ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ସ୍ୟାଟ୍‍ ଉଚ୍ଛେଦ ଯୋଗୁଁ ହନ୍ତସନ୍ତ


ଚାକିରି, ପେନ୍‍ସନ୍‍ ଆଦି ସଂକ୍ରାନ୍ତରେ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‍)ରେ ମାମଲା ରୁଜୁ କରିଥିବା ହଜାର ହଜାର ଆବେଦନକାରୀ ଏବେ ନ୍ୟାୟ ପାଇଁ ଡହଳବିକଳ ହେଉଛନ୍ତି । ସେମାନଙ୍କ ମାମଲା କିଏ ଶୁଣିବ ଓ କେବେ ସୁଦ୍ଧା ଫଇସଲା ହେବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନ ନେଇ ସରକାର ଏହି ବିଚାର ବିଭାଗୀୟ ସଂସ୍ଥାକୁ ଉଚ୍ଛେଦ କରିବା ସଂକ୍ରାନ୍ତରେ ଜାରି କରିଥିବା ଗେଜେଟ୍‍ ବିଜ୍ଞପ୍ତି ଯୋଗୁ ଏଭଳି ସମସ୍ୟା ଉପୁଜିଛି ।

୧୯୮୬ରୁ ଏଯାବତ୍‍ ସ୍ୟାଟ୍‍ ୩ ଲକ୍ଷରୁ ଅଧିକ ମାମଲା ଫଇସଲା କରିଛି । ଏଥିରୁ ଅଧିକାଂଶ ମାମଲାର ରାୟ ସରକାର କାର୍ଯ୍ୟକାରୀ କରିଛନ୍ତି । ଯେଉଁ ଅଳ୍ପ କେତୋଟି ମାମଲାରେ ସରକାର ହାଇକୋର୍ଟ ଓ ସୁପ୍ରିମ୍‍କୋର୍ଟକୁ ଯାଇଛନ୍ତି ସେଥିରୁ ସଂଖ୍ୟାଧିକରେ ସ୍ୟାଟ୍‍ର ଆଦେଶକୁ ଉପର କୋର୍ଟ କାଏମ୍‍ ରଖିଛନ୍ତି । ଏହା ସତ୍ତେ୍ୱ ବି ପ୍ରାୟ ୬ ହଜାର ମାମଲାରେ ସ୍ୟାଟ୍‍ଙ୍କ ରାୟ କାର୍ଯ୍ୟକାରୀ ହୋଇନଥିବା ପରିପ୍ରେକ୍ଷୀରେ ଅଦାଲତ ଅବମାନନା ମାମଲାମାନ ରହିଛି । ଗୋଟିଏ ପଟେ ସରକାର ବିଚାର ବିଭାଗର ଆଦେଶ କାର୍ଯ୍ୟକାରୀ କରୁନଥିବା ବେଳେ ଅନ୍ୟପଟେ ସ୍ୟାଟ୍‍ ଉଚ୍ଛେଦ କରୁଥିବାରୁ ଏହି ଅଦାଲତ ଅବମାନନା ମାମଲାରୁ ଅଫିସରମାନଙ୍କୁ କିଛିଦିନ ପାଇଁ ବିରାମ ମିଳିବ ବୋଲି ବରିଷ୍ଠ ଅଧିକାରୀମାନେ କଟାକ୍ଷ କରୁଛନ୍ତି ।

ସେହିପରି ସ୍ୟାଟ୍‍ରେ ରୁଜୁ ହୋଇଥିବା ଶତାଧିକ ମାମଲାର ସଙ୍ଗୀନ ସ୍ଥିତି । ଏହି ମାମଲା ପ୍ରତ୍ୟାହୃତ ନ ହେଲେ ହାଇକୋର୍ଟ ଯାଇହେବ ନାହିଁ । ଅନ୍ୟପକ୍ଷରେ ସ୍ୟାଟ୍‍ ଉଚ୍ଛେଦ ହୋଇଥିବାରୁ ମାମଲା ପ୍ରତ୍ୟାହାର ପାଇଁ କେହି ଆଦେଶ ଦେଇପାରିବେ ନାହିଁ । ସ୍ୟାଟ୍‍ରେ ପଡ଼ି ରହିଥିବା ପ୍ରାୟ ୭୨ ହଜାର ମାମଲାର ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିଥିବା ବେଳେ ଜୀବନର ଶେଷ ପାହାଚରେ ପହଞ୍ଚୁଥିବା ପେନ୍‍ସନ୍‍ଭୋଗୀ ଓ ପ୍ରତ୍ୟାଶୀମାନେ ରୁଜୁ କରିଥିବା ମାମଲାର ଫଇସଲା ତାଙ୍କ ଜୀବଦଶାରେ ହେବ କି ନାହିଁ ସେଥିଘେନି ସନ୍ଦେହରେ ।

ଅନେକ ସରକାରୀ ଅଧିକାରୀ ବି ଏହି ଉଚ୍ଛେଦ ନିଷ୍ପତ୍ତି ଯୋଗୁ ହରଡ଼ଘଣାରେ ପଡ଼ିଛନ୍ତି । ଯେଉଁ ଅଳ୍ପ କେତେକ ମାମଲାରେ ଆବେଦନକାରୀ ସ୍ୟାଟ୍‍ରୁ ଅନ୍ତରୀଣ ଆଦେଶ ନେଇ ସରକାରୀ ନିର୍ଦ୍ଦେଶନାମାକୁ ଅଚଳ କରାଇଛନ୍ତି ସେ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅନ୍ତରୀଣ ଆଦେଶ ଉଠାଇ ନେବା ପାଇଁ ସ୍ୟାଟ୍‍ରେ ଦାଖଲ କରାଯାଇଥିବା ବିବିଧ ମାମଲାଗୁଡ଼ିକ ଶୁଣା ହୋଇପାରୁନାହିଁ । ତେଣୁ ସରକାରୀ କଳ ବି ଅସୁବିଧାରେ ପଡ଼ିଛି ।

ଏହାଛଡ଼ା ଆଉ ଗୁଡ଼ିଏ ମାମଲାରେ ସ୍ୟାଟ୍‍ ଆଦେଶରେ ତ୍ରୁଟିଥିବା ଦର୍ଶାଇ ରିଭ୍ୟୁ ପିଟିସନ୍‍ ଦାଖଲ ହୋଇଛି । ଏଗୁଡ଼ିକକୁ ବି ଶୁଣା ହୋଇପାରୁନାହିଁ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅତୀତରେ ଲୋକପାଳ ସଂସ୍ଥା ମଧ୍ୟ ପ୍ରାୟ ୫ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଅଚଳ ହୋଇ ରହିଥିଲା । ସେଠାରେ ଥିବା ମାମଲାଗୁଡ଼ିକ କାଳଗର୍ଭରେ ଏକ ପ୍ରକାର ଲୀନ ହେବା ଭଳି ସ୍ୟାଟ୍‍ରେ ପଡ଼ିଥିବା ମାମଲାଗୁଡ଼ିକର ଅବସ୍ଥା ହେବ ।

ଅନ୍ୟପକ୍ଷରେ ସ୍ୟାଟ୍‍ର ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହେଲେ ବହୁ ବରିଷ୍ଠ ଅଧିକାରୀ ହରଡ଼ ଘଣାରେ ପଡ଼ିବେ । ସ୍ୟାଟ୍‍ରେ ଅଦାଲତ ଅବମାନନା ମାମଲାଗୁଡ଼ିକରେ ସରକାର ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଉଥିଲେ । କିନ୍ତୁ ଏଗୁଡ଼ିକ ହାଇକୋର୍ଟକୁ ଗଲାପରେ ରାଜ୍ୟ ସରକାରଙ୍କ ବହୁ ଆଇଏଏସ୍‍ ଅଫିସରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଅନ୍ୟୁନ ୬ ହଜାର ଅଦାଲତୀ ଅବମାନନା ମାମଲାର ହାଇକୋର୍ଟରେ ମୁକାବିଲା କରିବେ ।

ଏହି ଚିନ୍ତା ଏବେ ଅନେକଙ୍କୁ ଘାରିଛି । ଅନ୍ୟପକ୍ଷରେ ହାଇକୋର୍ଟରେ ପ୍ରାୟ ଦେଢ଼ଲକ୍ଷ ମାମଲାର ଚାପା ଥିବା ବେଳେ ଏହାର ଫଇସଲା ପାଇଁ ଅନ୍ୟୁନ ୪୨ ଜଣ ବିଚାରପତି ଆବଶ୍ୟକ । କିନ୍ତୁ ସେଠାରେ ମାତ୍ର ୧୪ ଜଣ ବିଚାରପତି ଅଛନ୍ତି । କେବଳ ସ୍ୟାଟ୍‍ର ମାମଲା ବୁଝିବା ପାଇଁ ହାଇକୋର୍ଟରେ ଅତିକମ୍‍ରେ ୮ ଜଣ ବିଚାରପତି ଆବଶ୍ୟକ ପଡ଼ିବେ ବୋଲି ବରିଷ୍ଠ ଓକିଲମାନେ ମତ ଦେବା ସହ ସରକାର ତାଙ୍କ ନିଷ୍ପତ୍ତି ବଦଳାଇ ସ୍ୟାଟ୍‍କୁ ଅଧିକ ଶକ୍ତିଶାଳୀ କରିବାକୁ କହୁଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020