ମନ୍ତ୍ରୀମାନଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଆଜି ସଚିବାଳୟଠାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମନ୍ତ୍ରୀମାନଙ୍କ ମାସିକିଆ ରିପୋର୍ଟ ତାଙ୍କର ହସ୍ତଗତ ହୋଇଥିବା ବେଳେ ଠିକ୍‍ ସମୟରେ ରିପୋର୍ଟ ଦେଇଥିବାରୁ ସେମ ସବୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ କହିଛନ୍ତି ଯେ ସେମାନେ ରାଜ୍ୟର ବିଭିନ୍ନ ସ୍ଥାନକୁ ବ୍ୟାପକ ଗସ୍ତ କରି ବିଭିନ୍ନ ବିଭାଗର କାମ ଓ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ତୃଣମୂଳ ସ୍ତରରୁ ଜାଣନ୍ତୁ ।

ଏହାସହିତ ବିଭାଗର ବିଭିନ୍ନ ଅଫିସ ଏବଂ ଅନୁଷ୍ଠାନଗୁଡ଼ିକକୁ ଅଚାନକ ଗସ୍ତ ତଥା ପରିଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯାହାଫଳରେ ସରକାରୀ ସେବା ପ୍ରଦାନ ତ୍ୱରାନ୍ୱିତ ହୋଇପାରିବ ।

ଏହି ଗସ୍ତ ସମୟରେ ମନ୍ତ୍ରୀମାନେ ଲୋକଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା କଥା ପଚାରି ବୁଝିବା ସହ ବିଭିନ୍ନ ସରକାରୀ ସେବା ବିଷୟରେ ହିତାଧିକାରୀମାନଙ୍କଠାରୁ ସିଧାସଳଖ ମତାମତ ନେବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ୫-ଟି ମନ୍ତ୍ର (ଟ୍ରାନ୍ସପାରେନ୍ସି, ଟେକ୍ନୋଲୋଜୀ, ଟିମ୍‍ ୱାର୍କ, ଟ୍ରାନ୍ସଫର୍ମେସନ୍‍ ଏବଂ ଟାଇମ୍‍) ଉପରେ ଗୁରୁତ୍ୱାରୋପ କରିବା ସହିତ ଏଥିପାଇଁ ମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବରେ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ରାଜ୍ୟ ପ୍ରଶାସନରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ଲାଗି କମ୍ପ୍ୟୁଟରର ବହୁଳ ବ୍ୟବହାର ଲାଗି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିବା ସହିତ ମନ୍ତ୍ରୀମାନେ ନିଜ ନିଜ ବିଭାଗର କାମ ଯେପରି ଓସୱାସ ଜରିଆରେ ଶତପ୍ରତିଶତ କରନ୍ତି ତାହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019