ବିଜେପୁର ଏବେ ଖାଁ ଖାଁ


ଆସନ୍ତା ୨୧ ତାରିଖରେ ଭୋଟ ହେବାକୁ ଥିବା ବିଜେପୁର ଉପନିର୍ବାଚନ ପ୍ରଚାର ଲାଗି ହାତରେ ଆଉ ଦଶଦିନରୁ କମ୍‍ ସମୟ ଥିବାବେଳେ ମଇଦାନ କିନ୍ତୁ ଖାଁ ଖାଁ । ପାର୍ବଣ ଯୋଗୁଁ ବିଜେପୁର ପ୍ରଚାର ମଙ୍ଗ ଧରିଥିବା ନେତାମାନେ ଘରକୁ ପଳାଇଥିବାବେଳେ ସ୍ଥାନୀୟ ନେତା ଯାହା କିଛି ପ୍ରଚାର ଜାରି ରଖିଛନ୍ତି ।

ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ ଥିବାବେଳେ ନିଜ ନିଜ ଦଳର ଷ୍ଟାର ପ୍ରଚାରକଙ୍କ ନାମ ବି ଘୋଷଣା କରିଛନ୍ତି । ହେଲେ ପାର୍ବଣ ଋତୁ ଯୋଗୁଁ ଷ୍ଟାର ପ୍ରଚାରକମାନେ ବିଜେପୁର ଯିବାକୁ ରାଜି ହେଉନାହାନ୍ତି ।

ଯେଉଁମାନେ ପୂଜା ପୂର୍ବରୁ ବିଜେପୁର ଯାଇଥିଲେ ସେମାନେ ଛୁଟି ସମୟରେ ଫେରି ଆସିଛନ୍ତି । କିଏ ପରିବାର ସହିତ ବାହାରକୁ ଯାଇଛି ତ ଆଉ କିଏ ନିଜ ନିଜ ଅଞ୍ଚଳରେ ପୂଜା ପାର୍ବଣରେ ମାତିଛି । ବିଜେଡିର ପ୍ରଚାର ମଙ୍ଗ ଧରିଥିବା ଅନେକ ଟାଣୁଆ ନେତା ଉପକୂଳର ହୋଇଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂଜାରେ ବିଜେପୁର ଛାଡିଛନ୍ତି ।

ଅନୁରୂପ ଅବସ୍ଥା ବିଜେପିର । ଦଳର ପ୍ରଚାର ଦାୟିତ୍ୱରେ ଥିବା ନେତାମାନେ ପୂଜାରେ ବ୍ୟସ୍ତ ରହିଥିବାରୁ କର୍ମୀମାନେ ବି ମଇଦାନକୁ ଯିବାକୁ ନାରାଜ । ସମସ୍ତେ ନେତାଙ୍କ ଅପେକ୍ଷାରେ । ଷ୍ଟାର ପ୍ରଚାରକମାନେ ପୂଜାପରେ ପୂରା ଦମ୍‍ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳୁଛି । ତେବେ କଂଗ୍ରେସର କୌଣସି ରାଜ୍ୟସ୍ତରୀୟ ନେତା ପ୍ରଚାରକୁ ଯାଇନଥିବାବେଳେ ସେମାନେ ମଧ୍ୟ ପୂଜାପରେ ବିଜେପୁର ଗସ୍ତ କରିବେ ବୋଲି ସୂଚନା ମିଳୁଛି ।

ଉଲ୍ଲେଖନୀୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ହୋଇଥିବା ବିଜେପୁର ଆସନଟି ଛାଡିବାପରେ ସେଠାରେ ଆସନ୍ତା ୨୧ ତାରିଖରେ ଉପର୍ନିବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ବିଜେଡି ତାହାର ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ ଗତଥର ନବୀନଙ୍କ ସହିତ ଲଢି ହାରିଥିବା ସନତ ଗରତିଆଙ୍କୁ ବିଜେପି ପ୍ରାର୍ଥୀ କରିଛି । ସେହିଭଳି କଂଗ୍ରେସ ତାହାର ବରଗଡ ଜିଲ୍ଲା ଉପସଭାପତି ଦିଲ୍ଲୀପ ପଣ୍ଡାଙ୍କୁ ମଧ୍ୟ ମଇଦାନକୁ ଓହ୍ଲାଇଛି ।

ଏହି ଉପନିର୍ବାଚନରେ ତିନି ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଏଥର ଲଢେଇ ଜୋରଦାର ହେବାକୁ ଯାଉଥିବାବେଳେ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା ସତ୍ୱେ ପ୍ରଚାରରେ କିନ୍ତୁ ପାର୍ବଣ ବାଧକ ସାଜିଛି । ଦଶହରା ପରେ ହାତରେ ଅଳ୍ପଦିନ ରହୁଥିବାରୁ ପ୍ରଚାରକୁ ଜୋରଦାର କରିବାପାଇଁ ତିନିଦଳ ଏବେ ରଣନୀତି ପ୍ରସ୍ତୁତ ଚଳାଇଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019