ଶିକ୍ଷକ ସଙ୍କଟ

ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ହାଇସ୍କୁଲ ଗୁଡିକରେ ଶିକ୍ଷକ ସଙ୍କଟ ।

ଉପକୂଳ ଅଞ୍ଚଳରେ ବିଭାଗ ହାତରେ ଥିବା ହାଇସ୍କୁଲରେ କମ୍‍ ସଂଖ୍ୟକ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଉପାନ୍ତ ଅଞ୍ଚଳରେ ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କ ଅଭାବ ରହିଛି ।

ବିଭାଗ ଅଧିନରେ ରାଜ୍ୟରେ ୪୧୬ଟି ହାଇସ୍କୁଲ ଥିବାବେଳେ ଏଥିପାଇଁ ମଞ୍ଜୁରୀପ୍ରାପ୍ତ ୪୬୬୩ଟି ପଦବୀ ରହିଛି । ତେବେ ଏଥି ମଧ୍ୟରୁ ୧୧୭୬ଟି ଖାଲି ପଡିଛି । ସେହିଭଳି ୭୩ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ବି ନାହାନ୍ତି । କନ୍ଧମାଳ ଜିଲ୍ଲାରେ ଥିବା ୩୪ଟି ହାଇସ୍କୁଲ ପାଇଁ ୨୭୨ ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୧୨୬ ଟି ପଦବୀ ଖାଲିପଡିଛି ।

ସେହିଭଳି ଜିଲ୍ଲାର ୧୬ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି । କୋରାପୁଟ ଜିଲ୍ଲାରେ ଥିବା ୩୬ଟି ହାଇସ୍କୁଲ ପାଇଁ ୩୮୫ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୧୦୮ଟି ଖାଲି ପଡିଛି । ଅନୁରୂପ ଅବସ୍ଥା ରାୟଗଡା ଜିଲ୍ଲାରେ । ଜିଲ୍ଲାର ୪୪ଟି ହାଇସ୍କୁଲ ପାଇଁ ୬୦୩ଟି ଶିକ୍ଷକ ପଦବୀ ଥିବାବେଳେ ଏଥିରୁ ୨୬୭ଟି ଖାଲି ପଡିଛି ।

ହେଲେ ବିଭାଗ ଅଧିନରେ ଉପକୂଳ ଜିଲ୍ଲାରେ ଥିବା ହାଇସ୍କୁଲ ଗୁଡିକରେ କମ୍‍ ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ଥିବା ଲକ୍ଷ୍ୟ କରାଯାଇଛି । ଖୋରଧା ଜିଲ୍ଲାର ୨ଟି ହାଇସ୍କୁଲ ପାଇଁ ୩୦ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ମାତ୍ର ୩ଟି ଖାଲି ପଡିଥିବାବେଳେ ପୁରୀ ଜିଲ୍ଲାର ୧୬ଟି ଶିକ୍ଷକ ପଦବୀ ମଧ୍ୟରୁ ଦୁଇଟି ଖାଲି ଅଛି । କଟକ ଜିଲ୍ଲାରେ ୨ଟି ହାଇସ୍କୁଲ ପାଇଁ ଥିବା ୨୦ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୭ଟି ଖାଲି ପଡିଛି ।

ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଏହି ବିଦ୍ୟାଳୟ ଗୁଡିକରେ ଶିକ୍ଷକଙ୍କ ସମେତ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିବାରୁ ବହୁ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ବିଶେଷକରି ଯେଉଁଠାରେ ଶିକ୍ଷକ ଅଭାବ ଓ ପ୍ରଧାନଶିକ୍ଷକ ନାହାନ୍ତି ସେଠାରେ ସ୍ଥିତି ବିଗିଡିବାରେ ଲାଗିଛି ।

ପଦବୀ ପୂରଣ ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ନୂତନ ଶିକ୍ଷାବର୍ଷରେ ପାଠପଢା ବାଧାପ୍ରାପ୍ତ ହେବାର ଅଭିଯୋଗ ଆସୁଛି ।

ତେବେ ଏହି ବିଭାଗ ଅଧିନରେ ଥିବା ହାଇସ୍କୁଲ ଗୁଡିକରେ ମାଟ୍ରିକ ପାଶ୍‍ ହାର ଅନ୍ୟ ହାଇସ୍କୁଲ ତୁଳନାରେ ଅଧିକ ରହୁଛି । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ପାଶ୍‍ହାର ୭୨.୩୫ ପ୍ରତିଶତ ରହିଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଶ୍‍ ହାର ୭୯.୧୦ ପ୍ରତିଶତ ରହିଥିଲା । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019