ବଶେଷ ରିପୋର୍ଟରେ ଦର୍ଶାଇଛି ।

ଏଥିରେ ଦର୍ଶାଯାଇଛି ଯେ ୨୦୧୬-୧୭ ବର୍ଷରେ ୧୦ଟି ପ୍ରମୁଖ ଆଞ୍ଚଳିକ ରାଜନୈତିକଦଳର ସମ୍ପତ୍ତି ପରମାଣ ୧୧୭କୋଟି ଟଙ୍କା ଥିବାବେଳେ ୨୦୧୭-୧୮ ବର୍ଷରେ ତାହା ୧୨୫କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଆଞ୍ଚଳିକ ଦଳ ଗୁଡିକ ସେମାନଙ୍କ ସମ୍ପତ୍ତି ଭାବେ ସ୍ଥାୟୀ ସମ୍ପତ୍ତି, ଋଣ ଏବଂ ଅଗ୍ରୀମ, ଏଫ୍‍ଡିଆର/ଜମା, ଟିଡିଏସ୍‍, ନିବେଶ ଏବଂ ଅନ୍ୟାନ୍ୟ ଦର୍ଶାଇଥାନ୍ତି । ୨୦୧୭-୧୮ ବର୍ଷରେ ଆଞ୍ଚଳିକଦଳ ଗୁଡିକ ସ୍ଥାୟୀ ଜମା ଆକାରରେ ୮୫୯କୋଟି ୮୯ ଲକ୍ଷ ଟଙ୍କା ଥିବା ଦର୍ଶାଇଥିଲେ ଯାହାକି ମୋଟ୍‍ ସମ୍ପତ୍ତିର ୬୫.୧୫ ପ୍ରତିଶତ ଅଟେ ।

ସେହିଭଳି ଏହି ରାଜନୈତିକଦଳ ଗୁଡିକ ୨୦୧୬-୧୭ ବର୍ଷରେ ୧୬୮କୋଟି ୯୧ ଲକ୍ଷ ଟଙ୍କା ନିବେଶ କରିଥିବାବେଳେ ୨୦୧୭-୧୮ ବର୍ଷରେ ଏହାର ପରିମାଣ ୧୮୦କୋଟି ୮୯ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ଅର୍ଥ ନିବେଶ କ୍ଷେତ୍ରରେ ଡିଏମ୍‍କେ ଦଳ ସବୁଠାରୁ ଆଗରେ ରହିଛି । ୨୦୧୭-୧୮ ବର୍ଷରେ ଏହି ଦଳ ଏକାକୀ ୧୭୧ କୋଟି ୪୮୪ କୋଟି ଟଙ୍କା ନିବେଶ କରିଥିଲା ଯାହାକି ପୂର୍ବବର୍ଷ ତୁଳନାରେ ପ୍ରାୟ ୧୦କୋଟି ଟଙ୍କା ଅଧିକ ଥିଲା ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019