ଓଡ଼ିଶାକୁ ଏଗ୍ରିକଲଚରାଲ୍‌ ଲିଡରସିପ୍‌ ପୁରସ୍କାର

ମତ୍ସ୍ୟ ସଂପଦର ବିକାଶ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ଯୋଗୁଁ ଓଡ଼ିଶା ୨୦୧୯ ବର୍ଷ ନିମନ୍ତେ ସର୍ବୋତ୍ତମ ରାଜ୍ୟ ଭାବରେ ପୁରସ୍କୃତ ହୋଇଛି । ଏଗ୍ରିକଲଚର ଟୁଡ଼େ ଗ୍ରୁପ୍‌ ପକ୍ଷରୁ ଏଗ୍ରିକଲଚର ଲିଡରସିପ୍‌ ଆୱାର୍ଡ ପ୍ରଦାନ କ୍ରମରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବାରୁ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

କେରଳର ରାଜ୍ୟପାଳ ପି. ସଦାଶିବମ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଓଡ଼ିଶାକୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରିଛନ୍ତି । ଏହି ପୁରସ୍କାର ରାଜ୍ୟର ମତ୍ସ୍ୟ ଉତ୍ପାଦନ ବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିବା ସହିତ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । ଏହି ସଫଳତା ପାଇଁ ମନ୍ତ୍ରୀ ଡ. ସାହୁ ଓଡ଼ିଶାର ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି ।

ଆଜି ନୂଆଦିଲ୍ଲୀସ୍ଥିତ ତାଜ୍‌ ପ୍ୟାଲେସ୍‌ ହୋଟେଲ୍‌ଠାରେ ଆୟୋଜିତ ଉତ୍ସବରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପୁରସ୍କାର ପ୍ରଦାନ କରିଥିଲେ । ଓଡ଼ିଶା ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ସଂଜୀବ ମିଶ୍ର ପୁରସ୍କାର ଗ୍ରହଣ କରିଥିଲେ ।

ରାଜ୍ୟର ମତ୍ସ୍ୟ ଉତ୍ପାଦନକୁ ବୃଦ୍ଧି କରିବା ସହ ରାଜ୍ୟର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କୁ ଜୀବିକା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ୨୦୧୫ ମସିହାରେ ଦେଶର ସର୍ବପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମତ୍ସ୍ୟ ନୀତି ପ୍ରଣୟନ କରିଛନ୍ତି ।

ରାଜ୍ୟରେ ୪୮୦ କିମି ସମୁଦ୍ର ଉପକୂଳ ସମେତ ୬ ଲକ୍ଷ ୬୯ ହଜାର ହେକଫର ମଧୁର ଜଳ ଅଞ୍ଚଳ, ୪ ଲକ୍ଷ ୧୮ ହଜାର ହେକଫର ଖାରିପାଣି ଅଞ୍ଚଳ ରହିଥିବାରୁ ମତ୍ସ୍ୟ ଉତ୍ପାଦନକୁ ବୃଦ୍ଧି ସହିତ ରପ୍ତାନୀରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟାଇବା ନିମନ୍ତେ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନାର ରୂପାୟନକୁ ଗତିଶୀଳ କରାଯାଇଛି ।

ମତ୍ସ୍ୟ ସଂପଦ ବିକାଶରେ ବୈଷୟିକ ଜ୍ଞାନକୌଶଳ ବିନିଯୋଗ ଦ୍ୱାରା ରାଜ୍ୟର ମତ୍ସ୍ୟଚାଷୀ ତଥା ମତ୍ସ୍ୟଜୀବୀଙ୍କର ଆର୍ଥିକ ପ୍ରଗତି, ମତ୍ସ୍ୟ ଚାଷରେ ଆତ୍ମନିଯୁକ୍ତି ସହିତ ବୈଦେଶିକ ମୁଦ୍ରା ଅର୍ଜନ ୨୦ ହଜାର କୋଟି ଟଙ୍କାକୁ ବୃଦ୍ଧି ନିମେନ୍ତ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ସୂଚନାଯୋଗ୍ୟ ଯେ ମଧୁରଜଳ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଭାରତବର୍ଷରେ ପଞ୍ଚମ ସ୍ଥାନ ଅଧିକାର କରିଥିବାବେଳେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ଅଷ୍ଟମ ସ୍ଥାନ ଅଧିକାର କରିଛି । ରାଜ୍ୟର ମତ୍ସ୍ୟ ଉତ୍ପାଦନ ବିଗତ ୩ ବର୍ଷ ମଧ୍ୟରେ ଶତକଡ଼ା ୪୫.୬ ପ୍ରତିଶତ ଅଭିବୃଦ୍ଧି ଘଟିବା ସ୍ଥଳେ ହେକଫର ପ୍ରତି ମାଛ ଉତ୍ପାଦନ ବୃଦ୍ଧି ପାଇଁ ୪.୧୦ ମେଟି୍ରକ୍‌ ଟନ୍‌ରେ ପହଞ୍ଚି ପାରିଛି ।

ରାଜ୍ୟ ସରକାରଙ୍କ ଜଳଭଣ୍ଡାରରେ ମାଛଚାଷ ନୀତି ପ୍ରଣୟନ ଯୋଗୁଁ ମାଛ ଉତ୍ପାଦନ ବିଗତ ୧୦ ବର୍ଷ ମଧ୍ୟରେ ୧୦ ଗୁଣରୁ ଅଧିକ ବୃଦ୍ଧି ପାଇ ହେକଫର ପ୍ରତି ୧୫ କେଜିରୁ ୧୮୧ କେଜିରେ ପହଞ୍ଚି ପାରିଛି । ରାଜ୍ୟରେ ସାମୁଦି୍ରକ ମାଛ ଓ ଚିଙ୍ଗୁଡ଼ି ରପ୍ତାନୀ ୨୦୧୫-୧୬ ମସିହାରେ ୧୯୬୩ କୋଟି ଟଙ୍କା ଥିବାବେଳେ ଏହା ୨୦୧୭-୧୮ ବର୍ଷରେ ବୃଦ୍ଧି ପାଇ ୩୧୦୦ କୋଟିରେ ପହଞ୍ଚିଛି ।

ରାଜ୍ୟ ସରକାର ୨୦୧୬-୧୭ ମସିହାଠାରୁ ନିଜସ୍ୱ ଯୋଜନା ମତ୍ସ୍ୟପୋଖରୀ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ନୂତନ ମତ୍ସ୍ୟ ପୋଖରୀ ଖୋଳିବା ପାଇଁ ପ୍ରକଳ୍ପ ମୂଲ୍ୟ ୮ ଲକ୍ଷ ୫୦ ହଜାର ଟଙ୍କା ଉପରେ ଶତକଡ଼ା ୫୦ ଭାଗ ରିହାତି ସର୍ବାଧିକ ୪ ଲକ୍ଷ ୨୫ ହଜାର ଟଙ୍କା ଯୋଗାଇ ଦିଆଯାଉଛି । ୨୦୧୬-୧୭ ମସିହାଠାରୁ ଏହି ଯୋଜନାରେ ପ୍ରତିବର୍ଷ ୧୦୦୦ ହେକଫରର ଅଧିକ ନୂତନ ପୋଖରୀ ଖୋଳାଯିବା ସହିତ ମାଛଚାଷରେ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପାରିଛି ।

ରାଜ୍ୟରେ ଥିବା ପଞ୍ଚାୟତ ପୋଖରୀଗୁଡ଼ିକ ଦୀର୍ଘମିଆଦୀ ସୂତ୍ରରେ ମହିଳା ସହାୟକ ଗୋଷ୍ଠୀମାନଙ୍କୁ ଲିଜ ପ୍ରଦାନ କରାଯାଇଛି । ମାଛଚାଷ ପାଇଁ ଆବଶ୍ୟକ ଜାଅଁଳ, ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ ବାବଦରେ ପ୍ରକଳ୍ପ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ଉପରେ ଶତକଡ଼ା ୬୦ ଭାଗ ଓ ସର୍ବାଧିକ ୯୦ ହଜାର ଟଙ୍କାର ରିହାତି ପ୍ରଦାନ କରାଯାଉଛି ।

ଏହି ଯୋଜନାରେ ୨୦୧୮-୧୯ ମସିହାରେ ୧୭୮୧ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରାୟ ୧୫୦୦ ହେକଫରରେ ମାଛଚାଷ କରି ସେମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି କରିବା ସହିତ ସ୍ୱାବଲମ୍ବୀ ହୋଇପାରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରାୟ ୪ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୩ ହଜାର ହେକଫରର ପଞ୍ଚାୟତ ପୋଖରୀରେ ମାଛଚାଷ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଖାରିପାଣିରେ ମାଛ ଓ ଚିଙ୍ଗୁଡ଼ି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଉପକୂଳ ଅଞ୍ଚଳରେ ଅବ୍ୟବହୃତ ହୋଇ ପଡ଼ିଥିବା ସରକାରୀ ଜମିକୁ ଦୀର୍ଘମିଆଦୀ ସୂତ୍ରରେ ୧୫ ବର୍ଷିଆ ଲିଜ ପ୍ରଦାନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ବର୍ତ୍ତମାନ ରାଜ୍ୟରେ ପାଖାପାଖି ୨୦ ହଜାର ହେକଫର ଖାରିପାଣି ଜମିରେ ଚିଙ୍ଗୁଡ଼ି ଚାଷ କରାଯାଇ ବାର୍ଷିକ ୯୪ ହଜାର ମେଟି୍ରକ୍‌ ଟନ୍‌ ଚିଙ୍ଗୁଡ଼ି ଉତ୍ପାଦିତ ହେଉଅଛି ଯାହା କି ବିଗତ ୫ ବର୍ଷରେ ଶତକଡ଼ା ୧୩୩ ଭାଗ ବୃଦ୍ଧି ପାଇଛି ।

ରାଜ୍ୟରେ ସାମୁଦ୍ରିକ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରାୟ ୨୧ ହଜାର ଯନ୍ତ୍ରଚାଳିତ ଓ ଦେଶୀ ଡଙ୍ଗା ପଂଜୀକୃତ କରାଯାଇଛି । ଦେଶୀ ଡଙ୍ଗାଗୁଡ଼ିକୁ ପର୍ଯ୍ୟାୟକ୍ରମେ ଯନ୍ତ୍ରଚାଳିତ ଡଙ୍ଗାରେ ପରିଣତ କରାଯିବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ରିହାତି ମାଧ୍ୟମରେ ୬ ହଜାରରୁ ଊର୍ଦ୍ଧ୍ୱ ଫାଇବର ଡଙ୍ଗା ମତ୍ସ୍ୟଜୀବୀମାନଙ୍କୁ ଯୋଗାଇ ଦିଆଯାଇଛି ।

ଧାମରା, ପାରାଦୀପ ମାଛଧରା ବନ୍ଦର ଉନ୍ନତିକରଣ କରାଯାଇଛି । ଚାନ୍ଦିପୁରଠାରେ ୫୦ କୋଟି ଟଙ୍କା ବ୍ୟୟରେ ଏକ ମାଛଧରା ବନ୍ଦରର କାର୍ଯ୍ୟ ଆରମ୍ଭ କରାଯାଇଛି । ଗୋପାଳପୁର, ମାର୍କଣ୍ଡି, ବାଲୁଗାଁଠାରେ ନୂତନ ମାଛ ଅବତରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଗଭୀର ସମୁଦ୍ରରେ ମାଛ ଧରିବା ନିମନ୍ତେ ୨୦୧୯-୨୦ ଆର୍ଥିକ ବର୍ଷରୁ ‘ଟୁନା ଲଙ୍ଗ ଲାଇନ୍‌’ ନାମକ ଏକ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଇଛି ।

ଅଲିଭ୍‌ ରିଡଲେ କଇଁଛ ସୁରକ୍ଷା ନିମନ୍ତେ କ୍ଷତିଗ୍ରସ୍ତ ୫ ହଜାର ମତ୍ସ୍ୟଜୀବୀ ପରିବାରକୁ ୨୦୧୮-୧୯ ଆର୍ଥିକ ବର୍ଷରେ ପରିବାର ପିଛା ୭୫୦୦ ଟଙ୍କାର ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି । ସଂଚୟ ଓ ସହାୟତା ଯୋଜନା ମାଧ୍ୟମରେ ବିଗତ ବର୍ଷରେ ୫୩୫୨ ସାମୁଦି୍ରକ ମତ୍ସ୍ୟଜୀବୀ ପରିବାରକୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯାଇଛି ।

୨୦୦ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିକୁ କାର୍ଯ୍ୟକ୍ଷମ କରିବା ପାଇଁ ସମିତି ପ୍ରତି ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି । ଆପଦକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ୧୧ ଲକ୍ଷ ୫୦ ହଜାର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କୁ ବୀମାଭୁକ୍ତ କରାଯାଇଛି ।

ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ କେରଳ ରାଜ୍ୟପାଳ ପି. ସଦାଶିବମ୍‌, ସାଂସଦ ସୁରେଶ ପ୍ରଭୁ ଓ ଏଗ୍ରିଗଲଚର ଟୁଡେ ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌. ଜେ. ଖାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।