ଅବସରପ୍ରାପ୍ତ ଆଇଏଏସ ଅଫିସର ସିଟିଏମ ସୁଗୁଣା ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖାର ଅବୈତିନକ ସମ୍ପାଦକ ନିଯୁକ୍ତ  ୨ ବର୍ଷ ପାଇଁ ଶ୍ରୀମତୀ ସୁଗୁଣା ରେଡକ୍ରସ ସମ୍ପାଦକ ରହିବେ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁଗୁଣାଙ୍କୁ ଦେଲେ ନୂଆ ନିଯୁକ୍ତି  

ହାତୀ ସୁରକ୍ଷାରେ ଲାଗୁନି କାମ୍ପା ଅର୍ଥ


ବିଦ୍ୟୁତ୍‍ ଆଘାତରେ ସଂଖ୍ୟାଧିକ ହାତୀ ମୃତ୍ୟୁବରଣ କରୁଥିବାବେଳେ ଏହାର ନିରାକରଣ ଲାଗି କାମ୍ପା ପାଣ୍ଠିରୁ ଅର୍ଥ ବ୍ୟୟହୋଇ ପାରୁନାହିଁ । ଏଥିରେ ଥିବା ପୁରୁଣାକାଳିଆ ଆଇନ୍‍ ବ୍ୟବସ୍ଥା ଯୋଗୁଁ ଅର୍ଥ ମିଳିବାରେ ସମସ୍ୟା ଉପୁଜିଛି ।

ପ୍ରଥମଥର ପାଇଁ କେନ୍ଦ୍ର ସରକାର ଓଡିଶାକୁ କାମ୍ପା ଯୋଜନାରେ ସର୍ବାଧିକ ୫୯୩୩ କୋଟି ୮୯ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥରେ ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ସହିତ ବିଭିନ୍ନ ମୂଳକ ବିକାଶ କାର୍ଯ୍ୟ ଲାଗି ରାଜ୍ୟ ସରକାର ଅର୍ଥ ଆବଶ୍ୟକ କରିଛନ୍ତି । ଗତ ୧୦ବର୍ଷ ଧରି ନିୟମିତ ଭାବେ ବିଦ୍ୟୁତ୍‍ ଆଘାତରେ ହାତୀ ମରୁଥିବାବଳେ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ।

ଜଙ୍ଗଲ ଇଲାକା ହ୍ରାସପାଉଥିବାରୁ ହାତୀମାନେ ଜଙ୍ଗଲ ଛାଡି ଖୋଲା ସ୍ଥାନକୁ ପଳାଇ ଆସିବାରୁ ବିଦ୍ୟୁତ୍‍ ଆଘାତରେ ମୃତ୍ୟୁବରଣ କରୁଛନ୍ତି । ୨୦୧୮-୧୯ ବର୍ଷରେ ବିଭିନ୍ନ କାରଣ ଯୋଗୁଁ ମୋଟ୍‍ ୯୩ଟି ହାତୀଁ ମୃତ୍ୟୁବରଣ କରିଥିବାବେଳେ କେବଳ ବିଦ୍ୟୁତ୍‍ ଆଘାତରେ ୨୪ଟି ମରିଛନ୍ତି । ଦୁର୍ଘଟଣାରେ ୧୫ଟି ହାତୀ ମରିଥିବାବେଳେ ଆଉ ୯ଟି ଅନ୍ୟ କାରଣ ଯୋଗୁଁ ମରିଛନ୍ତି । ଏଭଳି ସ୍ଥିତିରେ ହାତୀ ମୃତ୍ୟୁ ରୋକିବା ପାଇଁ ବିଦ୍ୟୁତ୍‍ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

ବିଦ୍ୟୁତ୍‍ ଭିତ୍ତିଭୂମିର ସୁଦୃଢୀକରଣ ଲାଗି ଆବଶ୍ୟକ ପଡୁଥିବା ୫୫୦ କୋଟି ଟଙ୍କା କାମ୍ପା ପାଣ୍ଠିରୁ ବ୍ୟବହାର କରାଯାଇ ପାରିବ । ଶକ୍ତି ବିଭାଗ ପକ୍ଷରୁ ବିଦ୍ୟୁତ୍‍ ଭିତ୍ତିଭୂମି ବିକାଶ ଲାଗି ୩ଟି ପର୍ଯ୍ୟାୟ କାର୍ଯ୍ୟ ସରିଥିବାବେଳେ ବିତରଣ କମ୍ପାନୀ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଲାଗି ୫୫୦ କୋଟି ଟଙ୍କା ମଗାଯାଇଛି ।

କାମ୍ପା ପାଣ୍ଠିରୁ ଏହି ଅର୍ଥ ପ୍ରଦାନ ଲାଗି ଜଙ୍ଗଲ ଓ ପରିବେଶ ବିଭାଗକୁ ଅନୁରୋଧ କରାଯାଇଛି । ଜଙ୍ଗଲ ଓ ପରିବେଶ ବିଭାଗ ଅର୍ଥ ଦେବାକୁ ଚାହୁଁଥିବାବେଳେ କାମ୍ପା ପାଣ୍ଠିରେ ଥିବା ପୁରୁଣା ଆଇନ୍‍ କିନ୍ତୁ ବିଦ୍ୟୁତ୍‍ ଭିତ୍ତିଭୂମି ଲାଗି ଅର୍ଥ ପ୍ରଦାନ ପାଇଁ ଅନୁମତି ଦେଉନାହିଁ । ଏଭଳି ସ୍ଥିତିରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟକୁ ଏଭଳି କାର୍ଯ୍ୟ ଲାଗି କାମ୍ପା ପାଣ୍ଠି ଅର୍ଥ ବିନିଯୋଗ ସକାଶେ ଅନୁମତି ଦେବାକୁ ଅନୁରୋଧ କରାଯାଇଛି ।

ନୂଆଦିଲ୍ଲୀ ଠାରେ ଥିବା ଆବାସିକ ଆୟୁକ୍ତଙ୍କ ଦପ୍ତରର ବରିଷ୍ଠ ଅଧିକାରୀମାନେ ଏ ସଂକ୍ରାନ୍ତରେ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛନ୍ତି । କାମ୍ପା ଆଇନ୍‍ରେ ପରିବର୍ତ୍ତନ ଲାଗି ମଧ୍ୟ ବହୁ ସାଂସଦ ମନ୍ତ୍ରାଳୟ ନିକଟରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଅଧିକାରୀଙ୍କ ମଧ୍ୟରେ ବାଦାନୁବାଦ ଯୋଗୁଁ ଏହି ପ୍ରକ୍ରିୟା ବିଳମ୍ବିତ ହେଉଥିବାରୁ କମ୍ପା ପାଣ୍ଠିରେ ଏତେ ବିପୁଳ ପରିମାଣର ଅର୍ଥ ଥାଇ ମଧ୍ୟ ହାତୀ ସୁରକ୍ଷା ପାଇଁ ତାହା ବ୍ୟୟ ହୋଇପାରୁନାହିଁ ।

କାମ୍ପା ଆଇନ୍‍ରେ କେବଳ ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବ୍ୟବସ୍ଥା ଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ଲକ୍ଷ୍ୟକଲେ ଜଣାପଡୁଛି । ଅନୁରୂପ ଭାବେ ହାତୀମାନଙ୍କୁ ବିଦ୍ୟୁତ୍‍ ଆଘାତରୁ ରକ୍ଷା କରିବାଲାଗି ପାଣ୍ଠି ଯୋଗାଇ ଦେବାକୁ ଦାବି ହେଉଛି । ଏହା ଫଳରେ ଏହି ଜଙ୍ଗଲୀ ପଶୁମାନଙ୍କୁ ବିଦ୍ୟୁତ୍‍ ଆଘାତରୁ ରକ୍ଷା କରାଯାଇପାରିବ ବୋଲି ହାତୀକରଡରରେ ବିଦ୍ୟୁତ୍‍ ବିତରଣ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ ମତ ଦେଉଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019