ଭାଷ୍ୟକାରଙ୍କ ସୂଚନା ଦେବାକୁ ପଡିବ

ରଥଯାତ୍ରା ସମୟରେ ବିଭିନ୍ନ ଗଣମାଧ୍ୟମରେ ଧାରାବିବରଣୀ ପ୍ରଦାନ କରୁଥିବା ଭାଷ୍ୟକାରମାନଙ୍କର ସମ୍ପୂର୍ଣ୍ଣ ବିବରଣୀ ଶ୍ରୀମନ୍ଦିର ନିକଟରେ ଦାଖଲ କରିବାକୁ ହେବ । କେତେ ଜଣ ଭାଷ୍ୟକାର ଶ୍ରୀଜନ୍ନାଥ ସଂସ୍କୃତି ଓ ପରମ୍ପରା ସଂକ୍ରାନ୍ତରେ ଭୁଲ୍‍ ତଥ୍ୟ ପ୍ରଦାନ କରୁଥିବାର ଅଭିଯୋଗ ଆସିବାପରେ ଆଜି ଏଭଳି ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ।

ଶ୍ରୀ ମହାପାତ୍ର କହିଛନ୍ତି ଯେ କେତେକ ଭାଷ୍ୟକାରଙ୍କ ଧାରାବିରଣୀକୁ ନେଇ ଆପତ୍ତି ଉଠିଛି । ଏହି ଭାଷ୍ୟକାରମାନେ ଶ୍ରୀମନ୍ଦିର, ରଥଯାତ୍ରା ଓ ମନ୍ଦିର ରୀତି ନୀତି ସଂକ୍ରାନ୍ତରେ ଭୁଲ୍‍ଭାଲ୍‍ ସୂଚନା ଦେଉଛନ୍ତି । ତେଣୁ କେଉଁମାନେ ଭାଷ୍ୟକାର ଭାବେ କେଉଁ ଗଣମାଧ୍ୟମରେ ଧାରାବିବରଣୀ ପ୍ରଦାନ କରିବେ ଓ ସେମାନଙ୍କର କି ପ୍ରଭାର ଅଭିଜ୍ଞତା ରହିଛି ମନ୍ଦିର ପ୍ରଶାସନ ତାହା ଜାଣିବାକୁ ଚାହୁଁଛି ।

ସେହିଭଳି ରଥଯାତ୍ରା ସମୟରେ ସମସ୍ତ ଟିଭି ଚ୍ୟାନେଲ ଗୁଡିକୁ ସିଧା ପ୍ରସାରଣର ସୁଯୋଗ ମିଳିବ । ହେଲେ ଯେଉଁମାନେ ସିଧା ପ୍ରସାରଣ ସମୟରେ ବ୍ୟବସାୟିକ ବିଜ୍ଞାପନ ପ୍ରସାର କରିବେ ସେମାନଙ୍କ ଠାରୁ ଅର୍ଥ ଆଦାୟ କରାଯିବ । ଏ ବାବଦରେ କେତେ ଅର୍ଥ ଆଦାୟ ହେବ ତାହା ସ୍ଥିର ହୋଇନାହିଁ ।

ଉଲ୍ଲେଖନୀୟ ଯେ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ପାଇଁ ମନ୍ଦିର ପକ୍ଷରୁ ବିଡ୍‍ ଆହ୍ୱାନ କରାଯାଇଥିବାବେଳେ ଏଥିପାଇଁ ରାଜ୍ୟର କେତେକ ଟେଲିଭିଜନ ସଂସ୍ଥା ଆବେଦନ କରିଛନ୍ତି । ହେଲେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ପଦକ୍ଷେପକୁ ନେଇ ଚାରିଆଡୁ ସମାଲୋଚନା ହେବା ସହିତ ଅଦାଲତରେ ମାମଲା ରୁଜୁ ହୋଇଛି ।

ସିଧା ପ୍ରସାରଣକୁ ନେଇ ଲାଗି ରହିଥିବା ଦ୍ୱନ୍ଦର ଆଜି ଏକ ପ୍ରକାର ଅବସାନ ଘଟିଥିବାବେଳେ କେଉଁ ଆଧାରରେ ମନ୍ଦିର ପ୍ରଶାସନ ସିଧା ପ୍ରସାରଣ କରୁଥିବା ଚ୍ୟାନେଲ୍‍ ଗୁଡିକ ଠାରୁ କେତେ ପରିମାଣ ଅର୍ଥ ଆଦାୟ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।