ବଢିଲା ମହଙ୍ଗା ଭତା


କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ଭୋଗୀମାନଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତା ଓ ସହାୟତା ବୃଦ୍ଧି ପ୍ରସ୍ତାବକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ଆଜି ମଞ୍ଜୁରି ପ୍ରଦାନ କରିଛନ୍ତି ।

ଚଳିତ ବର୍ଷ ଜୁଲାଇ ୧ ତାରିଖ ଠାରୁ ଏହା ପିଛିଲା ଭାବେ ଲାଗୁହେବ । ଦର ବୃଦ୍ଧିକୁ ଭରଣା କରିବା ପାଇଁ ମୂଳ ଦରମା ଓ ଭତା ଉପରେ ବର୍ତମାନର ପ୍ରଚଳିତ ୧୨ ପ୍ରତିଶତ ମହଙ୍ଗା ଭତାକୁ ୫ ପ୍ରତିଶତ ବୃଦ୍ଧି କରାଯିବ । ସପ୍ତମ ବେତନ କମିଶନର ସୁପାରିଶ ଆଧାରରେ ସ୍ଥିର କରାଯାଇଥିବା ସୂତ୍ର ଅନୁଯାୟୀ ଏହି ମହଙ୍ଗାଭତା ବୃଦ୍ଧି ଲାଗୁ କରାଯାଇଛି ।

ଏହି ମହଙ୍ଗା ଭତା ଓ ସହାୟତା ରାଶି ଲାଗୁ କରାଯିବା ଦ୍ୱାରା ରାଜକୋଷ ଉପରେ ୨୦୧୯-୨୦ ଆର୍ଥିକ ବର୍ଷରେ (ଜୁଲାଇ ୨୦୧୯ରୁ ଫେବୃଆରୀ ୨୦୨୦, ୮ ମାସ ପର୍ଯ୍ୟନ୍ତ) ୧୫୯୦୯.୩୫ ଏବଂ ୧୦୬୦୬.୨୦ କୋଟି ଟଙ୍କାର ବୋଝ ପଡିବ । ଏହା ଲାଗୁ ହେବା ପରେ ପ୍ରାୟ ୪୯.୯୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୫.୨୬ ଲକ୍ଷ ପେନସନଧାରୀ ଉପକୃତ ହେବେ ।

ଦରବୃଦ୍ଧି ଅନୁଯାୟୀ ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ମହଙ୍ଗା ଭତା ଓ ସହାୟତା ରାଶି ପ୍ରଦାନ କରାଯାଇଥାଏ । ପ୍ରତିବର୍ଷ ଜାନୁଆରୀ ୧ ଏବଂ ଜୁଲାଇ ୧ରେ ମହଙ୍ଗା ଭତା ଓ ସହାୟତା ରାଶିକୁ ପୁନଃ ନିର୍ଦ୍ଧାରିତ କରାଯାଇଥାଏ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019