ଓଡ଼ିଶାକୁ ଫନି ସହାୟତା ଦେଲେ କେନ୍ଦ୍ର ସରକାର  ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟିର ସହାୟତା ରାଶି  ଫନି ପରବର୍ତ୍ତୀ ଥଇଥାନ ପାଇଁ ସହାୟତା ରାଶି ଘୋଷଣା  

ସବୁଜ ବିପ୍ଳବ ଫଳପ୍ରଦ

ପୂର୍ବ ଭାରତରେ ସବୁଜ ବିପ୍ଳବ କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ କେନ୍ଦ୍ର ସରକାର ଯେଉଁ ଜାତୀୟ ଅଭିଯାନ ଆରମ୍ଭ କରିଛନ୍ତି ତାହା ଓଡିଶାରେ ବେଶ୍‍ ଫଳପ୍ରଦ ହୋଇଛି । ରାଜ୍ୟ କୃଷି ବିଭାଗ ସିଧାସଳଖ ଭାବେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୨ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚଳାଇଛି ।

ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ବରଗଡ, ବଲାଙ୍ଗିର, ବୌଦ, ସମ୍ବଲପୁର, ସୋନପୁର, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୟାଗଡ, ପୁରୀ, ଖୋରଧା, କେନ୍ଦ୍ରାପଡା, ଜଗତ୍‍ସିଂହପୁର, ଯାଜପୁର, କଟକ ଓ ଢେଙ୍କାନାଳ ଜିଲ୍ଲାକୁ ଏହି କାର୍ଯ୍ୟକ୍ରମର ଅର୍ନ୍ତଭୁକ୍ତ କରାଯାଇଥିବାବେଳେ ଚଳିତବର୍ଷ ଏଥିରେ ୧୦୧ କୋଟି ୮୮ଲକ୍ଷ ଟଙ୍କା ବ୍ୟୟ କରାଯିବ ।

ଏଥି ମଧ୍ୟରୁ କେନ୍ଦ୍ର ସରକାର ୬୧କୋଟି ୧୩ ଲକ୍ଷ ବହନ କରୁଥିବାବେଳେ ରାଜ୍ୟ ସରକାର ୪୩ କୋଟି ୭୫ଲକ୍ଷ ଟଙ୍କା ବହନ କରିବେ ।

ଉକ୍ତ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗଦେଇ ଗତବର୍ଷ ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମ ଅଧିନରେ ଗତବର୍ଷ ୩୭,୪୧୨ ହେକ୍ଟର ଜମିରେ ଚାଷ କରାଯାଇଥିଲା ଓ ସେଥିରେ ଧାନ ଉତ୍ପାଦନ ୨୭ପ୍ରତିଶତରୁ ଅଧିକ ହୋଇଥିବା ଜଣାପଡିଛି । ଗୋଟିଏ ଗୋଟିଏ ଅଞ୍ଚଳରେ ୧୦୦ ଏକର କିମ୍ବା ତଦୁର୍ଧ ଚାଷଜମିରେ ଏହି ନିରୀକ୍ଷା ଚାଲିଛି ।

ଏଥିରେ ଧାନ ବିହନ ଉତ୍ପାଦନ, ଧାଡି ରୁଆ, ପ୍ରାକୃତିକ ବିପର୍ଯ୍ୟୟ ଓ ରୋଗପୋକ ଦାଉରୁ ବର୍ତ୍ତି ପାରୁଥିବା ଧାନଚାଷ, ଯାନ୍ତ୍ରିକ କୃଷି ଆଦିକୁ ପ୍ରାଧାନ୍ୟ ଦିଆଯାଉଛି ।

ସମୀକ୍ଷା ବୈଠକରୁ ଜଣାପଡିଛି ଯେ ସଘନ ପ୍ରଣାଳୀରେ ହେଉଥିବା ଏହି ପରୀକ୍ଷାମୂଳକ ଚାଷରୁ ଗତବର୍ଷ ୨୧,୧୮୧ କୁଇଣ୍ଟାଲ ବିହନ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ବାସ୍ତବରେ କିନ୍ତୁ ରେକର୍ଡ ପରିମାଣର ୪୩,୪୫୩ କୁଇଣ୍ଟାଲ ବିହନ ଉତ୍ପାଦିତ ହୋଇଛି ।

ବିଗତ ବର୍ଷର ସଫଳତାକୁ ଆଖିଆଗରେ ରଖି ଚଳିତବର୍ଷ ଏହି କାର୍ଯ୍ୟକ୍ରମ କୃଷି କ୍ଷେତରେ ଯେଭଳି ଅଧିକ ଫଳପ୍ରଦ ହୋଇପାରିବ ସେ ସଂକ୍ରାନ୍ତରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019