ମେଡ଼ିକାଲ କଲେଜ ଏବେ ଭୂତକୋଠି

ପ୍ରାୟ ହଜାରେ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ୨ଟି ନୂଆ ମେଡ଼ିକାଲ ସୌଧ ଏକ ପ୍ରକାର ଭୂତକୋଠି ହୋଇପଡ଼ିଛି । ଏହି ମେଡ଼ିକାଲ କଲେଜଗୁଡ଼ିକୁ କେବେଠାରୁ କାର୍ଯ୍ୟକ୍ଷମ ହେବ ସେଥିଘେନି କେହି ନିର୍ଦ୍ଦିଷ୍ଟ ଭାବେ କିଛି କହିପାରୁନାହାନ୍ତି ।

ତାଳଚେରଠାରେ ଏକ କେନ୍ଦ୍ରୀୟ ଉଦ୍ୟୋଗ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର କରିଥିଲା । ସର୍ତ୍ତ ମୁତାବକ ରାଜ୍ୟ ସରକାର ଏହି ମେଡ଼ିକାଲ କଲେଜର ଭିତ୍ତିଭୂମି ପାଇଁ ଜମି ଇତ୍ୟାଦି ଯୋଗାଇ ଦେଇଛନ୍ତି ।

ବେଶ୍‍ ଧୂମ୍‍ଧାମ୍‍ରେ ବି ଏହି ମେଡ଼ିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଖୋଦ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପ୍ରଥମପାଳି ସରକାର ସମୟରେ । କେନ୍ଦ୍ରୀୟ ଉଦ୍ୟୋଗ ମଧ୍ୟ ଏହି ମେଡ଼ିକାଲ କଲେଜର ସୌଧ ନିର୍ମାଣ ପାଇଁ ଟେଣ୍ଡର ଡାକି ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ କରିଥିଲା ।

ପ୍ରାୟ ୨ ବର୍ଷ ତଳୁ ଏହି ମେଡ଼ିକାଲ କଲେଜର ମୁଖ୍ୟ ସୌଧଗୁଡ଼ିକର ନିର୍ମାଣ ସରିଛି । କିନ୍ତୁ ଏଠାରେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଯାଉନାହିଁ କିମ୍ବା ଡାକ୍ତର କି ଡାକ୍ତରୀ ଶିକ୍ଷକଙ୍କ ସମେତ ଅନ୍ୟ ପଦପଦବୀରେ ନିଯୁକ୍ତି ମଧ୍ୟ ଦିଆଯାଉନାହିଁ ।

ଫଳରେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟରେ ମେଡ଼ିକାଲ କଲେଜ ଉଦ୍ଦେଶ୍ୟରେ ଏହି ସୌଧ ନିର୍ମିତ ହୋଇଛି ତାହା ଭୂତକୋଠି ପରି ପଡ଼ିଥିବା ବେଳେ ଓଲୁ କର  ଗଣିବା ଭଳି ଏହାର ଜଗାରଖା ଓ ରକ୍ଷଣାବେକ୍ଷଣ ପାଇଁ ପାଣି ଭଳି ଅର୍ଥ ବରବାଦ ହେଉଛି ।

ଏହି ମେଡ଼ିକାଲ କଲେଜ କରିବା ପାଇଁ ଅର୍ଥ ଖଟାଇଥିବା କେନ୍ଦ୍ରୀୟ ଉଦ୍ୟୋଗ ନିଜେ ମେଡ଼ିକାଲ କଲେଜ ନ ଚଳାଇ ଏହି ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ଛାଡ଼ିବାକୁ ଚାହୁଁଛି । କାରଣ ଏହି ସଂସ୍ଥା କୋଇଲା ବେପାର କରି ବେଶ୍‍ ମୁନାଫା ଉଠାଉଥିବା ବେଳେ ମେଡ଼ିକାଲ କଲେଜ ପରିଚାଳନା କ୍ଷେତ୍ରରେ ଏହାର କୌଣସି ଅଭିଜ୍ଞତା ନାହିଁ ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ କହୁଛନ୍ତି ଯେ ଉକ୍ତ କେନ୍ଦ୍ରୀୟ ଉଦ୍ୟୋଗ ବିପୁଳ ଲାଭ କରୁଥିବା ବେଳ ତାହାର ସିଏସ୍‍ଆର୍‍ ପାଣ୍ଠିରୁ ମେଡ଼ିକାଲ କଲେଜ ଚଳାଇବା କଥା । କିନ୍ତୁ ଏହା ନ କରି ରାଜ୍ୟ ସରକାରଙ୍କ ଉପରେ ବୋଝ ଲଦିବାକୁ ଉକ୍ତ ସଂସ୍ଥା ଚାହୁଁଛି ।

ସେହିପରି ଶ୍ରୀକ୍ଷେତ୍ର ପୁରୀରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ୨୦୧୪ ମସିହାରେ ବର୍ତ୍ତମାନର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ଡାକ୍ତର ହର୍ଷବର୍ଦ୍ଧନ ଓଡ଼ିଶା ଆସି ଘୋଷଣା କରିଥିଲେ । ନବକଳେବର ପୂର୍ବରୁ ଏହି ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହେବ ବୋଲି ସେତେବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

ଏହି ମେଡ଼ିକାଲ କଲେଜ ପାଇଁ କି ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ଦେଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ଉକ୍ତ ମେଡ଼ିକାଲ କଲେଜ ପାଇଁ ବି ୨ ବର୍ଷ ତଳୁ ବିରାଟ ସୌଧ ନିର୍ମିତ ହୋଇଛି । କିନ୍ତୁ ଏଠାରେ ରୋଗୀ ରଖିବା ପାଇଁ ବ୍ୟବସ୍ଥା ହୋଇନାହିଁ ।

ବିଭିନ୍ନ ଆଳ ଦେଖାଇ ପୁରୀ ମେଡ଼ିକାଲ କଲେଜରେ ବି ନାମାଙ୍କନ କରାଯାଉନାହିଁ । ଏଠାରେ ମଧ୍ୟ ଡାକ୍ତର, ଡାକ୍ତରୀ ଶିକ୍ଷକ ଓ ଅନ୍ୟାନ୍ୟ ପଦପଦବୀ ପୂରଣ ହୋଇନାହିଁ । ତାଳଚେର ଓ ପୁରୀ ମେଡ଼ିକାଲ କଲେଜ ଲାଗି ଏଯାବତ୍‍ ମେଡ଼ିକାଲ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆଠାରୁ ଅନୁମୋଦନ ଅଣାଯାଇନାହିଁ ।

ଏ ପରିପ୍ରେକ୍ଷୀରେ ମେଡ଼ିକାଲ କଲେଜ ଲାଗି ପୁରୀ ନିକଟରେ ନିର୍ମିତ ହୋଇଥିବା ସୌଧଟି ଭୂତକୋଠି ପରି ପଡ଼ିଛି ଏବଂ ତାହାର ଜଗାରଖା ଓ ରକ୍ଷଣାବେକ୍ଷଣ କେବଳ ପଇସା ବରବାଦ ସାର ହେଉଛି । ଏହି ଦୁଇଟିଯାକ ମେଡ଼ିକାଲ କଲେଜ ସୁପର ସ୍ପେସାଲିଷ୍ଟ ଡାକ୍ତରଖାନା ଭାବେ କାର୍ଯ୍ୟକ୍ଷମ ହେଲେ ସମ୍ପୃକ୍ତ ଅଞ୍ଚଳର ଲୋକେ ବହୁ ଭାବରେ ଉପକୃତ ହୁଅନ୍ତେ ।

ଠିକ୍‍ ସେହିପରି ରାଉରକେଲାର ଆଇଜିଏଚ୍‍କୁ ମେଡ଼ିକାଲ କଲେଜ ଓ ସୁପର ସ୍ପେସାଲିଷ୍ଟ ହସ୍ପିଟାଲରେ ପରିଣତ କରିବା ପାଇଁ ୨୦୧୪ରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଏଯାବତ୍‍ ସ୍ୱପ୍ନରେ ରହିଛି ।