ଓଡ଼ିଶାକୁ ଫନି ସହାୟତା ଦେଲେ କେନ୍ଦ୍ର ସରକାର  ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟିର ସହାୟତା ରାଶି  ଫନି ପରବର୍ତ୍ତୀ ଥଇଥାନ ପାଇଁ ସହାୟତା ରାଶି ଘୋଷଣା  

କେନ୍ଦ୍ରକୁ ଆଇଏଏସ୍‍ ପଠାଅ

ରାଜ୍ୟ ସରକାର କେନ୍ଦ୍ରକୁ ଆବଶ୍ୟକ ସଂଖ୍ୟକ ଆଇଏଏସ୍‍ ଅଫିସରମାନଙ୍କୁ ଡେପୁଟେସନରେ ପଠାଉ ନଥିବାରୁ କେନ୍ଦ୍ର ସରକାର ଏଥିନେଇ ଅସନ୍ତୋଷ ପ୍ରକଟ କରିଛନ୍ତି ।

ଓଡିଶା କ୍ୟାଡରରୁ ଅତି କମ୍‍ରେ ୫୨ଜଣ ଆଇଏଏସ୍‍ ନିୟୋଜିତ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୨୨ଜଣ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ।

ରାଜ୍ୟ ସରକାର ଗତ ତିନିବର୍ଷ ମଧ୍ୟରେ ଓଡିଶାରୁ ୬ଜଣ ଆଇଏଏସ୍‍ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇଛନ୍ତି । ତେଣୁ ବର୍ଷକୁ ହାରାହାରି ଦୁଇଜଣ ଆଇଏଏସ୍‍ଙ୍କୁ କେନ୍ଦ୍ରକୁ ଯିବାକୁ ଅନୁମତି ମିଳୁଥିବାରୁ ଏହାଦ୍ୱାରା କେନ୍ଦ୍ରୀୟ ଡେପୁଟେସନ ରିଜର୍ଭ (ସିଡିଆର) ର ସଦୁପଯୋଗ ହୋଇପାରୁ ନାହିଁ ।

ପ୍ରାୟତଃ ରାଜ୍ୟ ସରକାର କେନ୍ଦ୍ରକୁ ଆଇଏଏସ୍‍ ଅଫିସର ପଠାଇବାକୁ କୁଣ୍ଠା ପ୍ରକାଶ କରୁଛନ୍ତି । ଫଳରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ଓଡିଶା କ୍ୟାଡର ଆଇଏଏସ୍‍ ଅଫିସରଙ୍କ ସଂଖ୍ୟା ନାହିଁ କହିଲେ ଚଳେ । ଏହି ଘଟଣାକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଗୁରୁତ୍ୱର ସହ ବିଚାର କରାଯାଇଛି ।

କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‍ସନ ମନ୍ତ୍ରାଳୟ ସଚିବ ସି.ଚନ୍ଦ୍ରମଉଳି ନିକଟରେ କେନ୍ଦ୍ରୀୟ ପ୍ରଶାସନିକ ବ୍ୟବସ୍ଥାରେ ଆବଶ୍ୟକ ପଡୁଥିବା ଆଇଏଏସ୍‍ ଅଫିସରଙ୍କ ଅଭାବ ପରିଲକ୍ଷିତ ହେଉଥିବା ଯୋଗୁଁ ତାହାର ସମୀକ୍ଷା କରିଛନ୍ତି ।

ଏହି ସମୀକ୍ଷାରୁ ଜଣାଯାଇଛି ଯେ ଓଡିଶାର ଆଇଏଏସ୍‍ ଅଫିସରମାନଙ୍କ କେନ୍ଦ୍ରରେ ଉପସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ । ଏହାକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇ ଭବିଷ୍ୟତରେ ଯେଭଳି ଓଡିଶା କ୍ୟାଡରର ଅଧିକ ଆଇଏଏସ୍‍ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଆସିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ।

ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଯଦି ରାଜ୍ୟ ସରକାର ତାଙ୍କ ନୀତିରେ ସଂଶୋଧନ ନକରି କେନ୍ଦ୍ରକୁ ଅଧିକ ସଂଖ୍ୟାରେ ଆଇଏଏସ୍‍ ଅଫିସର ନପଠାଇବେ ତେବେ ଓଡିଶାକୁ ପ୍ରତିବର୍ଷ ମଞ୍ଜୁର ହେଉଥିବା ଆଇଏଏସ୍‍ଙ୍କ ସଂଖ୍ୟା କମିଯିବ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟ ସରକାର ପ୍ରତିବର୍ଷ ୬ ରୁ ୭ ଜଣ ଆଇଏଏସ୍‍ ଅଫିସର ପଠାଉଛନ୍ତି । ଏହା ଯଦି କମିଯାଏ ତାହେଲେ ସରକାରଙ୍କୁ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

ରାଜ୍ୟ ସରକାର ଯଦି ତାଙ୍କ ନୀତିରେ ପରିବର୍ତ୍ତନ ନଆଣନ୍ତି ତା ହେଲେ କେନ୍ଦ୍ର ସରକାର ଆଇଏଏସ୍‍ ଅଫିସରଙ୍କ ନିଯୁକ୍ତି, କ୍ୟାଡର କ୍ଷମତା ଆଦି ନେଇ ଥିବା ଆଇନ୍‍ ଉପରେ ସମୀକ୍ଷା କରିବାକୁ ବାଧ୍ୟ ହେବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଏହାର ପ୍ରଭାବ ଭବିଷ୍ୟତରେ ସିଧାସଳଖ ଓ ପଦୋନ୍ନତି ଭିତ୍ତିକ ଆଇଏଏସ୍‍ ନିଯୁକ୍ତି ଉପରେ ପଡିବାର ଆଶଙ୍କା ରହିଛି । କେନ୍ଦ୍ର ଯଦି ଏଭଳି ପଦକ୍ଷେପ ଗ୍ରହଣ କରନ୍ତି ତାହା ରାଜ୍ୟପାଇଁ କ୍ଷତିକାରକ ହୋଇପାରେ ବୋଲି ଜଣେ ବରିଷ୍ଠ ଆଇଏଏସ୍‍ ଅଫିସର ମତ ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ସ୍ତରରେ ଓଡିଶା କ୍ୟାଡରର ଆବଶ୍ୟକ ସଂଖ୍ୟକ ଆଇଏଏସ୍‍ କାର୍ଯ୍ୟ କରୁଥିବାବେଳେ ଅନ୍ୟାନ୍ୟ ପାହ୍ୟାରେ ଏହି ଅଫିସରଙ୍କ ସଂଖ୍ୟା ଖୁବ୍‍ କମ୍‍ ରହିଛି ।

ଏହା ଫଳରେ କେନ୍ଦ୍ର ସରକାରରେ ନୀତି ପ୍ରଣୟନ କ୍ଷେତ୍ରରେ ଓଡିଶା ଆଇଏଏସ୍‍ ଅଫିସରଙ୍କର ଯୋଗଦାନ ବିଶେଷ ଭାବରେ ରହୁନାହିଁ । କେନ୍ଦ୍ରୀୟ ଯୋଜନା ପ୍ରଣୟନରେ ରାଜ୍ୟର ଆଇଏଏସ୍‍ ଅଫିସର ମାନେ ବି ବିଶେଷ ଅଭିଜ୍ଞତା ହାସଲ କରିପାରୁ ନାହାନ୍ତି ।

ତେଣୁ ଉଭୟ ରାଜ୍ୟର ସ୍ୱାର୍ଥ ଓ ଆଇଏଏସ୍‍ ଅଫିସରଙ୍କ ଅଭିଜ୍ଞତା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ଅଧିକ ସଂଖ୍ୟକ ଆଇଏଏସ୍‍ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାକୁ ମତପ୍ରକାଶ ପାଉଛି ।

ବହୁ ସଂଖ୍ୟକ ଆଇଏଏସ୍‍ ଅଫିସର କେନ୍ଦ୍ରକୁ ଯିବାପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ ସୁଦ୍ଧା ସେମାନଙ୍କର ଅନୁରୋଧକୁ ଗ୍ରହଣ କରାଯାଉନାହିଁ । କାରଣ ରାଜ୍ୟରେ ଆଇଏଏସ୍‍ ଅଫିସରଙ୍କର ଅଭାବ ରହିଛି ବୋଲି ସରକାର ଯୁକ୍ତି ବାଢୁଛନ୍ତି  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019