ଜଙ୍ଗଲ ପ୍ରତି ଯତ୍ନବାନ ହୁଅ

ଫନି ବାତ୍ୟାର ପ୍ରଭାବରେ ଉପକୂଳ ଓଡ଼ିଶାର ସବୁଜିମା ବ୍ୟାପକ ଧ୍ୱସ୍ତବିଧ୍ୱସ୍ତ ହୋଇଥିବାବେଳେ ବ୍ୟାପକ ବୃକ୍ଷରୋପଣ ତଥା ବନୀକରଣର ସଠିକ୍‌ ପରିଚାଳନା ଦିଗରେ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମତବ୍ୟକ୍ତ କରିଛନ୍ତି ।

ଆଜି ସ୍ଥାନୀୟ ଅରଣ୍ୟ ଭବନଠାରେ ଅନୁଷ୍ଠିତ ବିଭାଗର ଏକ ସମୀକ୍ଷା ବୈଠକରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କରି ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ଆରୁଖ ବିଭାଗର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ନୂତନ ପଦକ୍ଷେପ ଗ୍ରହଣ ସହିତ ଅଧିକ କ୍ରିୟାଶୀଳ ହେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଛନ୍ତି ।

ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ କରାଯାଇଥିବା ସମସ୍ତ ନିର୍ମାଣ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟା ଦ୍ୱାରା ସଂପନ୍ନ କରିବା, ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ରୁ ଧାରା ୪ ଅନୁଯାୟୀ ସୀମା ନିର୍ଦ୍ଧାରିତ ସଂରକ୍ଷିତ ଜଙ୍ଗଲକୁ ସଂରକ୍ଷିତ ଜଙ୍ଗଲରେ ପରିବର୍ତ୍ତିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା, ବୃକ୍ଷରୋପଣ ସହ ସଂପୃକ୍ତ ବ୍ୟକ୍ତି, ସଂସ୍ଥା ଓ ପଞ୍ଚାୟତକୁ ପ୍ରୋତ୍ସାହିତ କରିବା, ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାରର ପ୍ରଚଳିତ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା, ପରିବେଶ ପର୍ଯ୍ୟଟନ ଦ୍ୱାରା ଜଙ୍ଗଲ ଉପରେ ନିର୍ଭରଶୀଳ ଥିବା ବ୍ୟକ୍ତି/ପରିବାରକୁ ସଠିକ୍‌ ଭାବେ ଚିହ୍ନଟ କରି ସେମାନଙ୍କୁ ସଚେତନ କରିବା ନିମନ୍ତେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ କହିଛନ୍ତି ।

ସେହିଭଳି ପରିବେଶ ପର୍ଯ୍ୟଟନ ଉପରେ କଫି ଟେବୁଲ ପୁସ୍ତକ ପ୍ରକାଶ କରିବା, ମନୁଷ୍ୟ ଓ ବନ୍ୟଜନ୍ତୁ ମଧ୍ୟରେ ସର୍ବଦା ସଂଘର୍ଷ ଲାଗିଥିବାରୁ ଏହାର ପ୍ରତିକାର ପାଇଁ ସ୍ଥାୟୀ ଓ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିବା, ଜିଏସ୍‌ଟି ଲାଗୁ ହେବା ପରେ କେନ୍ଦୁପତ୍ର ବିକି୍ରମୂଲ୍ୟ କମିଥିବାରୁ ଏହାର ସମାଧାନ ସହ ଏହାକୁ ଲାଭଜନକ କରିବା ନିମନ୍ତେ ନୂତନ ସୂତ୍ର ନିର୍ଦ୍ଧାରଣ କରିବା ଇତ୍ୟାଦି ବିଭିନ୍ନ ପ୍ରସଙ୍ଗ ଉପରେ ମନ୍ତ୍ରୀ ଶ୍ରୀ ଆରୁଖ ଗୁରୁତ୍ୱାରୋପ କରିଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ସୁରେଶ ଚନ୍ଦ୍ର ମହାପାତ୍ର ସବୁଜ ମହାନଦୀ ମିଶନ, ସବୁଜ ଓଡ଼ିଶା ମିଶନ, ନଦୀ ତଟବର୍ତ୍ତୀ ବନୀକରଣ, ପଥପାଶ୍ୱର୍ ବନୀକରଣ, ଯୁଗ୍ମ ଜଙ୍ଗଲ ପରିଚାଳନା, କାମ୍ପା ଯୋଜନା, ବନ୍ୟଜନ୍ତୁ ପରିଚାଳନା, ପ୍ରାକୃତିକ ଜଙ୍ଗଲର ପୁନର୍ଜନନ, ପ୍ରଦୂଷଣ ବୋର୍ଡର ବିଭିନ୍ନ କାର୍ଯ୍ୟକ୍ରମ, ଫନୀ ପରବର୍ତ୍ତୀ ପଦକ୍ଷେପ ଭାବେ ବ୍ୟାପକ ବୃକ୍ଷରୋପଣ ଆଦି ଫଳପ୍ରଦ କାର୍ଯ୍ୟକ୍ରମଗୁଡ଼ିକରେ ବିଭାଗର କାର୍ଯ୍ୟାନୁଷ୍ଠାନ ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ ।

ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ଆରୁଖ ନବୀକୃତ ଡାଟା ସେଣ୍ଟର ଏବଂ ବନୀକରଣ ଶାଖା କାର୍ଯ୍ୟାଳୟର ଲୋକାର୍ପଣ କରିବା ସହ ବିଭାଗର ଅନ୍ୟାନ୍ୟ ଶାଖାଗୁଡ଼ିକ ପରିଦର୍ଶନ କରିଥିଲେ । ଆଜିର ଏହି ସମୀକ୍ଷା ବୈଠକରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଡ. ସନ୍ଦୀପ ତି୍ରପାଠୀ, ପିସିସିଏଫ୍‌(ବନ୍ୟଜନ୍ତୁ) ଅଜୟ କୁମାର ମହାପାତ୍ର, ପିସିସିଏଫ୍‌ ସୁରେନ୍ଦ୍ର ପ୍ରସାଦ ମହାପାତ୍ର ତଥା ଜଙ୍ଗଲ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019