ଓଡ଼ିଶାକୁ ଫନି ସହାୟତା ଦେଲେ କେନ୍ଦ୍ର ସରକାର  ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟିର ସହାୟତା ରାଶି  ଫନି ପରବର୍ତ୍ତୀ ଥଇଥାନ ପାଇଁ ସହାୟତା ରାଶି ଘୋଷଣା  

ଶିଶୁ ଶ୍ରମ ପ୍ରଥା ଉଚ୍ଛେଦ ଜରୁରୀ

ଶିଶୁ ଶ୍ରମ ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ନହେଲେ ବିକଶିତ ଦେଶ ଗଠନ ହୋଇପାରିବ ନାହିଁ । ତେଣୁ ଆମେ ସମସ୍ତେ ସଚତେନ ହେବା ସହିତ ଏହି କୁପ୍ରଥାର ବିଲୋପ ପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।

ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ ଅବସରରେ ଆଜି ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍ସ କଲଚରାଲ ସେଣ୍ଟର (ପିକକ୍‍) ଓ ରାଜ୍ୟ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସଚେତନତା ପଦଯାତ୍ରା ଓ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିବା ଅତିଥିମାନେ ଏଭଳି ମତ ରଖିଛନ୍ତି ।

ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ ଏଥିରେ ସାମିଲ ହୋଇ କହିଲେ ଯେ ଶିଶୁ ଶ୍ରମିକ ବ୍ୟବସ୍ଥାର ବିଲୋପ ପାଇଁ କଠୋର ଆଇନ୍‍ ରହିଛି । ରାଜ୍ୟ ସରକାର ମଧ୍ୟ ଏଥିପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ପ୍ରତି ଜିଲ୍ଲାରେ ତାହାକୁ ତ୍ୱରାନ୍ୱିତ ଭାବେ କାର୍ଯ୍ୟକାରୀ କରୁଛନ୍ତି ।

ହେଲେ ଏଥିପାଇଁ ଜନ ଜାଗରଣ ସହିତ ସାଧାରଣ ଲୋକଙ୍କୁ ସଂଶ୍ଲିଷ୍ଟ କରିବାକୁ ପଡିବ । ଲୋକେ ସାମିଲ ହେଲେ ଆଇନ୍‍ ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରିବ । ଶ୍ରମ ବିଭାଗ, ରାଜ୍ୟ ସରକାର ଓ ସ୍ୱେଚ୍ଛାସେବୀ ସଂଗଠନ ଗୁଡିକର ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ରହିଛି ।

ଡିଭିଜନାଲ ଶ୍ରମ ଆୟୁକ୍ତ କିଷାନ ଶତପଥୀ ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱ ଦେବା ସହିତ ଆଜି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଜନସଚେତନତା ସୃଷ୍ଟି ବୋଲି କହିଥିଲେ । ସମସ୍ତେ ନିଜ ଦାୟିତ୍ୱ ସଂକ୍ରାନ୍ତରେ ସଚେତନ ହେଲେ ଏହି ପ୍ରଥାର ବିଲୋପ ଘଟିବ ।

ଭାରତ ସରକାର ଶିଶୁ ପ୍ରଥାର ବିଲୋପାଇଁ କଠୋର ଆଇନ୍‍ କରିଥିବାବେଳେ ଏଥିରେ ୨୦ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଓ ୬ମାସରୁ ୨ବର୍ଷ ପର୍ଯ୍ୟନ୍ତ ଜେଲ୍‍ଦଣ୍ଡର ବ୍ୟବସ୍ଥା ଥିବା ସେ କହିଥିଲେ । ଏପରିକି ଶିଶୁ ପ୍ରଥାର ବିଲୋପ ପାଇଁ ଯେ କୌଣସି ବ୍ୟକ୍ତି ଅଦାଲତରେ ମାମଲା ରୁଜୁ କରିପାରିବେ ବୋଲି ସେ ମତ ଦେଇଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ସାହୁ ଶିଶୁ ଶ୍ରମିକ ବିଲୋପ ପାଇଁ ସମସ୍ତେ ସ୍ୱର ଉଠାଇବା ଆବଶ୍ୟକ ବୋଲି କହିଥିବାବେଳେ ଚଳଚିତ୍ର ଅଭିନେତ୍ରୀ ଭୂମିକା ପିଲାମାନେ ଶ୍ରମିକ ଭାବେ କାର୍ଯ୍ୟ ନକରି ସେମାନେ କିଭଳି ପାଠ ପଢିବେ ଓ ଖେଳିବେ ସେ ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ କହିଥିଲେ । ଅଲମ୍ପିଆନ ଅନୁରାଧା ବିଶ୍ୱାଳ ଜନସଚେତନା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ପିକକ୍‍ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଚଳିତବର୍ଷ ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସର ବାର୍ତ୍ତା ସଂକ୍ରାନ୍ତରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ପିଲାମାନେ କାର୍ଯ୍ୟକ୍ଷେତ୍ରରେ କାମ କରିବା ବଦଳରେ ସ୍ୱପ୍ନ ସାକାର ପାଇଁ କାମ କରିବା ହେଉଛି ଚଳିତ ବର୍ଷର ବାର୍ତ୍ତା ।

ତେଣୁ ପିଲାମାନେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ବଦଳରେ କିଭଳି ସେମାନଙ୍କ ସ୍ୱପ୍ନ ପୂରଣ ସହିତ ଦେଶ ଗଠନରେ ଭୂମିକା ନିର୍ବାହ କରିବେ ସେ ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ଶିଶୁ ଶ୍ରମ ବିରୋଧ ପାଇଁ ଆଜିର ଏହି ପଦଯାତ୍ରା ରାମମନ୍ଦିର ନିକଟରୁ ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଆସିଥିଲା ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019