ତନୁଜାଙ୍କ ଦୁରବସ୍ଥା ପ୍ରତିକାର ପାଇଁ ନିର୍ଦ୍ଦେଶ

ଜାତୀୟ ଫୁଟବଲ ଦଳରେ ସ୍ଥାନ ପାଇଥିବା ତନୁଜା ବାଗଙ୍କ ଦୁରବସ୍ଥାର ତୁରନ୍ତ ପ୍ରତିକାର ପାଇଁ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଏବଂ ଝାରସୁଗୁଡ଼ା ଜିଲ୍ଲାପାଳଙ୍କଠାରୁ ମିଳିଥିବା ତଦନ୍ତ ରିପୋର୍ଟରେ ତନୁଜାଙ୍କ ଦୁରବସ୍ଥା ସମ୍ପର୍କରେ ଉଲ୍ଲେଖଥିବାରୁ ବିଭାଗ ତରଫରୁ ଏହାର ପ୍ରତିକାର ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ତନୁଜାଙ୍କ ଆର୍ଥିକ ଦୁରବସ୍ଥା ସଂପର୍କରେ ସୂଚନା ମିଳିବା ପରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ଏ ସମ୍ପର୍କରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଜିଲ୍ଲା କ୍ରୀଡ଼ା ଅଧିକାରୀ ତନୁଜାଙ୍କ ଦେବଡିହି ଗ୍ରାମକୁ ଯାଇ ତଦନ୍ତ କରିବା ସହ ରିପୋର୍ଟ ଜିଲ୍ଲାପାଳ ଓ କ୍ରୀଡ଼ା ଓ ଯୁବସେବା ବିଭାଗକୁ ପ୍ରଦାନ କରିଛନ୍ତି । ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି ଯେ ତନୁଜାଙ୍କ କ୍ରୀଡ଼ା ସଫଳତା ଭିତିରେ ସରକାରୀ ପ୍ରୋତ୍ସାହନ ସ୍ୱରୂପ ତାଙ୍କୁ ହୋମ ଗାର୍ଡ଼ ଭାବେ ଝାରସୁଗୁଡ଼ା ଜିଲ୍ଲାରେ ନିଯୁକ୍ତି ଦିଆଯାଇଥିଲା ।

ପରେ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଦୀର୍ଘ ୪ବର୍ଷ କାଳ ଛୁଟିରେ ରହିବାରୁ ଜିଲ୍ଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ । ପୁନଶ୍ଚ ଝାରସୁଗୁଡ଼ାର ଏକ ସ୍କୁଲ ପକ୍ଷରୁ ତନୁଜାଙ୍କୁ କୋଚ ଭାବରେ ଦିଆଯାଇଥିବା ନିଯୁକ୍ତି ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ।

ତେବେ ଗତ ଜୁଲାଇ ୨ ତାରିଖରେ ଝାରସୁଗୁଡ଼ା ଜିଲ୍ଲାପାଳ ତନୁଜାଙ୍କ ସହ ଆଲୋଚନା କରି ତାଙ୍କ ଆର୍ଥିକ ସ୍ଥିତି ଭଲ ନଥିବା ଏବଂ ପରିବାର ପ୍ରତିପୋଷଣ ପାଇଁ ଏକ ·କିରିର ଆବଶ୍ୟକତା ଥିବା ଜାଣିଥିଲେ । ପରେ ଜିଲ୍ଲାପାଳଙ୍କ ତରଫରୁ ତାଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦିଆଯାଇଛି ।

ଅନ୍ୟପକ୍ଷରେ ୱାର୍ଲ୍ଡ ୟୁନିଭରସିଟି ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ଅଭିନନ୍ଦନ ଜଣାଇଛନ୍ତି । ଦୂତିଙ୍କ ଏହି ସଫଳତା ଆଗାମୀ ଦିନରେ ଜାରି ରହିବା ସହ ଭବିଷ୍ୟତ ଖୋଳାଳୀଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶା ପ୍ରକାଶ କରିଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019