ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

କମ୍ପ୍ୟୁଟର ପାଠପଢା ବନ୍ଦ


ରାଜ୍ୟରେ ୪ ହଜାର ବିଦ୍ୟାଳୟରେ ଏବେ କମ୍ପ୍ୟୁଟର ପାଠପଢ଼ା ବନ୍ଦ । ଚାକିରି ବଞ୍ଚାଇବା ପାଇଁ କମ୍ପ୍ୟୁଟର ଶିକ୍ଷକମାନେ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ବିଦ୍ୟାଳୟରେ ଥିବା କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାଜ ସରଞ୍ଜାମ ଖତ ହେବାରେ ଲାଗିଲାଣି । କମ୍ପ୍ୟୁଟର ପାଠପଢ଼ା ପାଇଁ ଧାର୍ଯ୍ୟ ହୋଇଥିବା ସମୟରେ ହାଇସ୍କୁଲ ପିଲା ଏବେ ପଡ଼ିଆରେ ଦୌଡ଼ୁଛନ୍ତି ।

ରାଜ୍ୟର ହାଇସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ଲାଗି ୨୦୧୪ ମସିହାରେ ୪ହଜାର ବିଦ୍ୟାଳୟରେ ଇନ୍‍ଫର୍ମେସନ୍‍ ଆଣ୍ଡ କମ୍ୟୁନିକେସନ୍‍ ଟେକ୍ନୋଲୋଜୀ(ଆଇସିଟି) ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଯୋଜନାରେ ପ୍ରତ୍ୟେକ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ ହୋଇଥିଲେ । ତେବେ ରାଜ୍ୟ ସରକାର ସିଧାସଳଖ କମ୍ପ୍ୟୁଟର ପାଠପଢ଼ା ଦାୟିତ୍ୱ ନ ନେଇ ଆଇଏଲ୍‍ ଆଣ୍ଡ ଏଫ୍‍ଏସ୍‍ ସଂସ୍ଥା ଦ୍ୱାରା ଏହା କରିଥିଲେ । ଏଥିପାଇଁ ଉକ୍ତ ସଂସ୍ଥା ସହିତ ୫ ବର୍ଷିୟା ରାଜିନାମା ହୋଇଥିଲା ।

ଚଳିତ ବର୍ଷ ରାଜ୍ୟ ସରକାରଙ୍କ ସହିତ ହୋଇଥିବା ଚୁକ୍ତିର ଅବଧି ସରିଯିବା ପରେ ନିଯୁକ୍ତ ହୋଇଥିବା କମ୍ପ୍ୟୁଟର ଶିକ୍ଷକମାନଙ୍କର ଚାକିରିରେ ବି ପୂର୍ଣ୍ଣଛେଦ ପଡ଼ିଥିଲା । ରାଜ୍ୟ ସରକାର ଚୁକ୍ତିମିଆଦି ନ ବଢ଼ାଇବା ଯୋଗୁ ଏହି କମ୍ପ୍ୟୁଟର ଶିକ୍ଷକମାନେ ଜୀବନ ଜୀବିକା ପାଇଁ ଆନ୍ଦୋଳନ କରୁଛନ୍ତି । ଏଣେ ଏହି ଯୋଜନାରେ ବିଦ୍ୟାଳୟଗୁଡ଼ିକୁ ଯୋଗାଇ ଦିଆଯାଇଥିବା କମ୍ପ୍ୟୁଟର, ପ୍ରିଣ୍ଟର, ପ୍ରୋଜେକ୍ଟର ଓ ଜେନେରେଟର ଆଦି ଉପରେ ଧୂଳି ଜମିଲାଣି ।

ଆଇସିଟି ସ୍କୁଲ ସ୍କିମ୍‍ ପଲିସି ଅନୁଯାୟୀ ୫ ବର୍ଷିୟା ଚୁକ୍ତି ମଧ୍ୟରେ ବିଦ୍ୟାଳୟର ଶିକ୍ଷକମାନେ କମ୍ପ୍ୟୁଟର ତାଲିମ ନେବେ ଓ ପରବର୍ତ୍ତୀ ସମୟରେ ପିଲାମାନଙ୍କୁ କମ୍ପ୍ୟୁଟର ପାଠ ପଢ଼ାଇବେ । ହେଲେ ଅଧିକାଂଶ ହାଇସ୍କୁଲରେ ଘରୋଇ ସଂସ୍ଥା ଦ୍ୱାରା ନିଯୁକ୍ତ କମ୍ପ୍ୟୁଟର ଶିକ୍ଷକମାନେ ପିଲାଙ୍କୁ ପାଠ ପଢ଼ାଇବା ଅପେକ୍ଷା ବହୁ ସମୟରେ ବିଦ୍ୟାଳୟର କାଗଜପତ୍ର କାମରେ ବ୍ୟସ୍ତ ରହିଲେ । ଶିକ୍ଷକ ତ ଦୂରର କଥା ବିଦ୍ୟାଳୟରେ ଥିବା କିରାଣିମାନେ ବି ଏଥିଯୋଗୁ କମ୍ପ୍ୟୁଟର ଶିଖିବା ପାଇଁ ଆଗ୍ରହୀ ହେଲେ ନାହିଁ । ଫଳରେ ଏବେ ହାଇସ୍କୁଲଗୁଡ଼ିକରେ ସବୁ ସାଜ ସରଞ୍ଜାମ ଥାଇ କମ୍ପ୍ୟୁଟର ପାଠପଢ଼ା ହୋଇପାରୁନାହିଁ ।

ପ୍ରତି ସପ୍ତାହରେ କମ୍ପ୍ୟୁଟର ପାଠ ପାଇଁ ବିଦ୍ୟାଳୟରେ ୨ଟି ପିରିଅଡ୍‍ ରହିଥିବା ବେଳେ ଏବେ ସେହି ସମୟରେ ପିଲାମାନେ ଖେଳକୁଦରେ ମାତିଛନ୍ତି । ହାଇସ୍କୁଲ ପକ୍ଷରୁ ଏ ନେଇ ଶିକ୍ଷକ ନ ଥିବା ଦର୍ଶାଯାଉଥିବା ବେଳେ ସରକାର ବି ନିରବତା ଅବଲମ୍ବନ କରୁଛନ୍ତି । ତେଣୁ ବିଦ୍ୟାଳୟ ସ୍ତରରେ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ ପାଇଁ ଯେଉଁ ଯୋଜନା ହୋଇଥିଲା ତାହା ଏବେ ଏକପ୍ରକାର ବାଟବଣା ହୋଇଯାଇଛି । ଯଦି ସରକାର ଖୁବ୍‍ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ବିଦ୍ୟାଳୟଗୁଡ଼ିକରେ ଥିବା କୋଟି କୋଟି ଟଙ୍କାର କମ୍ପ୍ୟୁଟର ଓ ଆନୁଷଙ୍ଗିକ ଯନ୍ତ୍ରପାତି ଖତ ହେବା ନିଶ୍ଚିତ ବୋଲି କୁହାଯାଉଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020