ଗଣମାଧ୍ୟମରେ ସ୍ୱଚ୍ଛତା ଜରୁରୀ


ଏକ ମୁକ୍ତ ଏବଂ ସ୍ୱଚ୍ଛ ଗଣମାଧ୍ୟମ କେବଳ ଏକ ସୁସ୍ଥ ଗଣତନ୍ତ୍ରର ଅଂଶବିଶେଷ ନୁହେଁ ବରଂ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ବିବେଚନା କରାଯାଇଥାଏ-ଏପରି ଏକ ସ୍ତମ୍ଭ ଯାହା ଗଣତନ୍ତ୍ରକୁ ସହାୟତା କରିଥାଏ, ପରିପୃଷ୍ଟ କରିଥାଏ ଓ ସମୃଦ୍ଧ କରିଥାଏ ତଥା ଯେତେବେଳେ ଆବଶ୍ୟକ ଏଥିରେ ସଂଶୋଧନ ଆଣିବାରେ ସହାୟକ ହୋଇଥାଏ । ଗଣମାଧ୍ୟମ ବିନା ଗଣତନ୍ତ୍ର ଚକ ନଥିବା ବାହନ ଭଳି ।

ଦୈନିକ ଓଡିଆ ସମ୍ବାଦପତ୍ର ସମାଜ ର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଏମ୍‍.ଭେଙ୍କିୟା ନାଇଡୁ । ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଉପରାଷ୍ଟ୍ରପତି କହିଥିଲେ ଯେ ୧୭୮୦ ମସିହାରେ ଜେମ୍ସ ଅଗଷ୍ଟସ ହିକ୍କିଙ୍କ ଦ୍ୱାରା ଭାରତର ପ୍ରଥମ ସମ୍ବାଦପତ୍ର ‘ବେଙ୍ଗଲ ଗେଜେଟ’ ପ୍ରକାଶ ପାଇଥିଲା । ସେବେଠାରୁ ଭାରତରେ ସମ୍ବାଦପତ୍ରର ଦୀର୍ଘ ଏବଂ ଗୌରବଶାଳୀ ଇତିହାସ ରହିଆସିଛି ।

ବ୍ରିଟିଶ ଶାସନରୁ ମୁକ୍ତି ପାଇବା ଲାଗି ସଂଘର୍ଷ ଆରମ୍ଭ ହେବା ସମୟରେ ସମ୍ବାଦପତ୍ର ଜନଗଣଙ୍କୁ ଅନୁପ୍ରାଣିତ କରିବା ଏବଂ ସେମାନଙ୍କ ଆଶାଆକାଂକ୍ଷାକୁ ସ୍ୱର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ସ୍ୱାଧୀନତାର ମହାନ ଲକ୍ଷ୍ୟ ହାସଲ ପାଇଁ ସଂଘର୍ଷ କରିବା ଲାଗି ବିଭିନ୍ନ କ୍ଷେତ୍ରର ଲୋକମାନଙ୍କୁ ଏକଜୁଟ କରିବାରେ ଏହା ମହାନ ଏକୀକରଣର ସୂତ୍ରଧର ସାଜିଥିଲା ।

ଆଜି ଭାରତର ସକ୍ରିୟ ଗଣମାଧ୍ୟମ ହଜାର ହଜାର ପତ୍ରପତ୍ରିକା ଓ ସମ୍ବାଦପତ୍ର, ଶତାଧିକ ଟିଭି ଚ୍ୟାନେଲ ଓ ଶହ ଶହ ରେଡିଓ ଷ୍ଟେସନ ଦ୍ୱାରା ସମୃଦ୍ଧ ହୋଇଛି । ନିଶ୍ଚିତ ଭାବେ, ଆପଣ ସମସ୍ତଙ୍କ ନିକଟରେ ସାମାଜିକ ଗଣମାଧ୍ୟମ ରହିଛି, ଯାହା ଡିଜିଟାଲ ଯୁଗରେ ସୂଚନାର ପ୍ରମୁଖ ବାହକ ସାଜିଛି ।

ଗଣତନ୍ତ୍ର ହେଉଛି ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କର ସରକାର । ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଲାଗି ଏହା ସବୁ ନାଗରିକମାନଙ୍କୁ ସମାନ ସୁଯୋଗ ଦେଇଥାଏ । ଏହା ମଧ୍ୟ ନାଗରିକମାନଙ୍କୁ କେତେକ ଅବିଚ୍ଛେଦ୍ୟ ଅଧିକାର ଏବଂ ସ୍ୱାଧୀନତା ଦେଇଛି ।

ପ୍ରଶାସନିକ ପ୍ରକ୍ରିୟାରେ ବ୍ୟାପକ ଅଂଶଗ୍ରହଣ ରହିଲେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ସଫଳ ହୋଇଥାଏ । ନାଗରିକମାନେ ଭଲ ଭାବେ ସୂଚିତ ଏବଂ ଶିକ୍ଷିତ ହୋଇଥିଲେ ଏହି ଅଂଶଗ୍ରହଣ ଅଧିକ ଫଳପ୍ରଦ ହୋଇଥାଏ । ଏକ ଗଣତାନ୍ତ୍ରିକ ସମାଜରେ ସୂଚନାର ଉପଲବ୍ଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ନାଗରିକଙ୍କୁ ଅଧିକ ଉତରଦାୟୀ କରିଥାଏ, ସେମାନେ ଅଜ୍ଞତା ଓ ଭୂଲସୂଚନା ଦ୍ୱାରା କାର୍ଯ୍ୟ କରିବା ବଦଳରେ ସୂଚିତ ହେବାର ବିକଳ୍ପ ପାଇଥାନ୍ତି । ତେଣୁ ସୂଚନାର ଏକ ବିଶ୍ୱସନୀୟ ଉତ୍ସ ଏକ ଗଣତାନ୍ତ୍ରିକ ସମାଜର ଗୁରୁତ୍ୱପୂର୍ଣ୍ଣ ଉପାଦାନ ।

ଗଣମାଧ୍ୟମ ଜନସାଧାରଣଙ୍କୁ ସୂଚିତ, ଶିକ୍ଷିତ ଓ ସଚେତନ କରିବା ଆବଶ୍ୟକ । ଜନମତ ସୃଷ୍ଟି କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଜନସାଧାରଣଙ୍କୁ ସଶକ୍ତ କରିବା ଉଚିତ ଏବଂ ପ୍ରଶାସନିକ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଉତରଦାୟୀ କରିବାରେ ସହାୟକ ହେବା ଉଚିତ । ଏହା ଜନସାଧାରଣଙ୍କ ସ୍ୱରକୁ ଅଧିକ ଶକ୍ତିଶାଳୀ କରିବା ଆବଶ୍ୟକ ଏବଂ ଏହାକୁ ନୀତିନିର୍ଦ୍ଧାରକଙ୍କ ନିକଟରେ ପହଁଚାଇବା ଆବଶ୍ୟକ ।

ଗଣତନ୍ତ୍ରରେ ଉତମ ପ୍ରଶାସନ ସୁନିଶ୍ଚିତ କରିବା ଦିଗରେ ମଧ୍ୟ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ପ୍ରଶାସନିକ କାର୍ଯ୍ୟକଳାପ, ବିଶେଷ କରି ବିକେନ୍ଦ୍ରୀକରଣ, ଦୁର୍ନୀତି ନିବାରଣ ଓ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ନାଗରିକଙ୍କ ଭାଗିଦାରୀ କ୍ଷେତ୍ରରେ ଗଣମାଧ୍ୟମର ସହାୟତା ଫଳପ୍ରଦ ହୋଇଥାଏ ।

ସ୍ୱଚ୍ଛ ପ୍ରକ୍ରିୟାରେ ସମ୍ପାଦିତ ହେଉଥିବା ମୁକ୍ତ ଏବଂ ଅବାଧ ନିର୍ବାଚନ ସମୟରେ ଗଣମାଧ୍ୟମର ଆବଶ୍ୟକତା ରହିଥାଏ, ଯାହା ପ୍ରାର୍ଥୀଙ୍କୁ ନିରପେକ୍ଷ ଲୋକସମ୍ପର୍କ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମୟୋପଯୋଗୀ ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଧାରିତ ଖବର ପରିବେଷଣର ସୁବିଧା ପ୍ରଦାନ କରିଥାଏ ।

ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ତ୍ରୁଟିବିଚ୍ୟୁତିକୁ ମଧ୍ୟ ଗଣମାଧ୍ୟମ ଜାଗ୍ରତ କରିବା ଆବଶ୍ୟକ, ଯାହା ଶେଷରେ ଅଭାବ ଓ ତ୍ରୁଟିକୁ ଦୂର କରିବାରେ ସରକାରଙ୍କୁ ସହାୟକ ହୋଇଥାଏ, ଫଳରେ ବ୍ୟବସ୍ଥା ଅଧିକ ଉତରଦାୟୀ, ଦାୟିତ୍ୱସମ୍ପନ୍ନ ଏବଂ ନାଗରିକ କୈନ୍ଦ୍ରିକ ହୋଇଥାଏ ।

ଯଦିଓ ଆମ ସମ୍ବିଧାନର ମୌଳିକ ଅଧିକାରରେ ଗଣମାଧ୍ୟମର ସ୍ୱାଧୀନତାକୁ ମାନ୍ୟତା ଦିଆଯାଇନାହିଁ- ତଥାପି ସାମ୍ବିଧାନିକ ସଭା ଏହା ଉପରେ ବ୍ୟାପକ ବିତର୍କ କରିବା ପରେ ଗଣମାଧ୍ୟମ ସ୍ୱାଧୀନତାକୁ ସମ୍ବିଧାନ ପ୍ରଦତ ଅଭିବ୍ୟକ୍ତିର ମୌଳିକ ଅଧିକାରର ଏକ ସମ୍ପ୍ରସାରିତ ସ୍ୱରୂପ ଭାବେ ବିବେଚନା କରିବା ଲାଗି ସହମତି ହୋଇଥିଲା ।

ଏହାପରେ, ସୁପ୍ରିମକୋର୍ଟଙ୍କ କେତେକ ଆଦେଶ ଏହି ମାନ୍ୟତାକୁ ବୈଧତା ପ୍ରଦାନ କରିଥିଲା । ମହାତ୍ମା ଗାନ୍ଧୀ ଏକଦା କହିଥିଲେ, “ଗଣମାଧ୍ୟମ ସ୍ୱାଧୀନତା ଏକ ମୂଲ୍ୟବାନ ସ୍ୱତନ୍ତ୍ରାଧିକାର ଯାହାକୁ କୌଣସି ରାଷ୍ଟ୍ର ଅଣଦେଖା କରିପାରିବେ ନାହିଁ ।” ଗଣମାଧ୍ୟମ ଏକ ଜାତୀୟ ସମ୍ପତି ଯାହାକୁ ସାମ୍ବାଦିକମାନେ ଜନସାଧାରଣଙ୍କ ବିଶ୍ୱାସରେ ଉପଯୋଗ କରିଥାନ୍ତି । ମହାତ୍ମା ଗାନ୍ଧୀ ଥରେ କହିଥିଲେ ଯେ ସାମ୍ବାଦିକଙ୍କ କର୍ତବ୍ୟ ହେଉଛି ଦେଶର ବାସ୍ତବ ଜନମତକୁ ସାହସିକତା ସହିତ ସ୍ୱର ପ୍ରଦାନ କରିବା ।

ଏହି ଗୁରୁଦାୟିତ୍ୱକୁ ଧ୍ୟାନରେ ରଖି ଗଣମାଧ୍ୟମ ସର୍ବଦା ସଚ୍ଚୋଟ ଓ ସତ୍ୟବାଦୀ ରହିବା ଆବଶ୍ୟକ । ଜନସାଧାରଣଙ୍କ କଲ୍ୟାଣ ଓ ଦେଶର ପ୍ରଗତିକୁ ନିଜ କାର୍ଯ୍ୟପ୍ରକ୍ରିୟାର କେନ୍ଦ୍ରରେ ରଖି ଅଧିକ ସଂଯମ ଓ ଉତରଦାୟିତ୍ୱର ସହ କାର୍ଯ୍ୟ କରିବା ଉଚିତ ।

ଆପଣମାନେ ସ୍ୱରହୀନ ଲୋକଙ୍କ ସ୍ୱର ଓ ଅସହାୟଙ୍କ ସହାୟକ ହେବା ହେବା ଉଚିତ । ଗଣମାଧ୍ୟମ ପରିବର୍ତନର ବାହକ ସାଜିବା ଉଚିତ । ସକାରାତ୍ମକ କାହାଣୀ ଏବଂ ଶ୍ରେଷ୍ଠ ପ୍ରଚଳନକୁ ଆଗକୁ ଆଣି ସବୁଆଡ଼େ ସକାରାତ୍ମକ ପରିବର୍ତନକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ।

ଦାରିଦ୍ର୍ୟ ଠାରୁ ଆରମ୍ଭ କରି ରୋଗ ଏବଂ ଜଳବାୟୁ ପରିବର୍ତନ ଭଳି ଆମ ସମୟର ଜଟିଳ ସମସ୍ୟା ସମାଧାନ କରିବା ଦିଗରେ ଗଣମାଧ୍ୟମ ଗଠନମୂଳକ ଭୂମିକା ନିର୍ବାହ କରିବା ଉଚିତ । ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବାରେ ଭାରତୀୟ ଗଣମାଧ୍ୟମର ପ୍ରଶଂସନୀୟ ଭୂମିକାକୁ ବିଶ୍ୱ ଦେଖିସାରିଛି ।

ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଭାଷାର ସୁରକ୍ଷା, ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦିଗରେ ମଧ୍ୟ ଗଣମାଧ୍ୟମ ଦାୟିତ୍ୱ ନିର୍ବାହ କରିବା ଉଚିତ । ଆମେ ଦ୍ରୁତଗତିରେ ପ୍ରସାର ଲାଭ କରୁଥିବା ସାମାଜିକ ଗଣମାଧ୍ୟମର ଯୁଗରେ ରହୁଛୁ, ଏଥିରୁ ହିଁ ମିଛ ଖବର ପ୍ରସାରିତ ହୋଇଥାଏ । ମିଛ ଖବରର ଏହି ବୃଦ୍ଧି ପାଉଥିବା ବିପଦ ଗଣମାଧ୍ୟମର ବିଶ୍ୱସନୀୟତାକୁ ନଷ୍ଟ କରୁଛି ।

ଏଭଳି ପରିସ୍ଥିତିରେ, ଆପଣ ଖବରର ସତ୍ୟତା ସାମ୍ନାକୁ ଆଣି ପ୍ରଭାବୀ ଢଙ୍ଗରେ ମିଛ ଖବରର ମୁକାବିଲା ଓ ପର୍ଦ୍ଦାଫାଶ କରିପାରିବେ । ଏପରି ମିଛ ଖବର ଉପରେ ଅଙ୍କୁଶ ଲଗାଇବା ପାଇଁ ଆପଣମାନେ ସୃଜନଶୀଳ ସମାଧାନ ଖୋଜିବା ଆବଶ୍ୟକ । ଆପଣମାନେ ସମାନ ଉତ୍ସାହର ସହ ଅର୍ଥ ବଦଳରେ ଖବର ପରିବେଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରୟାସ କରିବା ଉଚିତ ।

ଯଦିଓ ଆମେ ବୈଦ୍ୟୁତିକ ଏବଂ ଡିଜିଟାଲ ଗଣମାଧ୍ୟମର ଯୁଗରେ ରହୁଛୁ, ତଥାପି ଭାରତରେ ଏବେ ସୁଦ୍ଧା ଛାପା ଗଣମାଧ୍ୟମର ଗୁରୁତ୍ୱ ରହିଛି । ଏକ ଆକଳନ ଅନୁଯାୟୀ, ୨୦୧୮ରେ ଛାପା ଗଣମାଧ୍ୟମର ରାଜସ୍ୱ ୫.୬% ବୃଦ୍ଧି ପାଇଛି । ପରବର୍ତୀ ବର୍ଷ ଅଭିବୃଦ୍ଧିର ହାର ମଧ୍ୟ ସକାରାତ୍ମକ ରହିଛି ।

ମୋର ଆଶା ଯେ ଭାରତରେ ଅଧିକରୁ ଅଧିକ ଆଂଚଳିକ ସମ୍ବାଦପତ୍ର ପ୍ରକାଶ ପାଇବ । ଏଗୁଡ଼ିକ ଆଂଚଳିକ ଭାଷାକୁ ପ୍ରୋତ୍ସାହନ ଦେବା ସହିତ ଗ୍ରାମାଂଚଳ ସମୃଦ୍ଧିର ବାହକ ହେବେ । ଆଂଚଳିକ ସମ୍ବାଦପତ୍ରଗୁଡ଼ିକ ସ୍ଥାନୀୟ ଆଶାଆକାଂକ୍ଷାକୁ ପ୍ରତିଫଳିତ କରିବା ସହିତ ଜନସାଧାରଣଙ୍କ ଅଧିକ ନିକଟତର ହୋଇଥାନ୍ତି । ବିବେକପୂର୍ଣ୍ଣ, ଦ୍ରୁତ ଏବଂ ସତ୍ୟ ଖବର ପରିବେଷଣ ମାଧ୍ୟମରେ ଆପଣମାନେ ବାସ୍ତବରେ ଭାରତର ଗ୍ରାମୀଣ ପରିଦୃଶ୍ୟକୁ ବଦଳାଇପାରିବେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019