ଅବସରପ୍ରାପ୍ତ ଆଇଏଏସ ଅଫିସର ସିଟିଏମ ସୁଗୁଣା ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖାର ଅବୈତିନକ ସମ୍ପାଦକ ନିଯୁକ୍ତ  ୨ ବର୍ଷ ପାଇଁ ଶ୍ରୀମତୀ ସୁଗୁଣା ରେଡକ୍ରସ ସମ୍ପାଦକ ରହିବେ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁଗୁଣାଙ୍କୁ ଦେଲେ ନୂଆ ନିଯୁକ୍ତି  

ହୋଇପାରେ ନୂଆ କାର୍ଯ୍ୟକ୍ରମ


ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଓଡ଼ିଶା ସରକାର କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ଯୋଜନା ଘୋଷଣା କରିପାରନ୍ତି । ଏଥିପାଇଁ ବିଭିନ୍ନ ବିଭାଗରେ ତତ୍ପରତା ପ୍ରକାଶ ପାଇଛି । ଜାତୀୟ ସ୍ତରରେ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଲାଗି ଏକ କମିଟି ଗଢ଼ା ଯାଇଥିବା ବେଳେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତବର୍ଷ ସେପ୍ଟେମ୍ବର ମାସରୁ ଏକ କମିଟି ଗଠନ କରାଯିବା ପରେ ଆଉ କେତେକ ଉପସମିତି ମଧ୍ୟ ଗଢ଼ା ଯାଇଛି ।

କେନ୍ଦ୍ରୀୟ କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦସ୍ୟ ରହିଛନ୍ତି । ଏହି ଅବସରରେ ଭାରତର ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦାବି କରିଆସୁଛନ୍ତି । ଇତିମଧ୍ୟରେ କେନ୍ଦ୍ରୀୟ କମିଟିର କେତେଗୁଡ଼ିଏ ବୈଠକ ଅନୁଷ୍ଠିତ ହେବା ସହିତ ଉପସମିତିଗୁଡ଼ିକୁ ସକ୍ରିୟ କରାଯାଇଛି ।

ଓଡ଼ିଶାରେ ରାଜ୍ୟସ୍ତରୀୟ ଗାନ୍ଧୀ ୧୫୦ କମିଟି ଗଢ଼ାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ହୋଇଥିଲା । ଇତିମଧ୍ୟରେ ବର୍ଷେ ବିତି ଯାଇଥିଲେ ମଧ୍ୟ ଏହି କମିଟିର ଆଉ ବୈଠକ ବସିନାହିଁ । ପ୍ରଥମ ବୈଠକରେ ଯେତେସବୁ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା ତାହା ଏଯାବତ୍‍ କାର୍ଯ୍ୟକାରୀ ହୋଇନାହିଁ ।

ତେବେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ କେତେଗୁଡ଼ିଏ ଉପସମିତି ଗଢ଼ା ଯାଇଥିଲେ ବି ସେଗୁଡ଼ିକର ବୈଠକ ବସୁନାହିଁ । ତେବେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ ସେପ୍ଟେମ୍ବରରେ ରାଜ୍ୟ ସରକାର ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ କମିଟି ଗଢ଼ିବା ପରେ ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଘୋଷଣା କରାଯାଇଥିଲା ତାହା ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ପର୍ଯ୍ୟାୟ କ୍ରମେ ଲାଗୁ କରାଯିବ ଏବଂ ଆଉ କେତେକ ନୂଆ କାର୍ଯ୍ୟକ୍ରମ ମଧ୍ୟ ସରକାର ହାତକୁ ନେବେ ।

ପ୍ରତି ଜିଲ୍ଲା ସଦର ମହକୁମାରେ ଏହି ଅବସରରେ ଗାନ୍ଧୀଜୀଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହେବ ଏବଂ ମୂର୍ତ୍ତି ଗଢ଼ିବା ଲାଗି ଟେଣ୍ଡର ପ୍ର୍ରକ୍ରିୟା ଶେଷ ହୋଇ ଏବେ କାରିଗରମାନେ ଯୁଦ୍ଧକାଳୀନ ଭିତ୍ତିରେ ମୂର୍ତ୍ତି ପ୍ରସ୍ତୁତିରେ ଲାଗିଛନ୍ତି । ସେହିଭଳି ବିଭିନ୍ନ ସ୍ଥାନରେ ଗାନ୍ଧୀଜୀଙ୍କ ତୈଳଚିତ୍ର ସ୍ଥାପନ ଲାଗି ଯେଉଁ ପ୍ରସ୍ତାବ ଥିଲା ତାହାର ବି ପ୍ରସ୍ତୁତି ପର୍ବ ଚାଲିଛି । ଏହାଛଡ଼ା ପ୍ରତି ବ୍ଲକ୍‍ରେ କସ୍ତୁରବା ଗାନ୍ଧୀ ଆଦର୍ଶ ଗ୍ରାମ ପଞ୍ଚାୟତ ଲାଗି ଥିବା ପ୍ରସ୍ତାବର କାର୍ଯ୍ୟକାରିତା ସମ୍ପର୍କରେ ତନାଘନା ଚାଲିଛି ।

ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ଲାଗି ବିଭାଗୀୟ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ସଂସ୍କୃତି ବିଭାଗ ଇତିମଧ୍ୟରେ କେତେଗୁଡ଼ିଏ ବକ୍ତୃତା ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜନ କରିଛି । ଏହାଛଡ଼ା ସାହିତ୍ୟ ଏକାଡେମୀ ମାଧ୍ୟମରେ ଗାନ୍ଧୀ ସାହିତ୍ୟ ଛପାଇବା ଲାଗି କାମ ଚାଲୁଛି । ସଙ୍ଗୀତ ନାଟକ ଏକାଡେମୀ ମଧ୍ୟ ଏଥିପାଇଁ ବର୍ଷବ୍ୟାପୀ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି ।

ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗ ମାଧ୍ୟମରେ ବି ଅନେକଗୁଡ଼ିଏ କାର୍ଯ୍ୟକ୍ରମ ସରକାର ରୂପାୟିତ କରିବାକୁ ଯାଉଛନ୍ତି । ଗାଁରୁ ସହର ପର୍ଯ୍ୟନ୍ତ ଯୁବକ ଓ ମହିଳାମନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ କିଭଳି ଅଧିକ ଯୋଡ଼ି ହେବ ସେଥିଘେନି ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ବିଭିନ୍ନ ମହିଳା ସଙ୍ଗଠନ ଓ ସ୍ୱେଚ୍ଛାସେବୀ ସଂସ୍ଥାମାନେ ଏହି ଅବସରରେ ରାଜ୍ୟ ସରକାର ନିଶା ନିବାରଣ କାର୍ଯ୍ୟକ୍ରମ ଘୋଷଣା କରିବାକୁ ଦାବି କରୁଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019