ଆମେରିକାରେ ଦେବାଂଶୀଙ୍କ କୃତିତ୍ୱ

ଓଡ଼ିଆ ସୋସାଇଟି ଅଫ୍‍ ଆମେରିକା (ଓସା) ପକ୍ଷରୁ ଆଟଲାଣ୍ଟା ମହାନଗରୀରେ ଅନୁଷ୍ଠିତ ସମାବେଶରେ ଓଡ଼ିଆ ଝିଅ ଦେବାଂଶୀ ନିକିତା ଚୌଧୁରୀଙ୍କୁ କଳା କ୍ଷେତ୍ରରେ ତାଙ୍କ କୃତିତ୍ୱ ଲାଗି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆ ଦେବାଂଶୀଙ୍କୁ ଯୁବ କଳା ବିକାଶ ସମ୍ମାନ ପ୍ରଦାନ କରିଛନ୍ତି । ଉତ୍ତର ଆମେରିକାରେ ଓଡ଼ିଆ ସଂସ୍କୃତି, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଭାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।

ଏହାଛଡ଼ା ଦେବାଂଶୀ ମଧ୍ୟ ଓଡ଼ିଆ ସାହିତ୍ୟ ସାଧନା କ୍ଷେତ୍ରରେ ତାଙ୍କ କୃତିତ୍ୱ ପାଇଁ ଅନ୍ୟ ଏକ ପୁରସ୍କାର ପାଇଛନ୍ତି । ଆଟ୍‍ଲାଣ୍ଟାରେ ଅନୁଷ୍ଠିତର ଓସାର ୫୦ତମ ସମ୍ମେଳନରେ ଏହା ପ୍ରଦାନ କରାଯାଇଛି । ଦେବାଂଶୀ ହେଉଛନ୍ତି ଦେବକୀନନ୍ଦନ ଓ ଅଞ୍ଜନା ଚୌଧୁରୀଙ୍କ ସୁପୁତ୍ରୀ ।

ଓଡ଼ିଶୀ ଛାନ୍ଦ, ଚମ୍ପୁଠାରୁ ଆରମ୍ଭ କରି ଓଡ଼ିଶୀ ନୃତ୍ୟ, ଓଡ଼ିଶାର ବିଭିନ୍ନ ଲୋକନୃତ୍ୟ, ସମ୍ବଲପୁରୀ ନୃତ୍ୟ ଆଦି କ୍ଷେତ୍ରରେ ଦେବାଂଶୀଙ୍କର ବେଶ୍‍ ଦକ୍ଷତା ରହିଛି । ଏହାଛଡ଼ା ଓଡ଼ିଆ ଭାଷାର ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାରେ ମଧ୍ୟ ସେ ଏହି ଅବସରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ।

ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ ଅମୂଳ୍ୟ ବଳବନ୍ତରାୟଙ୍କ ପଲ୍ଲବୀ କଳା ବିଦ୍ୟାଳୟରେ ଦେବାଂଶୀ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଛନ୍ତି । ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିଲେ ମଧ୍ୟ ସେ ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ ଓଡ଼ିଆ ନାଟକ କ୍ଷେତ୍ରରେ ବି ଭଲ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ପ୍ରବାସୀ ଓଡ଼ିଆ ପିଲାମାନଙ୍କୁ ଓଡ଼ିଶାର ଭାଷା, ସଂସ୍କୃତି ଓ ସାହିତ୍ୟ ସହ ପରିଚିତ କରାଉଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019