ଅବସରପ୍ରାପ୍ତ ଆଇଏଏସ ଅଫିସର ସିଟିଏମ ସୁଗୁଣା ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖାର ଅବୈତିନକ ସମ୍ପାଦକ ନିଯୁକ୍ତ  ୨ ବର୍ଷ ପାଇଁ ଶ୍ରୀମତୀ ସୁଗୁଣା ରେଡକ୍ରସ ସମ୍ପାଦକ ରହିବେ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁଗୁଣାଙ୍କୁ ଦେଲେ ନୂଆ ନିଯୁକ୍ତି  

ପୂର୍ତ୍ତ ବିଭାଗରେ ମାମଲା ବୋଝ


ପୂର୍ତ୍ତ ବିଭାଗ ଉପରେ ଏବେ ମାମଲା ବୋଝ ବଢି ବଢି ଚାଲିଛି । ବିଭାଗ ବିରୁଦ୍ଧରେ ୫୦ରୁ ଅଧିକ ଅଦାଲତ ଅବମାନନା ମାମଲା ଗଡୁଥିବାବେଳେ ପେନ୍‍ସନ ନପାଇ ବି ବହୁ କର୍ମଚାରୀ ମାମଲା ରୁଜୁ କରିବାରେ ଲାଗିଛନ୍ତି । ସେହିଭଳି ଠିକଣା ସମୟରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସରୁନଥିବାରୁ ବି ଅନେକ ମାମଲା ଗଡୁଛି ।

ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗରେ ରୁଜୁ ହୋଇଥିବା ଅଧିକାଂଶ ଅଦାଲତ ଅବମାନନା ମାମଲା ଓଡିଶା ଉଚ୍ଚ ନ୍ୟାୟାଳୟରେ ରୁଜୁ ହୋଇଛି । ନିଜ ନିଜ କାମ ପଇସା ପାଇବାପାଇଁ ଠିକାଦାରମାନେ ମାଳ ମାଳ ମାମଲା ରୁଜୁ କରିଛନ୍ତି । କେତେକ ମାମଲାରେ ସରକାରଙ୍କୁ ଅଦାଲତ ଦେଉଥିବା ନିର୍ଦ୍ଦେଶକୁ ପାଳନ ପରିବେର୍ତ୍ତ ତାହାକୁ ପକାଇ ରଖିବା ସହିତ ଠିକାଦାରମାନଙ୍କୁ ଦଉଡାଉ ଥିବାରୁ ଅଦାଲତ ଅବମାନନା ମାମଲା ସଂଖ୍ୟା ବଢିବାରେ ଲାଗିଛି । ଅବସ୍ଥା ଏଭଳି ହେଲାଣି ଯେ କେତେବେଳେ କେଉଁ ଅଧିକାରୀଙ୍କୁ ହାଇକୋର୍ଟରୁ ସମନ ଆସିବ ତାହା କହିହେଉନାହିଁ ।

କେବଳ ଅଦାଲତ ଅବମାନନା ମାମଲା ନୁହେଁ ଅନେକ କର୍ମଚାରୀଙ୍କ ପେନ୍‍ସନ୍‍ ମାମଲାର ଫଏସଲା ହେଉନଥିବାରୁ ସେମାନେ ବି ବାଧ୍ୟହୋଇ ଅଦାଲଦର ଦ୍ୱାରସ୍ଥ ହେଉଛନ୍ତି । ବିଭାଗୀୟ ଅଧିକାରୀମାନଙ୍କୁ ଭେଟି ମାମଲା ଫଏସଲା ପାଇଁ ଅନୁରୋଧ କଲେ ବି ତାହା ସହଜରେ ସମାଧାନ ହେଉନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଏଥିଯୋଗୁଁ ଅବସର ନେବାର ଦୀର୍ଘବର୍ଷ ପର୍ଯ୍ୟନ୍ତ କିଛି କର୍ମଚାରୀ ପେନ୍‍ସନ ନପାଇ ହନ୍ତସନ୍ତ ହେଉଥିବାବେଳେ ବିଭାଗ ଉପରେ ମାମଲାର ଚାପ ବଢିବାରେ ଲାଗିଛି ।

ସେହିଭଳି ଦୁର୍ନୀତି ଓ ଅନ୍ୟାନ୍ୟ ଅନିୟମିତତାରେ ଲିପ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଚାଲିଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଚୂଡାନ୍ତ ହୋଇପାରୁ ନାହିଁ । ଏପରିକି ମାମଲାର ସମ୍ମୁଖୀନ ହୋଇଥିବା ଅନେକ ବ୍ୟକ୍ତି ଅବସର ନେଉଥିଲେ ବି କାର୍ଯ୍ୟାନୁଷ୍ଠାନର ଚୂଡାନ୍ତ ରିପୋର୍ଟ ଦାଖଲ ହେଉନାହିଁ । ଏଥିଯୋଗୁଁ ସେମାନେ କେବଳ ପେନ୍‍ସନ ଓ ଅନ୍ୟାନ୍ୟ ପ୍ରାପ୍ୟ ପାଇବାରୁ ବଞ୍ôଚତ ହେଉଛନ୍ତି ତାହା ନୁହେଁ, ରିପୋର୍ଟ ପ୍ରଦାନରେ ବିଳମ୍ବକୁ ନେଇ ଅଧିକାଂଶ ଅଦାଲତର ଦ୍ୱାରସ୍ଥ ହୋଇ ବିଭାଗ ବିରୁଦ୍ଧରେ ମାମଲା ରୁଜୁ କରିବାରେ ଲାଗିଛନ୍ତି ।

ପୂର୍ତ୍ତ ବିଭାଗରେ ଦୀର୍ଘଦିନ ଧରି ଆସ୍ଥାନ ଜମାଇଥିବା କିଛି କର୍ମଚାରୀଙ୍କ ଯୋଗୁଁ ବିଭାଗ ଏଭଳି ଅବସ୍ଥାର ସମ୍ମୁଖୀନ ହେଉଥିବା କୁହାଯାଉଛି । ଜଣେ ଜଣେ କର୍ମଚାରୀ ଏଠାରେ ୧୫ବର୍ଷରୁ ଅଧିକ ଦିନ ଧରି ରହିଥିଲେ ମଧ୍ୟ କାହିଁକି ମାମଲାକୁ ଠିକଣା ଢଙ୍ଗରେ ପରିଚାଳନା ନକରି ବରିଷ୍ଠ ଅଧିକାରୀଙ୍କୁ କାଠଗଡାକୁ ଠେଲୁଛନ୍ତି ସେଥିନେଇ ପ୍ରଶ୍ନବାଚୀ ଉପୁଜିଲାଣି । ଯଦି ତୁରନ୍ତ ମାମଲାର ସମାଧାନ ନହୁଏ ତେବେ ବିଭାଗର ବରିଷ୍ଠ ଅଧିକାରୀମାନେ ହାଇକୋର୍ଟରେ ଜେରାର ସମ୍ମୁଖୀନ ହୋଇ ଦଣ୍ଡ ପାଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଉଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019