ରାଜ୍ୟସଭା ପାଇଁ ଘମାଘୋଟ ଲବି

ବିଧାନସଭାର ଆସନ୍ତା ବଜେଟ୍‍ ଅଧିବେଶନ ସମୟରେ ଖାଲିପଡିଥିବା ରାଜ୍ୟର ୪ଟି ରାଜ୍ୟସଭା ଆସନପାଇଁ ଉପନିର୍ବାଚନ ହୋଇପାରେ । ଏ ପ୍ରସଙ୍ଗରେ ନିର୍ବାଚନ କମିଶନ ଯେକୌଣସି ମୂହୂର୍ତ୍ତରେ ବିଜ୍ଞପ୍ତି ଜାରି କରିପାରନ୍ତି । ଏହାକୁ ଆଖିଆଗରେ ରଖି ଏବେ ରାଜ୍ୟସଭା ଆଶାୟୀମାନେ ଘମାଘୋଟ ଲବି ଆରମ୍ଭ କରିଛନ୍ତି ।

ଲବି କରୁଥିବା ସଂଖ୍ୟାଧିକ ରାଜନେତାଙ୍କ ନଜର ରହିଛି ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ ଇସ୍ତଫା ଯୋଗୁଁ ଖାଲି ହୋଇଥିବା ଦୁଇଟିଯାକ ରାଜ୍ୟସଭା ଆସନ ଉପରେ । କାରଣ ଏହି ଦୁଇ ଆସନରୁ ଯେଉଁ ପ୍ରାର୍ଥୀ ନିର୍ବାଚିତ ହେବେ ସେମାନେ ୨୦୨୪ ଏପ୍ରିଲମାସ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହିବେ ।

କାରଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ୬ବର୍ଷ ଥାଏ ଏବଂ ଯଦି କୌଣସି କାରଣରୁ ମଝିରେ କୌଣସି ସାଂସଦଙ୍କ ଆସନ ଖାଲିପଡେ ତେବେ ତାଙ୍କ ସ୍ଥାନରେ ଯିବ ଉପନିର୍ବାଚନ ଲଢି ଆସିବେ ସିଏ ଅବଶିଷ୍ଟ ସମୟ ପାଇଁ ସାଂସଦ ରହିବେ ।

୨୦୧୮ ମସିହାରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ସାମନ୍ତ ବିଜେଡି ପ୍ରାର୍ଥୀଭାବେ ନିର୍ବାଚିତ ହୋଇଥିଲେ । ତେଣୁ ସେମାନଙ୍କ ସ୍ଥାନରେ ଯିଏ ଯିବ ସିଏ ଅଧିକ ଦିନ ରାଜ୍ୟସଭା ସଦସ୍ୟ ରହିବ ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟସଭା ସାଂସଦ ଥାଇ ସୌମ୍ୟରଞ୍ଜନ ଖଣ୍ଡପଡାରୁ ବିଧାନସଭା ଓ ଅଚ୍ୟୁତ କନ୍ଧମାଳରୁ ଲୋକସଭା ନିର୍ବାଚିତ ହେବାପରେ ରାଜ୍ୟସଭା ଆସନରୁ ଇସ୍ତଫା ଦେଇ ସାରିଛନ୍ତି ।

ସେହିଭଳି ରାଜ୍ୟସଭା ସାଂସଦ ଥାଇ କେନ୍ଦ୍ରାପଡାରୁ ବିଜେଡି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଜିଣିଥିବା ଚଳଚିତ୍ର ଅଭିନେତା ଅନୁଭବ ମହାନ୍ତି ମଧ୍ୟ ଇତିମଧ୍ୟରେ ରାଜ୍ୟସଭା ଆସନ ଛାଡିଛନ୍ତି ।

୨୦୧୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅନୁଭବଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ୍‍ମାସରେ ଶେଷ ହେଉଛି । ତେଣୁ ତାଙ୍କ ସ୍ଥାନରେ ଯିଏ ବି ରାଜ୍ୟସଭାକୁ ଯିବେ ସିଏ ଅତି ବେଶିରେ ୭/୮ ମାସ ଲାଗି ସାଂସଦ ରହିବେ ।

ଅତୀତରେ ଏହିଭଳି ଏକ ଉପନିର୍ବାଚନରେ ଜିଣି ଭୂପିନ୍ଦର ସିଂହ ବିଜେଡିର ରାଜ୍ୟସଭା ସାଂସଦ ହୋଇ ଅଳ୍ପଦିନରେ କାର୍ଯ୍ୟକାଳ ସାରି ଫେରିଥିଲେ ।

ଗତ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ଆଳିରୁ ଜିଣିଥିବା ପ୍ରତାପ ଦେବ ବି ରାଜ୍ୟସଭା ସାଂସଦ ଥିଲେ । ତାଙ୍କ କାର୍ଯ୍ୟକାଳ ୨୦୨୨ ଜୁଲାଇ ପର୍ଯ୍ୟନ୍ତ ରହିଥିଲା ।

ଇତି ମଧ୍ୟରେ ଶ୍ରୀ ଦେବ ରାଜ୍ୟସଭା ଆସନରୁ ଇସ୍ତଫା ଦେଇସାରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୬ରେ ବିଷ୍ଣୁ ଚରଣ ଦାସ ବିଜେଡି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ସେ ରାଜ୍ୟସଭା ଛାଡି ପରେ ରାଜ୍ୟ ଯୋଜନାବୋର୍ଡର ଉପାଧ୍ୟକ୍ଷ ହୋଇଥିଲେ । ତେଣୁ ଖାଲିଥିବା ସ୍ଥାନରେ ଉପନିର୍ବାଚନ ଲଢି ଶ୍ରୀ ଦେବ ରାଜ୍ୟସଭାକୁ ଯାଇଥିଲେ । ଏବେ ଏହି ଆସନ ଲାଗି ପୁଣିଥରେ ଉପନିର୍ବାଚନ ହେବାକୁ ଯାଉଛି ।

ବିଜେଡି ଟିକଟରେ ଓଡିଶାରୁ ରାଜ୍ୟସଭା ଯିବାପାଇଁ ୩୦ରୁ ଅଧିକ ଆଶାୟୀ ଅଛନ୍ତି । କେତେକ ନେତା ବୁଲି ବୁଲି କହୁଛନ୍ତି ଯେ ତାଙ୍କୁ କୁଆଡେ ରାଜ୍ୟସଭା ପଠାଇବାପାଇଁ ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଛି ।

ନିର୍ବାଚନରେ ହାରିଥିବା, ଲଢିନଥିବା ଏବଂ ଦଳପାଇଁ କାମ କରିଥିବା ଅନେକ ନେତା ସ୍ୱାଭାବିକ ଭାବେ ରାଜ୍ୟସଭା ସାଂସଦ ପଦବୀ ପାଇବାକୁ ଆଗ୍ରହୀ । କିନ୍ତୁ କିଏ ରାଜ୍ୟସଭାକୁ ଯିବ ନଯିବ ତାହାର ଚୂଡାନ୍ତ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ ।