ଓଡ଼ିଶାକୁ ଫନି ସହାୟତା ଦେଲେ କେନ୍ଦ୍ର ସରକାର  ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟିର ସହାୟତା ରାଶି  ଫନି ପରବର୍ତ୍ତୀ ଥଇଥାନ ପାଇଁ ସହାୟତା ରାଶି ଘୋଷଣା  

୧୫ ସକାଳେ ବନ୍ୟାଜଳ


ଆସନ୍ତା ୧୫ ତାରିଖ ସକାଳ ସୁଦ୍ଧା ମହାନଦୀରେ ୧୧ଲକ୍ଷ କ୍ୟୁସେକ ପାଣି ଆସିବ । ଏହାଦ୍ୱାରା କଟକ, ଜଗତ୍‍ସିଂହପୁର, ପୁରୀ, ନୟାଗଡ, ଖୋର୍ଦ୍ଧା ଓ କେନ୍ଦ୍ରାପଡା ଆଦି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ନବନ ପଟ୍ଟନାୟକ ଆଜି ଲଗାଣ ବର୍ଷା ଓ ତଦ୍‍ଜନିତ ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ କରିଥିବା ସମୀକ୍ଷାରୁ ଏହି ସୂଚନା ମିଳିଛି ।

ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ବନ୍ୟା ଆଶଙ୍କା ଥିବା ଜିଲ୍ଲା ଗୁଡିକର ନଦୀବନ୍ଧରେ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । କଟକ ସହରର ରିଙ୍ଗ ରୋଡ ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି ।

ସେହିଭଳି ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗିର, କଳାହାଣ୍ଡି, ବୌଦ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହିସବୁ ଜିଲ୍ଲାରେ ପ୍ରଭାବିତ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି ।

ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରି ସେମାନଙ୍କ ଆବଶ୍ୟକତା ନେଇ ପଚାରି ବୁଝିଥିଲେ । ବଲାଙ୍ଗିର ସହରରେ ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଗମ୍ଭୀର ରହିଥିବାରୁ ସେଠାକୁ ଆଉ ୩ଟି ଓଡ୍ରାଫ ଟିମ୍‍ ପଠାଇବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଅସୀତ ତ୍ରିପାଠୀ, କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ପୁଲିସ୍‍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା, ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019