ଅବସରପ୍ରାପ୍ତ ଆଇଏଏସ ଅଫିସର ସିଟିଏମ ସୁଗୁଣା ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖାର ଅବୈତିନକ ସମ୍ପାଦକ ନିଯୁକ୍ତ  ୨ ବର୍ଷ ପାଇଁ ଶ୍ରୀମତୀ ସୁଗୁଣା ରେଡକ୍ରସ ସମ୍ପାଦକ ରହିବେ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁଗୁଣାଙ୍କୁ ଦେଲେ ନୂଆ ନିଯୁକ୍ତି  

ଘରୋଇ ବ୍ୟାଙ୍କ୍‍ ଯୋଗୁଁ ଚାଷୀ ହଟହଟା


କୃଷି ବିଭାଗ ଘରୋଇ ବ୍ୟାଙ୍କ୍‍ ପ୍ରୀତି ଯୋଗୁଁ ରାଜ୍ୟର ଚାଷୀମାନେ ଏବେ ହଟହଟା । ବିଭାଗ ନିକଟରେ ଅର୍ଥ ଜମା କରିବାପାଇଁ ଚାଷୀଙ୍କୁ ନିର୍ଦ୍ଦିଷ୍ଟ ଘରୋଇ ବ୍ୟାଙ୍କ୍‍ର ଠିକଣା ଦିଆଯାଉଥିବାରୁ ଗାଁ ଗହଳର ଚାଷୀମାନେ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି ।

ଏଭଳି ହଟହଟା ହେଉଛନ୍ତି ରାଜ୍ୟରେ ବିହନ ଉତ୍ପାଦନ କରୁଥିବା ଚାଷୀମାନେ । ପ୍ରମାଣିକ ବିହନ ଉତ୍ପାଦନ ଲାଗି ସେମାନେ ସରକାରଙ୍କ ଠାରୁ ପିଣ୍ଡ ବିହନ ନେବାପରେ ବିହନ ବସ୍ତାର ଟ୍ୟାଗ୍‍ ନମ୍ବରକୁ ଅନ୍‍ଲାଇନ୍‍ରେ ଦରଜ କରିଥାନ୍ତି । ଏଥି ସହିତ ବିହନ ଚାଷର ତଦାରଖ ଓ ସାର୍ଟିଫିକେଟ ପ୍ରଦାନ ଲାଗି ଅର୍ଥ ପଇଠ କରିବାକୁ ହୋଇଥାଏ । ବିହନ ଟ୍ୟାଗ ପଞ୍ଜିକରଣ ସମୟରେ ଅନ୍‍ଲାଇନ୍‍ ମାଧ୍ୟମରେ ଚାଷୀ ଏଥିପାଇଁ ଅର୍ଥ ଦେବାର ବ୍ୟବସ୍ଥା ଅଛି । ତେବେ ଚାଷୀଟି ଚାହିଁଲେ ଅନ୍‍ଲାଇନ୍‍ କିମ୍ବା ଅଫ୍‍ ଲାଇନ୍‍ରେ ପଇସା ଦେଇପାରିବ ।

କିନ୍ତୁ ଅନ୍‍ଲାଇନ୍‍ ଅର୍ଥ ପଇଠ ବ୍ୟବସ୍ଥା ଅଚଳ ଥିବାବେଳେ ଅଫ୍‍ଲାଇନ୍‍ରେ ଗୋଟିଏ ନିର୍ଦ୍ଦିଷ୍ଟ ଘରୋଇ ବ୍ୟାଙ୍କ୍‍ର ସ୍ଲିପ୍‍ ଆସିଯାଉଛି । ତେଣୁ ଚାଷୀ ପକ୍ଷରେ ଆଉ ଅନ୍ୟ ବ୍ୟାଙ୍କ୍‍ରେ ଅର୍ଥ ପଇଠର ଅବକାଶ ନାହିଁ । ସବୁଠାରୁ ବଡ କଥା ହେଲା କୃଷି ବିଭାଗ ସହିତ ରାଜିନାମା କରିଥିବା ଏହି ଘରୋଇ ବ୍ୟାଙ୍କ୍‍ର ରାଜ୍ୟର ଅନ୍ୟସ୍ଥାନ ତ ଦୂରରକଥା ଖୋଦ୍‍ ରାଜଧାନୀରେ କେତୋଟି ହାତଗଣତି ଶାଖା ରହିଛି । ଅନ୍ୟ ଜାତୀୟକରଣ ବ୍ୟାଙ୍କ୍‍ ଗୁଡିକ ଉକ୍ତ ବ୍ୟାଙ୍କ୍‍ ସ୍ଲିପ୍‍ରେ ଅର୍ଥ ନେବାକୁ ନାରାଜ ।

ତେଣୁ ବିହନଚାଷୀମାନେ ଚାଷପାଇଁ ପିଣ୍ଡ ବିହନ ନେବାପରେ ସବୁ କାମକୁ ପଛରେ ପକାଇ ସମ୍ପୃକ୍ତ ଘରୋଇ ବ୍ୟାଙ୍କ୍‍ ଶାଖାକୁ ଦଉଡୁଛନ୍ତି । ଏହାକୁ ନେଇ ଏବେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ସେମାନଙ୍କର କହିବାକଥା ଯେ ଅର୍ଥ ପଇଠ ପାଇଁ ଯଦି ରାଜ୍ୟରେ ଅଧିକ ଶାଖା ଥିବା ଦୁଇ ତିନିଟି ଜାତୀୟକରଣ ବ୍ୟାଙ୍କ୍‍ ସହିତ ସରକାର ଏହି ଅର୍ଥ ଦେବାର ବ୍ୟବସ୍ଥା କରିଥାନ୍ତେ ତେବେ ସେମାନଙ୍କୁ ଏଭଳି ହଇରାଣ ହରକତ ହେବାକୁ ପଡନ୍ତା ନାହିଁ । ଘରୋଇ ବ୍ୟାଙ୍କ୍‍ ଶାଖା ଖୋଜିବାରେ ସେମାନଙ୍କ ଅଧିକାଂଶ ସମୟ ଅପଚୟ ହେଉଛି ।

ଉଲ୍ଲେଖନୀୟ ଯେ ରାଜ୍ୟର ଚାଷୀମାନଙ୍କୁ ଫସଲଋଣ ଦେବା କ୍ଷେତ୍ରରେ ଜାତୀୟକରଣ ବ୍ୟାଙ୍କ୍‍ମାନେ ଆଗରେ ଥିବାବେଳେ କୃଷି ବିଭାଗ କିନ୍ତୁ ସେମାନଙ୍କୁ ଏ କ୍ଷେତ୍ରରେ ଅଣଦେଖା କରୁଛି । ରାଜ୍ୟ ସ୍ତରୀୟ ବ୍ୟାଙ୍କ୍‍ର୍ସ କମିଟି ବୈଠକରେ ଚାଷୀଙ୍କୁ ଋଣ ପ୍ରଦାନ ଲାଗି ଅର୍ଥ ବିଭାଗ ପକ୍ଷରୁ ଯେଉଁ ଘରୋଇ ବ୍ୟାଙ୍କ୍‍କୁ ବାରମ୍ବାର ତାଗିଦା କରାଯାଉଛି କୃଷି ବିଭାଗ ସେହି ବ୍ୟାଙ୍କ୍‍ ସହିତ ଚାଷୀଙ୍କ ଅର୍ଥ କାରବାର କରିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ କୃଷି ବିଭାଗ କିଛି ଅଧିକାରୀ ରାଷ୍ଟ୍ରାୟତ ବ୍ୟାଙ୍କ୍‍ମାନେ ଏଥିପ୍ରତି ଆଗ୍ରହୀ ନଥିବା କହି ଚାଷୀଙ୍କୁ ବୁଝାଇ ଦେଉଥିବା ଅଭିଯୋଗ ହେଉଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019